ପାତ୍ରପୁର : ଗଞ୍ଜାମ-ଗଜପତି ସୀମାନ୍ତ ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆବସା ମାଙ୍କଡ଼ଡିଆଁ ନିକଟ କାନକଟା ଘାଟିରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୨ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି।

Advertisment

ମୃତକଙ୍କ ମଧ୍ୟରୁ ଜଣେ ମୋହନା ବ୍ଲକ୍‌ ଶିକୁଳିପଦର ଗ୍ରାମର ସରସ୍ୱତୀ ବାଗସିଂ (୧୬) ଓ ଦିଗପହଣ୍ଡି ବ୍ଲକ୍‌ ଭ୍ରମରପୁର ପଞ୍ଚାୟତ ଅରଖପଦା ଗ୍ରାମର ସୁମତି ଶବର (୨୮)। ଆହତ ଈପ୍‌ସିତା ବଳିଆରସିଂ(୫), ଟୁନା ବିଷୋୟୀ(୩୦), ଅନିତା ଶବର (୩୦), ବାବୁଲା ଶବର(୩୦), ଜାହ୍ନକୀ ଦଳେଇ (୫୫), ହେମ ଦଳେଇ (୬୦), ପାର୍ବତୀ ନାୟକ (୬୫) ଓ ନମିତା ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି, ଆହତ ଶ୍ରୀୟା ପାଇକ, ଟୁନି ଗୌଡ଼, ଶକୁନ୍ତଳା ଭୂୟାଁ, ଶିବାଜୀ ଭୂୟାଁ ଓ ସୁଲୋଚନା ବଡ଼ମୁଣ୍ଡି ପ୍ରମୁଖଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଗଜପତି ଜିଲ୍ଲା ରାୟଗଡ଼ରୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ବୁରାତାଲକୁ ଘରୋଇ ମିନିବସ୍‌(ଓଆର୍୦୨ବିବି ୯୭୭୭) ଫେରୁଥିବା ବେଳେ କାନକଟା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଖାରିଆଗୁଡ଼ା ଫାଣ୍ଡି ପୁଲିସ୍ ଓ ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ଡ୍ରାଇଭର୍ ଓ ହେଲପର୍ ଫେରାର୍ ହୋଇଯାଇଥିବା ବେଳେ ଜରଡ଼ା ଓ ଖାରିଆଗୁଡ଼ା ଫାଣ୍ଡି ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଳ ଚନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି। ଜରଡା ଥାନା ଅଧିକାରୀ ସୁନୀଲ କୁମାର ବେହେରା ଉପସ୍ଥିତ ଥିଲେ।