କଟକ : ରାଜ୍ୟରେ ଖଣି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପ୍ରସଂଗ ନେଇ ଦଶ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ମାମଲା ଗୁଡିକର ଶୁଣାଣିରେ ହାଇକୋର୍ଟରେ ଅନ୍ତ ଘଟିଛି। କମନ୍ କଜ୍ ବନାମ କେନ୍ଦ୍ର ସରକାର ମାମଲାରେ ୨୦୧୭ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ଆଧାର କରି ହାଇକୋର୍ଟ ଆଜି ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପ୍ରସଂଗରେ ଆଉ କୌଣସି ନିର୍ଦ୍ଦେଶର ଆବଶ୍ୟକତା ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୯ଟି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ଖଣିରୁ ମାଙ୍ଗାନିଜ, ଲୁହାପଥର ଓ ଅନ୍ୟାନ୍ୟ ଖଣିଜଦ୍ରବ୍ୟ ବେଆଇନ ଭାବେ ଉତ୍ତୋଳନ କରାଯାଇ ବାହାର ରାଜ୍ୟ ଓ ଦେଶକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ସଡକ ଓ ଜଳପଥରେ ବେଆଇନ ଭାବେ ଏଭଳି ଖଣିଜ ଦ୍ରବ୍ୟ ଚାଲାଣ କରାଯାଇଛି। ଏହି ଘଟଣାରେ ବହୁ ବଡ ସଂସ୍ଥା ଓ ସରକାରୀ ଅଧିକାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏପରି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ୨୦୦୯, ୨୦୧୦, ୨୦୧୧ରେ ଏକାଧିକ ମାମଲା ହାଇକୋର୍ଟରେ ଦାଖଲ ହୋଇଥିଲା। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ।