ଯାଜପୁର : ରାଜ୍ୟ ଅନ୍ୟତମ ଧନୀ ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ମାମଲାକୁ ନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡିଛନ୍ତି। ରାଜସ୍ବ ବିଭାଗ ରାଜକୋଷ ସୁରକ୍ଷା ରଖିବା ବଦଳରେ କିପରି ବର୍ଷ ବର୍ଷ ଧରି ଲୁଟ୍ ର ବାଟ ଖୋଲିଥିଲା! ତାହାର ପ୍ରମାଣ ଏବେ ବିଛାଖଣ୍ଡି ପାହାଡ଼ର ‌କଳାପଥର କେଳେଙ୍କାରୀର ଭିଜିଲନ୍ସା ଛାନଭିନ୍‌ରୁ ସ୍ପଷ୍ଟ ହୋଇଯାଇଛି। ରାଜସ୍ବ ବିଭାଗ ଅଧିକାରୀ ତଥା ତହସିଲ ଓ ଲିଜଧାରୀଙ୍କ ଅସାଧୁମେଣ୍ଟ ଯୋଗୁଁ କୋଟିକୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି। ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ରୟାଲଟି ହରାଇଛନ୍ତି। ସଂପୃକ୍ତ ଅଧିକାରୀ ବିକାଶକୁ ଢାଲ କରି ପରିବେଶକୁ ଧ୍ବଂସମୁଖକୁ ଠେଲି ଦେଇଛନ୍ତି। ଯାହାକି ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ କରିଥିବା ତଦନ୍ତରେ ସଂପୃକ୍ତ ଅଧିକାରୀ ଓ ଲିଜଧାରୀଙ୍କ କଳା କାରନାମା ପଦାକୁ ଆସିଛି।

Advertisment

ଲଘୁ ଖଣିଜ ସମ୍ପଦ ଖନନ ଓ ପରିବହନ ପାଇଁ ରାଜସ୍ବ, ଖଣି ଓ ପରିବେଶ ବିଭାଗର ଅନୁମୋଦନ ଆବଶ୍ୟକ ଥିବା ବେଳେ ଏଠାରେ ସମସ୍ତ ନିୟମକୁ ଅଧିକାରୀମାନେ ପ୍ରହସନରେ ପରିଣତ କରି ଲଘୁ ଖଣିଜ ଲୁଟ୍‌କୁ ବର୍ଷ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି। ଏପରିକି ତଦନ୍ତ ପରିସରଭୁକ୍ତ ହୋଇଥିବା ୮ଜଣ ଲିଜଧାରୀଙ୍କର ୧୨ଟି ସୈରାତରୁ ମୋଟ ୨ଲକ୍ଷ ୯୩ହଜାର ୧୩୩ଘନମିଟର କଳାପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିଲେ। ତହସିଲର ରିପୋର୍ଟ ଅନୁଯାୟୀ ଏହି ୮ଜଣ ଲିଜଧାରୀ ମାତ୍ର ୨ଲକ୍ଷ ୩୮ହଜାର ୬୦୭ଘନମିଟର ଖନନ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଯାହାକି ଅନୁମତିଠାରୁ ମଧ୍ୟ କମ୍। ମାତ୍ର ଭିଜିଲାନ୍ସ ତଦନ୍ତରେ ଏହି ପରିମାଣ ୬ଲକ୍ଷ ୭୪ହଜାର ୯୫୬ଘନମିଟର। ଏପରିକି ଖାଦାନଗୁଡ଼ିକରେ ପାହାଡ଼ ପାଣି ଭର୍ତ୍ତି ଥିବାରୁ ଅଧିକାଂଶ ବର୍ଷର ଆକଳନ କରାଯାଇନଥିବା ସତ୍ତ୍ବେ ଭିଜିଲାନ୍ସ ଓ ତହସିଲର ମାପଚୁପରେ ଆକାଶ ପାତାଳ ଫରକ ହେଉଛି କିପରି? ରାଜକୋଷ ଲୁଟ୍ ପାଇଁ ଲିଜଧାରୀଙ୍କ ସହିତ ରାଜସ୍ବ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବେ ପଦାରେ ପଡ଼ିଯାଇଛି।

publive-image Khabar India

ବିଛାଖଣ୍ଡି କଳାପଥର କେଳେଙ୍କାରୀରେ ଲୋକାୟୁକ୍ତଙ୍କ ନିର୍ଦେଶରେ ଡାଇରେକ୍ଟର ଅଫ୍ ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଲିଜଧାରୀ ସନ୍ଦୀପ ଚଣ୍ଡକ ଖାଦାନା-୧ରୁ ୧୭,୫୫୦ ଘନମିଟର କଳାପଥର ଖନନ ପାଇଁ ଅନୁମତି ନେଇଥିବା ବେଳେ ମାତ୍ର ୫,୫୩୫ଘନମିଟର
ଖୋଳିଛନ୍ତି ବୋଲି ତହସିଲ ରିପୋର୍ଟ କରିଥିଲେ। ଯାହାକି ଅନୁମତିଠାରୁ କମ୍ ଖୋଳିଛନ୍ତି ବୋଲି ତହସିଲ ଦର୍ଶାଇଥିଲା। ମାତ୍ର ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି ଶ୍ରୀ ଚଣ୍ଡକ ଅନୁମତିଠାରୁ ୧୦,୨୦୬ଘନମିଟର ଅଧିକ ଖନନ କରିଛନ୍ତି। ଯାହାକି ମୋଟ ୨୭,୭୫୬ ଘନମିଟର। ସେହିପରି ଦ୍ବିତୀୟ ଖାଦାନ ପାଇଁ ଶ୍ରୀ ଚଣ୍ଡକ ୧୯,୧୯୨ଘନମିଟର ଖନନ କରିବାକୁ ଅନୁମତି ନେଇଥିବାବେଳେ ତହସିଲ ରିପୋର୍ଟ କରିଥିଲା ୯,୪୪୪ଘନମିଟର କଳାପଥର ‌ଖନନ କରିଛନ୍ତି। ଏଠାରେ ଶ୍ରୀ ଚଣ୍ଡକ ୧ଲକ୍ଷ ୧୯ହଜାର ୬୨ଘନମିଟର ଅଧିକ ଖନନ କରିଛନ୍ତି। ଏହା ସତ୍ତ୍ବେ ବର୍ଷା ଓ ପାହାଡ଼ ପାଣିରେ ଖାଦାନର ବିରାଟ ବିରାଟ ଗହ୍ବର ଭର୍ତ୍ତି ହୋଇଥିବାରୁ ଅଧିକ ମାପଚୁପ ହୋଇପାରିନଥିବା ଭିଜିଲାନ୍ସ ତଦନ୍ତରେ ଦର୍ଶାଇଛନ୍ତି। ଶ୍ରୀ ଚଣ୍ଡକଙ୍କ ଭଳି ଅନ୍ୟ ଜଣେ ଲିଜଧାରୀ ମନଜିତ ଚାୱଲା ୨୧,୧୬୪ଘନମିଟର ଖନନ ପାଇଁ ଅନୁମତି ନେଇଥିବା ବେଳେ ୩୧,୭୨୦ଘନମିଟର ଖନନ କରିଛନ୍ତି ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି। ତହସିଲ ରିପୋର୍ଟ ଅନୁଯାୟୀ ଏଠାରେ ମାତ୍ର ୨୦,୧୦୦ଘନମିଟର ଖନନ ହୋଇଛି। ସେହିପରି ଅମିତ ସେଠୀ ୨୧,୧୯୨ଘନମିଟର ଖନନ ପାଇଁ ଅନୁମତି ନେଇ ୪୩,୭୩୫ ଘନମିଟର ଖନନ କରିଥିବା ଧରାପଡ଼ିଥିବା ବଳେ ତହସିଲ ରିପୋର୍ଟ ୨୦,୧୭୩ଘନମିଟର। ‌

ଜ୍ଞାନରଞ୍ଜନ ମହାପତ୍ର ୪ଟି ସୈରାତ ପାଇଁ ୨୪,୯୯୦ଘନମିଟର, ୨୫,୪୪୦ଘନମିଟର, ୧୨,୫୫୦ଘନମିଟର ଓ ୧୪,୨୪୮ଘନମିଟର ବଦଳରେ ଯଥାକ୍ରମେ ୮୧,୦୪୨ଘନମିଟର, ୪୯,୧୯୭ଘନମିଟର, ୧୬,୫୨୩ ଘନମିଟର ଓ ୧୪୫୦୪ଘନମିଟର ଖୋଳିଛନ୍ତି ବୋଲି ଭିଜିଲାନ୍ସ ରିପୋର୍ଟ କହୁଛି। ଅଥଚ ତହସିଲ ରିପୋର୍ଟ ଅନୁଯାଇ ୧୯,୯୦୦ ଘନମିଟର, ୨୩,୪୦୦ଘନମିଟର, ୧୨,୯୦୦ଘନମିଟର ଓ ୧୯୯୦୦ଘନମିଟର ଖନନ ହୋଇଥିବା ଦର୍ଶାଇଛନ୍ତି। କେବଳ ଶ୍ରୀ ମହାପାତ୍ର ସୈରାତ ନମ୍ବର ୨୨ ଓ ୨୪ ରେ ଅନୁମତିଠାରୁ ଅଧିକ ଖନନ ହୋଇଛି ବୋଲି ତହସିଲ ମଧ୍ୟ ରିପୋର୍ଟ କରିଛି। ସେହିପରି ଧ୍ରୁବାନନ୍ଦ ପ୍ରଧାନ ୧,୦୮,୫୯୭ଘନମିଟର ବଦଳରେ ୮୪ହଜାର ଘନମିଟର ଖନନ କରିଥିବାର ତହସିଲ ଦର୍ଶାଇଥିବା ବେଳେ ୧,୩୪,୬୮୨ଘନମିଟର ଖନନ ‌ହୋଇଛି ବୋଲି ଭିଜିଲାନ୍ସ ରିପୋର୍ଟ କରିଛନ୍ତି।

ଜୟନ୍ତ କୁମାର ଜେନା ୧୪,୬୧୭ଘନମିଟର ଖନନ କରିବାକୁ ଅନୁମତି ପାଇଥିବାବେଳେ ୩୯,୬୦୧ଘନମିଟର ଖୋଳିଛନ୍ତି। ତହସିଲ ରିପୋର୍ଟ ୨୦,୦୭୫ଘନମିଟର ‌ଖୋଳିଛନ୍ତି। ସତ୍ୟସାଇ କନଷ୍ଟ୍ରକସନର ପାଟନର ସୁଶାନ୍ତ ପରିଡ଼ା ୧୧,୧୨୩ଘନମିଟର ଅନୁମତି ନେଇ ୬୫,୦୮୭ଘନମିଟର ଖନନ କରିଛନ୍ତି। ତହସିଲ ରିପୋର୍ଟରେ ମାତ୍ର ୩,୧୮୦ଘନମିଟର ଦର୍ଶାଯାଇଛି। ନିହାର ରଞ୍ଜନ ମାନ୍ଧାତା ୨,୪୫୦ ଘନମିଟର ଖନନ କରିବାକୁ ଅନୁମତି ନେଇ ୩୨,୮୫୫ଘନମିଟର ‌ଖନନ କରିଥିବାର ଭିଜିଲାନ୍ସ ତଦନ୍ତରେ ଧରାପଡ଼ି ପଡିଛି। ମାତ୍ର ତହସିଲରେ ଏହି ୨୦ନମ୍ବର ସୈରାତ ଖନନ ସମ୍ପର୍କରେ ତଥ୍ୟ ନାହିଁ। ।ଏପରିକି ଅଧିକାଂଶ ସୈରାତରେ ପାଣି ଭର୍ତ୍ତି ହୋଇଥିବାରୁ ଅଧିକ ମାପଚୁପ ହୋଇପାରି ନଥିବାର ଭିଜିଲାନ୍ସ ରିପୋର୍ଟରେ ଦର୍ଶାଯାଇଛି। ତେବେ ତହସିଲର ଅଧିକାରୀ କୋଟିକୋଟି ଟଙ୍କାର ରାଜସ୍ବ କ୍ଷତି କରାଇ ସୈରାତ ମାପଚୁପରେ ଏତେ କମ୍ ଖନନ ଦର୍ଶାଇବା କାରଣ କଣ?