ବନ୍ୟପ୍ରାଣୀଙ୍କ ପାଇଁ ବିପଦ ମୋରମ ଖଣି

କେନ୍ଦୁଝର : ରାସ୍ତା କାମ ପାଇଁ ମୋରମ ତାଡ଼ି ନେଲେ। ପରେ ଆଉ ସେ ମୋରମ ଖାଦାନକୁ ପୋତିଲେ ନାହିଁ। ଏହି ମୋରମ ଖାଦାନ ଏବେ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦ ପାଲଟିଛି। ପ୍ରତି ବର୍ଷ ଏକାଧିକ ଗୃହପାଳିତ ପଶୁଠୁ ଆରମ୍ଭ କରି ବନ୍ୟପ୍ରାଣୀ ଏହି ଖାଦାନରେ ପଡ଼ି ମୃତ୍ୟୁମୁଖରେ ପଡ଼ୁଛନ୍ତି। ମାତ୍ର ଏହି ମୋରମ ଖାଦାନକୁ ପୋତିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଯାହା ସୂଚନା ମିଳିଛି ସଦର ତହସିଲ ତୁଳସୀଚଉଁରା ରହିଛି ମୋରମ ଖଣି। ଏହି ଖଣିରୁ ପୂର୍ବରୁ ଜାତୀୟ ରାଜପଥ କାମ କରୁଥିବା ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକ୍ସନ ମୋରମ ନେଇ ବ୍ୟବହାର କରୁଥିଲା। ପରେ ଏହି ଖଣିକୁ ବନ୍ଦ କରି ଦେବା କଥା। ମାଟି ପକାଇ ବନ୍ଦ ନକରି ଏହି ଠିକା ସଂସ୍ଥା ଖୋଲା ଛାଡି ଚାଲି ଯାଇଥିଲା। ସରକାରୀ ଭାବେ ଏହି ମୋରମ ଖଣି ବନ୍ଦ ଥି‌ଲେ ବି ନିୟମିତ ଭାବେ ଏହି ଖଣିରୁ ଚୋରାରେ ମୋରମ ଚାଲାଣ ହେଉଛି । ଅନ୍ୟପଟେ ଏହି ଖଣି ୧୦ ବର୍ଷ ତଳୁ ବନ୍ଦ ଥିଲେ ହେଁ ଏହାକୁ ପୋତିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବନ୍ୟପ୍ରାଣୀ ଏବଂ ଲୋକଙ୍କ ପାଇଁ ବିପଦ ଆଶଙ୍କା ରହିଛି । ୧୦୦ ଫୁଟ ଗାତ ଖୋଳି ଲଘୁ ଖଣିଜ ଉତ୍ତୋଳନ କରାଯାଇଥିବାରୁ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି । ଖଣି ବନ୍ଦ ପରେ ଗାତ ପୋତିବା କାମ ରାଜସ୍ୱ ବିଭାଗର । ମାତ୍ର ଦାୟିତ୍ୱହୀନତା କାରଣରୁ ଦୀର୍ଘବର୍ଷ ଖୋଲାମେଲାରେ ପଡିଛି।

ନିୟମ ଅନୁମସାରେ ଲିଜଧାରୀଙ୍କ ଲିଜ୍ ଅବଧି ପରେ ମାପଚୁପ କରି ପୁନଃ ଟେଣ୍ଡର କିମ୍ବା ଖଣି ବନ୍ଦ କରିବା କଥା ।  ମାଇନିଂ ପ୍ଲାନ ନିଆଯାଇ ଖାଦାନ ଅପରେସନ ହେବାର ନିୟମ ଥିଲେ ମଧ୍ୟ କୌଣସି କ୍ୱାରୀ ମାଇନିଂ ପ୍ଲାନ ଅନୁସାରେ ଖନନ ହୋଇ ନାହିଁ କି ଏହାକୁ ପୋତିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବାରମ୍ବାର ବନ୍ୟପାଣୀ ଏହି ଖାଲରେ ପଡି ମୃତ୍ୟୁମୁଖରେ ପଡ଼ୁଛନ୍ତି।

ସମ୍ବନ୍ଧିତ ଖବର