ଯାଜପୁର/ଚଢ଼େଇଧରା : ଜେନାପୁର ଥାନା ପୁଲିସ କୋଟିପତି ଖାଦାନ ମାଲିକ ରଙ୍ଗାଧର ପ୍ରଧାନଙ୍କୁ ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି। ୫ମାସ ପୂର୍ବେ ଏସ୍ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ଦ୍ବାରା ରଙ୍ଗାଧରଙ୍କ ଲିଜ୍ ଖାଦାନ ଗଙ୍ଗେଇଡୁବୁରି ନିକଟରୁ ଶହଶହ ବସ୍ତା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରକ ଜବତ ହୋଇଥିଲା। ଏସ୍ପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏହି ଘଟଣାର ତଦନ୍ତ ଜେନାପୁର ଥାନା ପୁଲିସ ଜାରି ରଖିଥିଲା।
ପ୍ରକାଶ ଥାଉକି ଧର୍ମଶାଳା ତହସିଲ ଅଧୀନସ୍ଥ ଅଞ୍ଚଳରେ ଶହଶହ କଳାପଥର(ଗ୍ରାନାଇଟ୍) ଖାଦାନରେ ପାହାଡ଼ ଫଟାଇବା ପାଇଁ ବ୍ୟାପକ ଚୋରା ବିସ୍ଫୋରକ ସାମଗ୍ରୀ କାରବାର ଚାଲିଛି। ଏଥି ନେଇ ବାରମ୍ବାର ତଥ୍ୟ ଭିତ୍ତିକ ଖବର ‘ସମ୍ବାଦରେ ପ୍ରକାଶ ପାଇବା ପରେ ଏସ୍ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ଗତବର୍ଷ ଅକ୍ଟୋବର ୪ ରୁ ୬ ତାରିଖ ୩ଦିନ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ବହୁଳ ପରିମାଣର ଚୋରା ଆମୋନିୟମ ନାଇଟ୍ରେଟ୍ , ଜିଲୋଟିନ୍ ପ୍ରଭୃତି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏହାକୁ ନେଇ ଏସ୍ପିଙ୍କ ନିର୍ଦ୍ଦେଶରେ ଜେନାପୁର ଥାନା ପୁଲିସ ୪ଟି କେସ୍ କରିଥିଲେ। ସେଥି ମଧ୍ୟରେ କେସ ନମ୍ବର ୨୮୫/୨୧ ଓ ୨୮୭/୨୧ରେ ବିସ୍ଫୋରକ ବ୍ୟବସାୟୀ ରଘୁନାଥ ସାହୁ ଓ ପୁଅ ଅକ୍ଷୟ ସାହୁ ଆଗୁଆ ଜାମିନରେ ଆସିଥିଲେ।
ସେହିପରି କୋଟିପତି ଖାଦାନ ମାଲିକ ରଙ୍ଗାଧର ପ୍ରଧାନ ମଧ୍ୟ କେସ ନମ୍ବର୨୮୮/୨୧ରେ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଥିଲେ। ମାତ୍ର ରଙ୍ଗାଧରଙ୍କ ଗଙ୍ଗେଇଡୁବୁରି ଖାଦାନ ନିକଟରୁ ମାଟି ତଳୁ ମିଳିଥିବା ଶହଶହ ବସ୍ତା ଚୋରା ଆମୋନିୟମ ନାଇଟ୍ରେଟ୍ ଘଟଣାରେ ପୁଲିସ ଗୁପ୍ତରେ ତଦନ୍ତ ଜାରି ରଖିଥିଲା। ଦୀର୍ଘ ଦିନ ବାହାରେ ରହୁଥିବା ରଙ୍ଗାଧର ନିର୍ବାଚନ ସମୟରେ ନିଜ ଅଞ୍ଚଳକୁ ଫେରିବା ପରେ ପୁଲିସ ଖବରପାଇ ଆଜି ତାଙ୍କୁ ଥାନାକୁ ଡାକିଥିଲା। ପୂର୍ବ କେସରେ ଜାମିନରେ ଆସିଥିବା ରଙ୍ଗାଧର ପୁଲିସର ଚାଲ ବୁଝିନପାରି ଜେନାପୁର ଥାନାରେ ପହଞ୍ଚିଥିଲା। ମାଟି ତଳୁ ମିଳିଥିବା ବିପୁଳ ଚୋରା ବିସ୍ଫୋରକ ମାମଲାରେ ସେ ସଂପୃକ୍ତ ବୋଲି ରଙ୍ଗାଧରକୁ ଥାନାଧିକାରୀ ଉମାକାନ୍ତ ନାୟକ କହିବା ସହିତ ଗିରଫ କରାଗଲା ବୋଲି ଜଣାଇଦେଇଥିଲେ। ମାସ ମାସ ଧରି ପୁଲିସ ଆଖିରେ ଧୂଳି ଦେଇ ଆଇନର ଗଳାବାଟରେ ଖସିଯାଉଥିବା ରଙ୍ଗାଧର ପୁଲିସ ଜାଲରେ ଶେଷରେ ପଡ଼ିଥିଲା। ଏହି ଘଟଣା ପରେ ବେଆଇନ ଖାଦାନ ଓ ଚୋରା ପଥର କାରବାରରେ ସଂପୃକ୍ତ ମାଫିଆମାନଙ୍କ ମଧ୍ୟରେ ଛନକା ପଶିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/jaj.jpg)