ଲଘୁ ଖଣିଜ ମହାଦୁର୍ନୀତି: ଡିଜିପିଏସ୍‌ ସର୍ଭେ ବାବଦ ୧.୮୬କୋଟି ଗଲା କୁଆଡ଼େ?

କିଏ ସତ: ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ନା ଧର୍ମଶାଳା ତହସିଲ ତଥ୍ୟ?

ଯାଜପୁର: ରାଜ୍ୟର ଲଘୁ ଖଣିଜ ସମ୍ପଦ ମହାନୁର୍ଦୀତିର ଗୁମର ଖୋଲିବାରେ ଲାଗିଛି। ଲଘୁ ଖଣିଜ ସମ୍ପଦ ହରିଲୁଟ୍ ରୋକିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି। ଅଥଚ ସରକାରୀ ଯୋଜନା କାଗଜପତ୍ରରେ ସୀମିତ ରହିଯାଇଛି। ଏପରିକି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ଦେଇଥିବା ଉତ୍ତରର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ୨୦୧୯ ନଭେମ୍ବର ପୂର୍ବରୁ ଡିଜିପିଏସ(ଡିଫରେନ୍ସିଆଲ୍ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍) ସର୍ଭେ ବାବଦରେ ୧କୋଟି ୮୬ଲକ୍ଷ ଟଙ୍କା ଓ ଲଘୁ ଖଣିଜ ସମ୍ପଦ ଚୋରି ଓ ବେଆଇନ୍ କାରବାର ରୋକିବା ବାବଦରେ ୯କୋଟି ୬୩ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରିଥିବା କହିଛନ୍ତି। ଅଥଚ ରାଜ୍ୟର ସବୁଠାରୁ ଧନୀ ଧର୍ମଶାଳା ତହସିଲରେ କୌଣସି ଡିଜିପିଏସ ସର୍ଭେ ହୋଇନଥିବାର ତହସିଲ ସ୍ବୀକାର କରିଛି। ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରକୁ ଯୋଜନାବଦ୍ଧ ଭାବେ ଏକ ଅସାଧୁଗୋଷ୍ଠୀ ନିୟନ୍ତ୍ରଣ କରୁଥିବା ସ୍ପଷ୍ଟ ହେବାରେ ଲାଗିଛି।

ପ୍ରକାଶ ଥାଉକି ୨୦୧୯ ନଭେମ୍ବର ୨୦ତାରିଖରେ ବିଧାନସଭାର ମୁଲତବି ପ୍ରସ୍ତାବରେ ବିଧାୟକ ବିଷ୍ଣୁ ଚରଣ ସେଠୀ, ସୁକାନ୍ତ ନାୟକ, ଡକ୍ଟର ମୁକେଶ ମହାଲିଙ୍ଗ ଓ ମୋହନ ମାଝିଙ୍କ ଦ୍ବାରା ଲଘୁ ଖଣିଜ ସମ୍ପଦର ବେଆଇନ୍ କାରବାର ଓ ଧର୍ମଶାଳାର ଡଙ୍କାରୀ ପାହାଡ଼ ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସରକାରଙ୍କର କାର୍ଯ୍ୟାନୁଷ୍ଠାନ ଉପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ଯେ, ଲଘୁ ଖଣିଜ ସମ୍ପଦର ଚୋରି ଓ ବେଆଇନ୍ କାରବାର ରୋକିବା ପାଇଁ ଖାଦାନ ଗୁଡ଼ିକରେ ଖୁଣ୍ଟ ପୋତାଯାଇଛି। ଓଆରସାକ୍ ଦ୍ବାରା ଡିଜିପିଏସ ସର୍ଭେ କରାଯାଇଛି। ଏହି ବାବଦରେ ୧କୋଟି ୮୬ଲକ୍ଷ ଟଙ୍କା ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ୮ଜଣ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି‌ ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ଅଥଚ ଧର୍ମଶାଳା ତହସିଲର ଚିିଠି ନମ୍ବର ୧୨୮ ତାରିଖ ୭.୦୫.୨୦ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଦେଇଥିବା ଉତ୍ତରରେ ସ୍ପଷ୍ଟ ହୋଇଛି ଓରସାକ୍‌ ଦ୍ବାରା କୌଣସି ଡିଜିପିଏସ୍ ସର୍ଭେ ହୋଇନାହିଁ। ତେବେ ଏହି ଡିଜିପିଏସ୍‌ ସର୍ଭେ ଅର୍ଥ ଗଲା କୁଆଡ଼େ? ସେହିପରି ବେଆଇନ୍ ଓ ଚୋରା କାରବାର ରୋକିବା ପାଇଁ ଏନ୍‌ଫୋର୍ସମେଣ୍ଟ ବାବଦରେ ୨୦୧୮-୧୯ ଓ ୨୦୧୯-୨୦ରେ ମୋଟ ୯କୋଟି ୬୩ଲକ୍ଷ ୬୮ହଜାର ୫ଶହ ଟଙ୍କା ବ୍ୟୟ କରାଯାଇଛି। ସେଥି ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ରାଜ୍ୟର ସର୍ବାଧିକ ଚୋରା ଓ ବେଆଇନ୍ କାରବାର ଧର୍ମଶାଳା ତହସିଲ ଅଞ୍ଚଳର ହେଉଥିବା ବେଳେ ପ୍ରଶାସନ କିପରି ସରକାରଙ୍କୁ ଭୁଆଁ ବୁଲାଇଛି! ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଏପରିକି ଖାଦାନଗୁଡ଼ିକରେ ଖୁଣ୍ଟ ପୋତିବା ଦୁର୍ନୀତି ମାମଲା ଲୋକାୟୁକ୍ତରେ ବିଚାରଧୀନ ରହିଛି। ଯେଉଁଥିରେ ଜିଲ୍ଲାପାଳ ନିଜେ ହାଜର ହୋଇ ଉତ୍ତର ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ ସୂତ୍ରରୁ ଜଣାପଡିଛି ଡିଜିପିଏସ୍‌ ସର୍ଭେ ନକରିବା ପାଇଁ କେତେକ ଲିଜଧାରୀ ବ୍ୟାପକ ଅର୍ଥ ବ୍ୟୟ କରି ଫାଇଲ୍‌ ଚାପି ଦେଇଛନ୍ତି। ଏହି ସର୍ଭେ ହୋଇଥିଲେ ଲଘୁ ଖଣିଜ ସମ୍ପଦ ଲୁଟ୍‌ରେ ରୋକ ଲାଗିଥାନ୍ତା। ଲିଜଧାରୀ ମନଇଚ୍ଛା ଖଣିଖାଦାନ ଖୋଳି ଚୋରାରେ ବିକ୍ରି କରି ଶହ ଶହ କୋଟି ଟଙ୍କା ମୁନାଫା କରିବାକୁ ସୁଯୋଗ ପାଇନଥାନ୍ତେ। ଡିଜିପିଏସ୍‌ ସର୍ଭେ ନକରି ପୁଣି ନିଲାମ କରିବାକୁ ରାଜସ୍ବ ବିଭାଗ ଆଗଭର ହେଉଛି। ଯାହାକି ପରିବେଶ ଧ୍ବଂସ ସହିତ କୋଟି କୋଟି ଟଙ୍କା ଲଘୁ ଖଣିଜ ସମ୍ପଦ ଲୁଟ୍‌ର ବାଟି ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର