କଳାପଥର କେଳେଙ୍କାରୀ: ରାଜସ୍ବ ମନ୍ତ୍ରୀଙ୍କୁ ଭୁତାଇଛନ୍ତି ଜିଲ୍ଲା ଅଧିକାରୀ

୧୦୫କୋଟି ଟଙ୍କା ଜରିମାନା ତଥ୍ୟ ଲୁଚାଇଲେ, ମାସେ ପୂରିଲା,ରାହାଡ଼ପୁର ଜରିମାନା କେବେ ?

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା। କେଳେଙ୍କାରୀରେ ରାଜସ୍ବ ବିଭାଗ ଅଧିକାରୀ ଛନ୍ଦି ହୋଇପଡ଼ିଥିବାରୁ ଆର୍‌ଟିଆଇରେ ତଥ୍ୟ ପ୍ରଦାନ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ଏପରିକି ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଫଳରେ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଜିଲ୍ଲା ଅଧିକାରୀଙ୍କ ତଥ୍ୟକୁ ଆଧାର କରି ବିଧାନସଭାରେ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି। ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ତହସିଲ ଅଧୀନରେ ଥିବା କେତେ ପଥର ଖାଦାନର ଲିଜ୍‌ଧାରୀମାନେ ପରିବେଶ ଅନୁମତିଠାରୁ ଅଧିକ ଖନନ କରିଛନ୍ତି? ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? କେତେ ଜରିମାନା ଆଦାୟ କରାଯାଇଛି? ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲିକ ଏହାର ଉତ୍ତର ଦେବାକୁ ଯାଇ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ ମଲ୍ଲିକଙ୍କ ପ୍ରଦତ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଏଡିଏମ ଶ୍ରୀ ମଲ୍ଲିକଙ୍କ ତଥ୍ୟ ମୁତାବକ ଧର୍ମଶାଳା ତହସିଲର ବାଜବାଟି ପାହାଡ଼ର ୫ଟି ଖାଦାନ(ବିଏସକ୍ୟୁ-୧ ରୁ ୫)ର ଲିଜ୍‌ଧାରୀ ଅନୁମତିଠାରୁ ଅଧିକ ଖନନ କରିଥିବାରୁ ସେମାନଙ୍କ ଉପରେ ୨୮ଲକ୍ଷ ୩୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି, ଆରୁହାର ୨ଟି ଖାଦାନ(ବିଏସକ୍ୟୁ-୧ ଓ ୨)ରେ ବେଆଇନ ଖନନ ବାବଦକୁ ୧୦କୋଟି ୨ଲକ୍ଷ ୮୭ହଜାର ୩୮୨ ଟଙ୍କା ଜରିମାନା କରାଯାଇଛି। ମାତ୍ର, ଏହି କେସ୍‌ଗୁଡ଼ିକ ଇଓଡବ୍ଲୁ ନିକଟରେ ବିଚାରାଧୀନ ରହିଛି। ଏହି ତଥ୍ୟ ଚଳିତ ମାସ ୧ ତାରିଖରେ ପ୍ରଦାନ କରାଯାଇଛି। ଏଥିରେ ଗତ ତିନୋଟି ଆର୍ଥିକ ବର୍ଷର ତଥ୍ୟ ପ୍ରଦାନ କରାଯାଇଥିବା ବେଳେ କେବଳ ଗତ ୨୦୨୧-୨୨ବର୍ଷରେ ଜରିମାନା ଆଦାୟ କଥା କୁହାଯାଇଛି। ମାତ୍ର, ଚଳିତବର୍ଷ ଧରାପଡ଼ିଥିବା ବ୍ୟାପକ କେଳେଙ୍କାରୀ ସମ୍ପର୍କରେ ଅଧିକାରୀ ମନ୍ତ୍ରୀଙ୍କୁ ଅବଗତ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ବେଆଇନ ଖନନ ପାଇଁ ଗତ ଅଗଷ୍ଟ ୧୩ତାରିଖରେ ରାଜସ୍ବ ବିଭାଗ ଧର୍ମଶାଳା ତହସିଲଦାରଙ୍କ ଜରିଆରେ ୪ ଜଣ ପଥର ଖାଦାନ ଲିଜ୍‌ଧାରୀ ସରୋଜ ରାଉତ, ରଞ୍ଜନ ଜେନା, ଚନ୍ଦ୍ରମଣି ପରିଡ଼ା ଓ ତାଙ୍କ ପତ୍ନୀ ସବିତ୍ରୀ ପରିଡ଼ାଙ୍କ ଉପରେ ମୋଟ ୧୦୫କୋଟି ୧୩ଲକ୍ଷ ଟଙ୍କାରୁ ଅଧିକ ଜରିମାନା କରିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ଜରିମାନା ଅର୍ଥ ଆଦାୟ ହୋଇନାହିଁ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି। ସେହିପରି, ଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ୨ଶହ କୋଟି ଟଙ୍କାରୁ ଅଧିକ କଳାପଥର ବେଆଇନ ଚାଲାଣ ହୋଇଥିବାର ଅଭିଯୋଗ ହେଉଥିବା ବେଳେ ଗତ ମାସ ୯ତାରିଖରେ ‌ତଦନ୍ତ କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତଦନ୍ତକୁ ଚାପି ରଖି ଭିତିରି ମୂଲଚାଲ ଚାଲିଛି ବୋଲି ଅଭିଯୋଗ ହେଉଛି। ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ପରେ ଏବେ ଏହିଭଳି ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର