ଖଣି ମାଫିଆ କୈଳାସ ପରିଜାଙ୍କ ଜାମିନ ଖାରଜ, ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ର ଆବେଦନ

ଖୋର୍ଦ୍ଧା : ବହୁ ଚର୍ଚ୍ଚିତ ଖଣି ମାଫିଆ କୈଳାସ ପରିଜାଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଶ୍ରୀ ପରିଜାଙ୍କୁ ପଚରାଉଚରା ପାଇଁ ଏସ୍‌ଟିଏଫ୍ ୩ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ଜଣାଯାଇଛି।

ସୂଚନାନୁସାରେ, ଖୋର୍ଦ୍ଧାରେ ଚାଲୁଥିବା ବେଆଇନ ପଥର ଖଣି ଓ କ୍ରସର ୟୁନିଟ୍ ଉପରେ ଏସ୍‌ଟିଫ୍‌ର ଘନ ଘନ ଚଢ଼ଉରେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଗିରଫ ହୋଇ ସାରିଛନ୍ତି। ତେବେ ଖୋର୍ଦ୍ଧାର ଅନ୍ୟତମ ପ୍ରମୁଖ ଖଣି ମାଫିଆ କୈଳାସ ପରିଜା (୭୧) ଏସ୍‌ଟିଏଫ୍ ହାତରୁ ଖସି ଯାଇଥିଲେ। ଦୀର୍ଘ ଯୋଜନା ଓ ଟ୍ରାକ୍ ପରେ ଅଗଷ୍ଟ ୧୭ ତାରିଖରେ ଏସ୍‌ଟିଏଫ୍ କୋଲକତାରୁ କୈଳାସଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଆଲିପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ବୟସାଧିକ୍ୟ ଯୋଗୁଁ ତାଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍ କୋର୍ଟରେ ଅଗଷ୍ଟ ୨୨ରେ ହାଜର କରିବାକୁ ଏସ୍‌ଟିଏଫ୍‌ଙ୍କୁ କୋର୍ଟ ଅନୁମତି ଦେଇଥିଲେ। ତେବେ କୋଲକାତାରେ ଜାମିନଦାର ଯୋଗାଡ଼ କରିବାରେ ଅକ୍ଷମ ହେବାରୁ ଅଶୋକଙ୍କୁ ଆଲିପୁର କେନ୍ଦ୍ରୀୟ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆଜି ସକାଳେ ଏସ୍‌ଟିଏଫ୍ କୈଳାସଙ୍କୁ ଆଣି ଖୋର୍ଦ୍ଧା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲେ। ଜାମିନ ଅଗ୍ରାହ୍ୟ ହେବାରୁ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇଦିଆଯାଇଛି। ଅପରପକ୍ଷରେ ଆଇନଜୀବୀ ପ୍ରଭାତ ଦାସ ସୂଚନା ଦେଇ କହିଛନ୍ତି ଯେ ଏସ୍‌ଟିଏଫ୍ ୩ ଦିନ ରିମାଣ୍ତରେ ନେବାକୁ ଆବେଦନ କରିଛି। ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର