ରାଉରକେଲା : ଓଡ଼ିଶାର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀଙ୍କୁ ଦିଆଯାଉଛି ସର୍ବନିମ୍ନ ଅର୍ଥ ଆଲାଉନ୍ସ। ଏମିତିକି, ଏହି ଅର୍ଥ ପଡ଼ୋଶୀ ଝାଡ଼ଖଣ୍ଡଠାରୁ ବି କମ୍। ଏହି ଅର୍ଥରେ ଖାଦ୍ୟ ଗ୍ରହଣ କଲେ, ଜଣେ ଅପପୁଷ୍ଟିର ଶିକାର ହେବା ଥୟ। ଏପରିସ୍ଥଳେ, ସରକାରୀ ସ୍ତରରେ ରାଜ୍ୟରେ ଖେଳ ଓ ଖେଳାଳୀଙ୍କୁ ଉପଯୁକ୍ତ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଓଡ଼ିଶାରୁ କିଭଳି ଅନ୍ତର୍ଜାତୀୟ ଖେଳ ତାରକା ସୃଷ୍ଟି ହେବେ, ତାହା ଏବେ ପ୍ରଶ୍ନଘେରରେ।
ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ କ୍ରୀଡ଼ା ଛାତ୍ରାବାସରେ ଖାଦ୍ୟ ପାଇଁ ମୁଣ୍ଡପିଛା ଦୈନିକ ମାତ୍ର ୧୬୦ ଟଙ୍କା ଦିଆ ଯାଉଛି। ହେଲେ ଛାଡ଼ଖଣ୍ଡରେ ଥିବା ୧୦ଟି ଆବାସିକ ହକି ଛାତ୍ରାବାସରେ ପିଲାଙ୍କୁ ଦୈନିକ ଖାଦ୍ୟ ପାଇଁ ୧୮୦ ଟଙ୍କା ଦିଆ ଯାଉଛି। ଅନ୍ୟ ଆଗୁଆ ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ଆହୁରି ଆଗରେ ଅଛନ୍ତି। ଉତ୍ତରପ୍ରଦେଶରେ ଛାତ୍ରାବାସର ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଏବେଯାଏ ଦିଆ ଯାଉଥିଲା ୨୫୦ ଟଙ୍କା। ସେଠା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଖାଦ୍ୟ ଆଲାଉନ୍ସକୁ ବଢ଼ାଇ ୩୭୫ ଟଙ୍କା କରିବାଲାଗି ନିକଟରେ ଘୋଷଣା କରିଛନ୍ତି। ସୁନ୍ଦରଗଡ଼ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର କ୍ରୀଡ଼ା ଛାତ୍ରାବାସ ଅଛି। ସେଠାରେ ଖେଳାଳି ଛାତ୍ରଙ୍କୁ ଖାଦ୍ୟ ବାବଦରେ ଦୈନିକ ୨୫୦ ଟଙ୍କା ଦିଆ ଯାଉଛି। ଭୁବନେଶ୍ବରରେ ‘ସାଇର ଜାତୀୟ ଉତ୍କର୍ଷ କେନ୍ଦ୍ର (ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସେଲେନ୍ସ)ରେ ସିନିୟର୍ ପିଲାଙ୍କୁ ପ୍ରତିଦିନ ୩୭୫ ଟଙ୍କାର ଖାଦ୍ୟ ଦିଆ ଯାଉଥିବାବେଳେ ସେହି ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କର ସିନିୟର କ୍ରୀଡ଼ା ଛାତ୍ରାବାସରେ ପିଲାଙ୍କୁ ଏଥିପାଇଁ ଦିଆ ଯାଉଛି ମାତ୍ର ୧୮୦ ଟଙ୍କା, ଅର୍ଥାତ୍ ଅଧାରୁ ମଧ୍ୟ କମ୍! କିଛିବର୍ଷ ପୂର୍ବରୁ ମଧ୍ୟପ୍ରଦେଶକୁ କ୍ରୀଡ଼ା ଦୃଷ୍ଟିରୁ ଏକ ପଛୁଆ ରାଜ୍ୟ ଭାବେ ଗଣା ଯାଉଥିଲା। ତାଙ୍କ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାପାଇଁ ସ୍ଥିର କରି ତଳସ୍ତରରୁ କାମ ଆରମ୍ଭ କଲେ। ରାଜ୍ୟର ଗ୍ବାଲିୟର୍ ଓ ଭୋପାଳରେ କ୍ରୀଡ଼ା ଏକାଡ଼େମି ସ୍ଥାପନ କଲେ। ଏହି ଦୁଇ ଏକାଡ଼େମିରେ ପିଲାମାନଙ୍କୁ ପ୍ରତିଦିନ ଖାଦ୍ୟ ପାଇଁ ୫୫୦ ଟଙ୍କା ଦିଆ ଯାଉଛି। ବର୍ତ୍ତମାନରେ ମଧ୍ୟପ୍ରଦେଶ ହକି ଏକାଡ଼େମି ଦେଶର ଏକ ଶ୍ରେଷ୍ଠ ଏକାଡ଼େମି ଭାବେ ପରିଗଣିତ ହେଉଛି।
ଉଲ୍ଲେଖଯୋଗ୍ୟ ଯେ ରାଉରକେଲାରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ଦ୍ବାରା ସ୍ଥାପିତ ହକି ପ୍ରଶିକ୍ଷଣ ସଂସ୍ଥା ‘ସେଲ୍ ହକି ଏକାଡ଼େମି ରହିଛି। ଏଠାରେ ମଧ୍ୟ ଜୁନିୟର ସ୍ତରର ପିଲାଙ୍କର ଦୈନିକ ଖାଦ୍ୟ ଆଲାଉନ୍ସ ୨୪୦ ଟଙ୍କା ରହିଛି।
ଓଡ଼ିଶା ରାଜ୍ୟ ସରକାରଙ୍କର କ୍ରୀଡ଼ା ଛାତ୍ରାବାସଗୁଡ଼ିକରେ ୨୦୧୨ ପୂର୍ବରୁ ଖାଦ୍ୟ ପାଇଁ ମୁଣ୍ଡ ପିଛା ୧୦୦ ଟଙ୍କା ଦିଆ ଯାଉଥିଲା। ୨୦୧୨ରେ ଏହାକୁ ବୃଦ୍ଧି କରି ୧୨୫ ଟଙ୍କା ଓ ୨୦୧୭ରେ ପୁଣି ତାହାକୁ ବଢ଼ାଇ ଜୁନିୟରଙ୍କ ପାଇଁ ୧୬୦ ଓ ସିନିୟରଙ୍କ ପାଇଁ ୧୮୦ ଟଙ୍କା କରା ଯାଇଛି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଏହା ଯଥେଷ୍ଟ କମ୍। କ୍ରୀଡ଼ା ସହିତ ଘନିଷ୍ଠ ଭାବେ ଜଡ଼ିତ ପ୍ରଶିକ୍ଷକମାନଙ୍କ ମତରେ, ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଭଲ କ୍ରୀଡ଼ା ଉପକରଣ ଓ ପଡ଼ିଆ ସହ ପୁଷ୍ଟିକର ଖାଦ୍ୟ ଅତି ଆବଶ୍ୟକ। ଜଣେ ଯୁବ କ୍ରୀଡ଼ାବିତ୍ ଦିନକୁ ଅତିକମ୍ ୧୮୦୦ କ୍ୟାଲୋରି କରନ୍ତି। ବର୍ତ୍ତମାନ ଖାଇବା ଜିନିଷ, ପନିପରିବାର ଦର ଯାହା ଅଛି, ସେହି ଅନୁସାରେ ରାଜ୍ୟର କ୍ରୀଡ଼ା ଛାତ୍ରାବାସରେ ପିଲାମାନଙ୍କୁ ଅତିକମ୍ରେ ୨୫୦ ଟଙ୍କା ଖାଦ୍ୟ ଆଲାଉନ୍ସ ଦେବା ଦରକାର ବୋଲି ନିଜ ପରିଚୟ ଗୋପନ ରଖିବାକୁ ଅନୁରୋଧ କରି ଅନେକ କୋଚ୍ ଓ ପୂର୍ବତନ ଖେଳାଳି ମତ ଦିଅନ୍ତି, ଯଦିଓ ସେତିକି ରାଶି ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ହେବ। ଏପରିକି ରାଜ୍ୟର ବିଭିନ୍ନ କ୍ରୀଡ଼ା ଛାତ୍ରାବାସ ସହ ଜଡ଼ିତ ପ୍ରଶିକ୍ଷକ ଓ ମୁଖ୍ୟମାନେ ମଧ୍ୟ ସମାନ ମତ ଦିଅନ୍ତି। ତେବେ, ଏ ସଂପର୍କରେ କିଛି କ୍ରୀଡ଼ା ଛାତ୍ରାବାସର ମୁଖ୍ୟମାନେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ ଏଯାଏ କିଛି ସୁଫଳ ମିଳିନାହିଁ।