ସୁନ୍ଦରଗଡ଼: ମହାନଦୀ ଖୋଲା ମୁହଁ କୋଇଲା ଖଣି ବିସ୍ଥାପିତଙ୍କୁ ପୁନର୍ବାସ, ଥଇଥାନ ସହ ନୀତି ଅନୁସାରେ ଅନ୍ୟ ସୁବିଧା ଦେବାରେ କମ୍ପାନି ମନମାନି କରୁଥିବା,ଏପରିକି ସୁପ୍ରିମକୋର୍ଟର ଆଦେଶକୁ ବି ଅବମାନନା କରୁଥିବା ଅଭିଯୋଗ ହୋଇଛି। ବାରମ୍ବାର ଆଲୋଚନା, ନିଷ୍ପତ୍ତି ପରେ ବି ଏମସିଏଲ ତାକୁ କାର୍ଯ୍ୟକାରୀ ନକରି ଦିନ ଗଡ଼ାଇ ନେଉଥିବାରୁ ଆଜି ଏହାର ପ୍ରତିବାଦରେ ୧୪ ଖଣ୍ଡ ବିସ୍ଥାପିତ ଗାଁର ଶହ ଶହ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏମସିଏଲ ଅଫିସ ସମେତ ବସୁନ୍ଧରା, କୁଲଡା, ଗର୍ଜନବାହାଲ, ସିଆରମାଲ ଖଣି ଓ ସରଡେଗା ରେଲୱେ ସାଇଡିଂକୁ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ କୋଇଲା ଉତ୍ତୋଳନ, ବୋଝେଇ ଓ ପରିବହନ ଠପ୍ ହୋଇଯାଇଛି। ଦାବି ପୂରଣ ନହେବା ଯାଏ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ।
ଅଭିଯୋଗ ରହିଛି, ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଏପ୍ରିଲ ୨୫ରେ ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ଏଯାଏଁ ଅତି ମନ୍ଥର ଗତିରେ କେବଳ ଘରବାଡ଼ିର କ୍ଷତିପୂରଣ ଦେବା ଆରମ୍ଭ ହୋଇଛି। ଯାହା ସୁପ୍ରିମକୋର୍ଟ ଓ କ୍ଲେମ୍ କମିସନଙ୍କ ଆଦେଶର ଅବମାନନା ହୋଇଛି। ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ୯ ମାସ ମଧ୍ୟରେ ଏ ଦୁଇ ଗାଁର କ୍ଷତିପୂରଣ ପ୍ରଦାନ ଶେଷ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ୭ ମାସ ବିତିଯିବା ପରେ ବି ହାତଗଣିତ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ। ୨୦୨୨ ନଭେମ୍ବର ୩ରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୯ ମାସ ମଧ୍ୟରେ ୧୪ଟି ଗାଁକୁ ଏସବୁ ସୁବିଧା ଦେବାକୁ ଆଦେଶ ରହିଛି। ସେହିପରି ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାକରୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାଇଁ ଆଦେଶ ରହିଛି। ଏପରିକି ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ନିଯୁକ୍ତି ପ୍ରଦାନ ପାଇଁ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଥଇଥାନ କରାନଯିବା ପର୍ଯ୍ୟନ୍ତ ବିସ୍ଥାପିତ ପରିବାର ଘରବାଡ଼ିକୁ ଭଙ୍ଗା ନଯିବାକୁ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଥଇଥାନ ପୂର୍ବରୁ ଗର୍ଜନବାହାଲ, ସିଆରମାଲ, କୁଲଡା, କରଲିକଛାରର ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ୧୯୯୪ରେ କୋଲ୍ ବିୟରିଂ ଏରିଆରେ ଟିକିଲିପଡ଼ା ଓ ସରଡେଗା ବିସ୍ଥାପତିଙ୍କୁ ଜମି ଦିଆଯାଇଛି। ସେମାନେ ୧୯ ବର୍ଷ ହେଲା ସେଠାରେ ବସତି ସ୍ଥାପନ କରିଥିବା ବେଳେ ଏବେ ସେମାନଙ୍କୁ ସେଠାରୁ ହଟାଯିବ। ତେଣୁ ସେମାନେ ଦୁଇଥର ବିସ୍ଥାପିତ ହେଉଥିବାରୁ ନିୟମ ଆନୁସାରେ କ୍ଷତିପୂରଣ ପ୍ରଦାନ କରି ଅନ୍ୟ ସ୍ଥାନରେ ଜମି ଦିଆଯିବା ପାଇଁ ଉଠିଥିବା ଦାବି ଉପରେ ଏମସିଏଲ ନିରବ ରହିଥିବା ଅଭିଯୋଗ ହୋଇଛି। ତେଣୁ ବିସ୍ଥାପିତ ହେବାକୁ ଥିବା ପରିବାରମାନଙ୍କୁ ବିସ୍ଥାପିତ ପ୍ରମାଣପତ୍ର, ପୁନର୍ବାସ ଓ ଥଇଥାନର ସମାପ୍ତି ପ୍ରମାଣପତ୍ର, ଘର ତିଆରି ପାଇଁ ୧୦ ଡିସିମିଲ ସ୍ଥାୟୀ ଜମି ପଟ୍ଟା, ସମ୍ପୂର୍ଣ୍ଣ ପୁନର୍ବାସ ଓ ଥଇଥାନ ନ ହେବା ଯାଏଁ କୌଣସି ଗୋଟିଏ ଘର କିମ୍ବା ଗ୍ରାମ ଉଚ୍ଛେଦ କରାନଯିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୧୩ ଅକ୍ଟୋବର ୨୫ରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପୁନର୍ବାସ ଏବଂ ଥଇଥାନ ସୁବିଧା ସମ୍ପୂର୍ଣ୍ଣ ନହେବା ଯାଏଁ ଖଣି କାର୍ଯ୍ୟ ବନ୍ଦ ରଖିବାକୁ ମଞ୍ଚ ଦାବି କରିଥିଲା।
ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାକୁ କାର୍ଯ୍ୟକାରୀ କରି ନଥିବା ଅଭିଯୋଗ କରି ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ଜୁନ୍ ୨୮ରୁ ଖଣି ବନ୍ଦ ଡାକରା ଦେଇଥିଲେ। ତାକୁ ଦୃଷ୍ଟିରେ ରଖି ଜୁନ୍ ୨୭ ତାରିଖରେ ପ୍ରଶାସନ ଓ କମ୍ପାନି ହେମଗିର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବିସ୍ଥାପିତଙ୍କ ସହ ପୁଣି ଆଲୋଚନା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ବିଫଳ ହୋଇଥିଲା। ବିସ୍ଥାପିତମାନେ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁକୁ ଜମି କ୍ଷତିପୂରଣ ନୋଟିସ ଦେବାକୁ ଦାବି କରିଥିଲେ। ହେଲେ କ୍ଲେମ୍ କମିସନଙ୍କ କ୍ଷତିପୂରଣ ଆକଳନକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିବା ଦର୍ଶାଇ ଏମସିଏଲ ନୋଟିସ ଦେବାକୁ ସିଧାସିଧା ମନା କରି ଦେଇଥିଲା। ଏଥିରେ ଅସନ୍ତୁଷ୍ଟ ବିସ୍ଥାପିତ ଜୁନ୍ ୨୮ରୁ ଏମସିଏଲ ଅଫିସ ଓ ୩ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଖଣି ବନ୍ଦ କରାଯିବ ବୋଲି ଘୋଷଣା କରିଥିଲେ। ପ୍ରଶାସନ ଏଥିପାଇଁ ମାତ୍ର ଗୋଟିଏ ଦିନ ସମୟ ମାଗିବା ପରେ ଅଫିସ ବନ୍ଦ ନିଷ୍ପତ୍ତିକୁ ଗୋଟିଏ ଦିନ ଅର୍ଥାତ ଜୁଲାଇ ୧ ତାରିଖ ଯାଏ ଘୁଞ୍ଚାଇ ଦେଇଥିଲା।