ନବରଙ୍ଗପୁର: କୋଡିଗାଁ ଥାନା ଅନ୍ତର୍ଗତ ଡଙ୍ଗାପୋଖନା ନିକଟରେ ଆଜି ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ଗାଡି ଓଲଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଚାଉଳ ପରିବହନ କରୁଥିବା ବ୍ୟକ୍ତି ନବରଙ୍ଗପୁରରୁ ୯୦ କୁଇଣ୍ଟାଲ (୧୮୦ ପ୍ୟାକେଟ) ଚାଉଳ ଉଠାଇ କୋଷାଗୁମୁଡା ବ୍ଲକର ବି.ଏମ.ସେମଲା ପଞ୍ଚାୟତର ଝାଡସେମଲା, ହଳଦି ପୋକନା, ବାଗୁଡା ଆଦି ସ୍କୁଲକୁ ଦେବା ପାଇଁ ଏକ ମିନିଟ୍ରକ (ଓଡି ୧୦ ଏମ ୭୧୦୮)ରେ ବୋଝେଇ ହୋଇ ଯାଉଥିଲା। କୋଡିଗାଁ-ଦୁରାଗାଁ ରାସ୍ତାର ଡଙ୍ଗାପୋଖନା ନିକଟରେ ଏକ ବୁଲାଣିଆ ସ୍ଥାନରେ ଗାଡି ଅଣାୟତ୍ତ ହୋଇ ଗାଡିଟି ଉଲଟିପଡିଥିଲା। ଗାଡିର ପଛ ପଟେ ବସିଥିବା ୨ ଜଣ ଶ୍ରମିକ ରାସ୍ତା କଡରେ ଛିଟିକି ପଡିଥିଲେ। ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଗାଡିର କାଚ ଭାଙ୍ଗି ପଦାକୁ ଆସିଥିଲେ। ଘଟଣାସ୍ଥଳରେ ଏହି ୨ ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ଜଣାପଡିଛି।
ଉକ୍ତ ଶ୍ରମିକ ୨ ଜଣ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡା ଗ୍ରାମର ନବ ହରୀଜନ ଓ ସରାଦୁ ଭତରା ବୋଲି ଜଣାପଡିଛି। ଖବର ପାଇ କୋଡିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଡାକ୍ତର ଉକ୍ତ ୨ଜଣ ଶ୍ରମିକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କୋଡିଗାଁ ଥାନା ଅଧିକାରୀ ସରିତା ମହାପାତ୍ର ଡାକ୍ତର ଖାନାକୁ ଯାଇ ମୃତକ ୨ ଜଣ ଶ୍ରମିକଙ୍କ ଶବ ବ୍ୟବଛେଦ କରାଇଥିଲେ। ରାସ୍ତାରେ ପଡିଥିବା ଚାଉଳ ଓ ଗାଡିକୁ ଉଦ୍ଧାର କରି ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/mid-day-meal-vehicle-accident21_Thumb.jpg)