ନିୟମ, ଟିକସ, ପରିବହନକୁ ନେଇ ଖଣି ଶିଳ୍ପ ଚିନ୍ତିତ

ଭୁବନେଶ୍ବର : ଖଣି ଲିଜ୍ ମିଳିବାର ପ୍ରଥମ ଦୁଇ ବର୍ଷ ପର୍ଯ୍ୟନ୍ତ ‘ଉତ୍ପାଦନ ଶୂନ’ ରହିବ। ଏହି ନିୟମକୁ ନେଇ ଖଣି ଶିଳ୍ପ ଗଭୀର ଚିନ୍ତା ପ୍ରକଟ କରିଛି। ଖଣି ଶିଳ୍ପର ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଇସ୍ପାତ ଓ ଖଣି କମିଟିର ସଂଯୋଜକ ମନିଷ ଖରବନ୍ଦା କହିଛନ୍ତି, ନିୟମ ରହିଛି ଯେ ଖଣି ଲିଜ୍ ମିଳିବାର ପ୍ରଥମ ଦୁଇ ବର୍ଷ ଉତ୍ପାଦନ ସମ୍ପୂର୍ଣ୍ଣ ଶୂନ ରହିବ। ଏହା ପରେ ତାହା ପର୍ଯ୍ୟାୟକ୍ରମେ ୩୦%, ୪୫%, ୫୫% ଓ ୬୦%କୁ ବୃଦ୍ଧି ପାଇବ। ଏହି ସ୍ତର ହାସଲ କରିବା ଲାଗି ୬ ବର୍ଷ ସମୟ ଲାଗିଯିବ। ସମ୍ପୂର୍ଣ୍ଣ ନୂଆ ଖଣି କ୍ଷେତ୍ରରେ ଏହି ନିୟମ ଲାଗୁ କରିବା ଯୁକ୍ତିଯୁକ୍ତ ମନେ ହେଉଛି। କିନ୍ତୁ ଯେଉଁ ଖଣି କାର୍ଯ୍ୟକ୍ଷମ ରହିଛି ସେଥିପାଇଁ ଏହି ନିୟମ ଲାଗୁ କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ସେ କହିଲେ, ଖଣି ନିଲାମ ହେବା ପରେ ଯେଉଁ କଂପାନି ନୂତନ ଭାବେ ଖଣି ପାଇବ ତାହାକୁ ପ୍ରଥମେ ‌‘ଲେଟର ଅଫ୍‌ ଇଣ୍ଟେଣ୍ଡ୍‌’ ମିଳିବ। ଖଣି ଲିଜ୍ ମିଳିବ ନାହିଁ। ପରିବେଶ ଓ ଜଙ୍ଗଲ ଅନୁମତି ହାସଲ କରିବା ପରେ ହିଁ ଖଣି ଲିଜ୍ ମିଳିବ। ଏହାର ପରବର୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଣି ବିନା ଉତ୍ପାଦନରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କୋଇଲା ବ୍ଲକ୍ ଯେଉଁ ନିୟମରେ ନିଲାମ କରାଯାଉଛି ସେହି ନିୟମକୁ ଅଣ-କୋଇଲା ଖଣି ପାଇଁ ମଧ୍ୟ ଲାଗୁ କରିବାକୁ ସେ ଦାବି ଦେଇଛନ୍ତି। କୋଇଲା ଖଣି ନିଲାମରେ ଆବେଦନକାରୀଙ୍କ ଆବଶ୍ୟକତାକୁ ବିଚାରକୁ ନିଆଯାଉଛି। ଅଣ-କୋଇଲା ଖଣିରେ ସେଥିପ୍ରତି ଧ୍ୟାନ ଦିଆଯାଇନାହିଁ। ଏଭଳି ହେଲେ କୋଇଲା ବ୍ୟତୀତ ଅନ୍ୟ ଖଣିଗୁଡ଼ିକ ଏଭଳି କିଛି ସଂସ୍ଥାକୁ ମିଳିଯିବ ଯେଉଁମାନେ ମନଇଛା ସେଥିରୁ ଖଣିଜ ଉତ୍ତୋଳନ କରିବେ। ଖଣିଜ ପଦାର୍ଥକୁ ମହଜୁଦ ରଖିବେ। ଏହା ଦ୍ବାରା କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇପାରନ୍ତି ବୋଲି ଶ୍ରୀ ଖରବନ୍ଦା କହିଛନ୍ତି।

ଖଣି ଶିଳ୍ପରେ ଅତ୍ୟଧିକ ଟିକସ ବିଷୟରେ ମଧ୍ୟ ସେ ଧ୍ୟାନ ଆକର୍ଷଣ କରିଛନ୍ତି। ଖଣି ଶିଳ୍ପ ପାଇଁ ଜିଏସ୍‌ଟି ଢାଞ୍ଚାରେ ଟିକସ ବ୍ୟବସ୍ଥା ଲାଗୁ କରିବାକୁ ସେ ଦାବି କରିଛନ୍ତି। ଖଣିଜ ପରିବହନ ଉପରେ ସେ କହିଛନ୍ତି ଯେ, ତାଳଚେର-ବିମଳାଗଡ଼, ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ରେଳ ଲାଇନ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ହେବ। ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାରିବା ଲାଗି ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କ ସହ ପୃଥକ ଆଲୋଚନା କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର