ଭୁବନେଶ୍ବର : ବିଧାନସଭାକୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଫେରିଛି। ହେଲେ ଏଥର ବିଜେପି ନୁହେଁ, କଂଗ୍ରେସ ଏହି ପ୍ରସଙ୍ଗ ଆଣିଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ୮ଟି ଖଣିର ୧୧ ମାଲିକ ସରକାରଙ୍କୁ ୩ ବର୍ଷରେ ୩୬୦୦ କୋଟି ଟଙ୍କାର ଚୂନ ଲଗାଇଲେଣି। ତଥାପି ଏ ସରକାର ଚୁପ୍‌ ବସିଛନ୍ତି। ବାରମ୍ବାର ଏ ଗୃହରେ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସରକାର ତୁରନ୍ତ ଏହି ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ସ୍ବତନ୍ତ୍ର ଏସ୍‌ଆଇଟି ଗଠନ କରିବା ଲାଗି ଦାବି କରାଯାଇଛି। ଅନ୍ୟଥା ବୁଝିବାକୁ ହେବ ମୁଖ୍ୟମନ୍ତ୍ରୀ ନିଜେ ଦୁର୍ନୀତିଗ୍ରସ୍ତଙ୍କ ସହ ହାତ ମିଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଏକ ପ୍ରହସନ ବୋଲି ନରସିଂହ କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହରେ ମତ ରଖିଛନ୍ତି।

Advertisment

ଶନିବାର ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ନାରାୟଣପୋଷୀ ଲୁହାପଥର ଖଣି, ନୂଆଗାଁ ଲୁହାପଥର, ଉଚ୍ଚବାଲି ଲୁହାପଥର, ସିରାଜୁଦ୍ଦିନର ବଲଦା ଲୁହାପଥର, ରୋଇଡ଼ା ଲୁହାପଥର, ନାଡିଡିହ ଲୁହାପଥର, ଜ୍ରିଡ଼ୁ ଲୁହାପଥର ଓ ଖଣ୍ଡାବନ୍ଦ ଲୁହାପଥର ଖଣି ଲିଜଧାରୀମାନେ ସେମାନଙ୍କ ଖଣିରୁ ଉତ୍ତୋଳନ କରାଯାଉଥିବା ଖଣିଜ ପଦାର୍ଥ (ରନ୍‌ ଅଫ୍‌ ମାଇନ୍‌ସ) ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି। ସରକାରଙ୍କୁ ଲୁଚାଇ କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ ବିକ୍ରି କରୁଛନ୍ତି। ଫଳରେ ବର୍ଷକୁ ୧୨୧୦ କୋଟି ୩୧ ଲକ୍ଷ ଟଙ୍କା ହିସାବରେ ଗତ ୩ ବର୍ଷ ଭିତରେ ସରକାରଙ୍କର ୩ ହଜାର ୬୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ଖଣି ଲିଜଧାରୀମାନେ ରାଜ୍ୟ ସରକାରଙ୍କ ଖଣି ବିଭାଗ ଅଧିକାରୀ ଓ ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍‌ସ୍‌ (ଆଇବିଏମ୍‌) ଅଧିକାରୀଙ୍କ ସହଯୋଗରେ ଲୁଟ ଚଳାଇଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ଏକାଧିକ ବାର ବିଧାନସଭାରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏପରିକି ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ସରକାର ଚାହିଁନାହାନ୍ତି। ତୁରନ୍ତ ଏପରି ଖଣି ଦୁର୍ନୀତି ପାଇଁ ଏସ୍‌ଆଇଟି ଗଠନ କରି ତଦନ୍ତ କରାଯାଉ। ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ଫୌଜଦାରି ମାମଲା ଦାୟର କରାଯାଉ।