କେନ୍ଦୁଝର/ବଡ଼ବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ବନ୍ଦ ଖଣିରୁ ବେଧଡ଼କ ଚାଲିଛି ଖଣିଜ ଚୋରି। ଏହି ଖଣି ଚୋରି ରୋକିବା ଏବଂ ଚୋର ଧରିବାରେ ଖଣି ବିଭାଗର ସ୍କ୍ବାଡ଼୍ ଫେଲ୍ ମାରିଛି। ବାରମ୍ବାର ଏହି ଖଣିଜ ଚୋରିକୁ ବନ ବିଭାଗ ଏବଂ ପୁଲିସ ଧରୁଥିବାବେଳେ କୌଣସି ଅଦୃଶ୍ୟ କାରଣ ପାଇଁ ଖଣି ସ୍କ୍ବାଡ୍ ନିରବ ରହୁଛି।
ଗତ କିଛିଦିନ ତଳେ ଦୁଇଥର ବନ ବିଭାଗ ପକ୍ଷରୁ ଚୋରା ମାଙ୍ଗାନିଜ ଜବତ ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ପୁଲିସ ତିନୋଟି ଟ୍ରକ୍ ଭର୍ତ୍ତି ଚୋରା ଲୁହାପଥର ଏବଂ ମାଙ୍ଗାନିଜ୍ ଜବତ କରି ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ, ଚୋରା ଖଣିଜ ବୋଝେଇ ଗାଡି ଯାଉଥିବା ଖବରପାଇ ବଡ଼ବିଲ ପୁଲିସର ଏକ ଟିମ୍ ବଲାଣି ସଂରକ୍ଷିତ ଜଙ୍ଗଲର ଡୁମୁର୍ତ୍ତାଠାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଲୁହାପଥର ଓ ମାଙ୍ଗାନିଜ ବୋଝେଇ ହୋଇଥିବା ତିନୋଟି ହାଇୱା ଜବତ କରିଥିଲେ। ଜବତ ଖଣିଜ ମଧ୍ୟରେ ୭୦ ମେଟ୍ରିକ ଟନ ଲୁହପଥର ଓ ୨୫ ମେଟ୍ରିକ ଟନ ମାଙ୍ଗନିଜ ରହିଛି। ଜବତ ଖଣିଜ ଦ୍ରବ୍ୟର ଆନୁମାନିକ ମୂଲ୍ୟ ସାଢ଼େ ୫ ଲକ୍ଷ ବୋଲି ଜଣାଯାଇଛି।
ଜବତ ଗାଡି ମଧ୍ୟରେ ଦୁଇଟି ପଶ୍ଚିମବଙ୍ଗର (ଡବ୍ଲ୍ୟବି ୩୭ ସି-୪୧୯୯, ଡବ୍ଲୁବି ୫୯ ବି-୯୪୬୬ ) ହୋଇଥିବାବେଳେ ଆଉ ଗୋଟିଏ ନାଗାଲାଣ୍ଡର (ଏନ୍ଏଲ୦୧ଏଡି-୮୧୯୭) ବୋଲି ଜଣାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ଦୁଇ ଗାଡିଚାଳକ ଓ ୪ ଜଣ ଖଣି ମାଫିଆ ଥିବା ଜଣାଯାଇଛି। ଗିରଫ ବ୍ୟକ୍ତିମାନେ ବଲାଣି ଥାନା ଡୁମୁର୍ତ୍ତା ଗ୍ରାମର କ୍ଷୀରୋଦ ବିରୁଲି, ରାଜେନ ମୁଣ୍ଡା, ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧନ ଥାନା ଅଞ୍ଚଳର ମଣ୍ଟୁ କୁମାର ଓଝା, ରାଜା ସିଂ, ଚନ୍ଦନ କୁମାର ଦାସ, କୁଲଟି ଥାନା ଅଞ୍ଚଳର ସୋହେଲ ଖାନ।
ଏନେଇ ବଡ଼ବିଲ ଥାନାର ସବଇନିସପେକ୍ଟର ଅଭିମନ୍ୟୁ ଦାସଙ୍କ ରିପୋର୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। କେସ ନମ୍ବର ୯/୨୧ରେ ଦଫା ୩୭୯, ୪୬୮, ୪୭୧,୧୨୦ବି ଓ ୩୪ ଆଇପିସିରେ ମାମଲା ରୁଜୁ କରି ଅଧିକ ଖୋଳତାଡ଼ ଜାରି ରଖିଛି ପୁଲିସ। ୬ ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।
ଅନ୍ୟପଟେ ଗତ ୬ ତାରିଖରେ ଓଡିଶା ସୀମା ଠାକୁରାଣୀ ସଂରକ୍ଷିତ ଜଙ୍ଗଲର ବନେଇକଳା ବସ୍ତି ନିକଟରେ ଗଚ୍ଛିତ ଥିବା ବ୍ୟାପକ ପରିମାଣର ମାଙ୍ଗାନିଜ ବନ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ଏହି ଜବତ ମାଙ୍ଗାନିଜ୍ର ମୂଲ୍ୟ ପ୍ରାୟତଃ ୧୦ ଲକ୍ଷ ଟଙ୍କାର ଥିଲା। ସେହିପରି ସିଦ୍ଧମଠ ଜଙ୍ଗଲରୁ ମଧ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ମାଙ୍ଗାନିଜ ବନ ବିଭାଗ ଜବତ କରିଥିଲା। ମୋଟାମୋଟି ଭାବେ ବିଭିନ୍ନ ସମୟରେ ମାଙ୍ଗାନିଜ ଏବଂ ଲୁହାପଥର ଭଳି ଖଣିଜ ଚୋରିକୁ ବନ ବିଭାଗ ଏବଂ ପୁଲିସ ଧରିବାରେ ସଫଳ ହେଉଥିବା ବେଳେ କାହିଁକି ଖଣି ବିଭାଗ ସ୍କ୍ବାଡ୍ ପାରୁନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି।
ଖଣି ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଖଣି ବିଭାଗର ସ୍କ୍ବାଡ୍ ପ୍ରାୟତଃ ଚଢ଼ଉ କରେ ନାହିଁ। ଗତ ୫ ବର୍ଷ ମଧ୍ୟରେ ଖଣି ବିଭାଗ ସ୍କ୍ବାଡ୍ କୌଣସି ଗୋଟିଏ ଖଣିଜ ଚୋରି ଧରିବାର ସଫଳ ହୋଇ ନଥିବା ସେ ପ୍ରକାଶ କରିଛନ୍ତି।