ରାଇରଙ୍ଗପୁର: ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ଧରୁନି। ମାସକୁ ୧୦ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ୫ରୁ ଅଧିକ ଜୀବନ ମଧ୍ୟ ଯାଉଛି। ତେବେ ଆଜି ମଧ୍ୟ ଏକ ଦୂର୍ଘଟଣା ଘଟିଛି।

Advertisment

ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ହଳଦୀପୋଖରୀରୁ ବାହାଘରର ଯୌତୁକ ସାମଗ୍ରୀ ନେଇ ମିନି ଟ୍ରକ୍ (ଜେଏଚ୍-୦୫ସି-୧୪୧୭)ଟି କରଂଜିଆ ଥାନା ଅର୍ନ୍ତଗତ ଚଢେଇଭୋଳକୁ ଯାଉଥିବା ସମୟରେ ବାରିପଦା ନିକଟସ୍ଥ କୁଚେଇ ଅଂଚଳର ଏକ ପିକଅପ୍ (ଓଡି-୧୧-ଏସ-୩୫୭୮) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଯାନ ରାସ୍ତାର ୧୦ ଫୁଟ୍ ତଳକୁ ଖସିପଡ଼ିଥିଲେ। ସେଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ।

ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଂଚି ଗୁରୁତରଙ୍କୁ ଉଦ୍ଦାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଗୁରୁତରମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ହଳଦୀପୋଖରୀର ସେକ୍ ଜିଆଉଲ୍ (୨୫), ମଞୁର୍ ଆଲାମ୍(୨୩), ରାଜାହୁଲ୍ ହକ୍(୩୯) ଓ କୁଚେଇର ବିଶୁ ମୁର୍ମୁ(୨୭) ବୋଲି ସୂଚନା ମଳିଛି। ରାଇରଙ୍ଗପୁର ଟାଉନ ଥାନା ପୁଲିସ୍ ଉଭୟ ଯାନକୁ ଜବତ କରି ଏକ ମାମଲା ରୁଜୁ କରି ଗଟଣାର ଅଧିକ ତଦନ୍ତ ଜାରି ରଖିଛି।