ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଗାଁର ଏକ ପଡ଼ା ହଳଦୀବାହାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୬୦ ଆସନ ବିଶିଷ୍ଟ ଏକ ଛାତ୍ରାବାସ ନିର୍ମାଣ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ରୁ ଯୋଗାଇ ଦିଆଯାଇଛି ୩.୭ କୋଟି ଟଙ୍କା। ୨୦୨୩-୨୪ ଆର୍ଥିକ ବର୍ଷ‌ରେ ଅନୁମୋଦିତ ଏହି କୋଠାର ଏବେ ନିଅଁ କାମ ଚାଲିଛି। ଶେଷ ହେବାକୁ ବ‌ର୍ଷେରୁ ଦେଢ଼ବର୍ଷ ସମୟ ଲାଗିଯିବ। ଏଥିରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ରହି ପାଠ ପଢ଼ିବେ। କିନ୍ତୁ ଛାତ୍ରାବାସଟି ପିଲାଙ୍କ ଉପଯୋଗରେ ଆସିବ ନାହିଁ। କାରଣ ଏହି ପଡ଼ା ମହାନଦୀ ଖୋଲାମୁହଁ ‌କୋଇଲା ଖଣି ଅଞ୍ଚଳରେ ଆସୁଥିବାବେଳେ ଗାଁ ଜମି ଅଧିଗ୍ରହଣ ହୋଇସାରିଛି। ବିସ୍ଥାପିତ ହେବାକୁ ଥିବା ପରିବାର ଜମି ଓ ଘରର କ୍ଷତିପୂରଣ ପାଇସାରିଛନ୍ତି। କେବଳ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ମିଳିବାକୁ ଥିବା ବର୍ଦ୍ଧିତ କ୍ଷତିପୂରଣ ରାଶିକୁ ଅପେକ୍ଷା। ଏହା ପାଇବା ପରେ ବର୍ଷକ ମଧ୍ୟରେ ଲୋକେ ଗାଁ ଛାଡ଼ି ପୁନର୍ବାସ ଓ ଥଇଥାନ କଲୋନିକୁ ଚାଲିଯିବେ। ଏହା ପରେ ଗାଁ ଖଣି ଗର୍ଭକୁ ଚାଲିଯିବ। ଏସବୁ ଜାଣି ମଧ୍ୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୩ କୋଟି ବ୍ୟୟରେ ଏଠାରେ ଛାତ୍ରାବାସ ନିର୍ମାଣ କରାଯିବା ନେଇ ପ୍ରଶ୍ନ ଉଠିଛି। ଏହା ଗାଁ ପିଲାଙ୍କ ପାଇଁ ନୁହେଁ,  ଠିକାଦାର ଓ ଅଧିକାରୀଙ୍କ ପାଇଁ ନିର୍ମାଣ ଚାଲିଥିବା ଲୋକେ ସିଧାସଳଖ ଅଭିଯୋଗ କରିବା ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅପବ୍ୟୟର ଏକ ବଡ଼ ନମୁନା ବୋଲି କହିଛନ୍ତି। 

Advertisment

ପାଣ୍ଠି ଅପବ୍ୟୟକୁ ନେଇ ଘେରିଲେ ଗ୍ରାମବାସୀ 
ଫଟୋ ଓ ଭିଡିଓ ଉଠାଇବା ପାଇଁ ଖର୍ଚ୍ଚ ୮୦ ଲକ୍ଷ

ପୂର୍ବରୁ ୨୦୨୨ରେ ଏହି ପଞ୍ଚାୟତର ପତ୍ରପାଲି ଗାଁ ମୁଣ୍ଡା ପୋଖରୀର ପୁନରୁଦ୍ଧାର ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କୋଇଲା ଖଣିରେ ପୋଖରୀ ଜମି ଅଧିଗ୍ରହଣ ହୋଇସାରିଥିବା ଦର୍ଶାଇ ତାକୁ ବାତିଲ କରିଦେଇଥିଲା ପ୍ରଶାସନ। ଏମିତିକି ଗାଁରେ ପାଣି ସମସ୍ୟା ଥିଲେ ମଧ୍ୟ ଅଣଦେଖା କରିଥିଲେ କର୍ତ୍ତୃପକ୍ଷ। ଲୋକଙ୍କ ପାଇଁ ଅତି ଆବଶ୍ୟକ ଥିବା ଅସ୍ଥାୟୀ ପ୍ରକଳ୍ପକୁ ନା କରିଥିବା ପ୍ରଶାସନ ଏବେ ସେହି ପଞ୍ଚାୟତରେ ୩ କୋଟିର ସ୍ଥାୟୀ ପ୍ରକଳ୍ପ ଛାତ୍ରାବାସ କୋଠା ନିର୍ମାଣ କରୁଛି କେମିତି ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ। ବିଗତ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନାମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବ୍ୟାପକ ଅପବ୍ୟୟ, ଦୁରୁପଯୋଗ ଅଭିଯୋଗ ହୋଇଥିଲା। ପାଣ୍ଠି ଅପବ୍ୟବହାର ଅଭିଯୋଗ ମଧ୍ୟରେ ପ୍ରତିଷ୍ଠାନ ପରିଚାଳନା ପାଇଁ ବହିଃଉତ୍ସ ସଂସ୍ଥା ‘ଇଆଣ୍ଡୱାଇ’ ପରେ ଚଳିତ ମାସରେ ଏହାର ସହଯୋଗୀ ସଂସ୍ଥା ‘ଓମ୍‌ କମ୍ୟୁନିକେସନ’ର ନିଯୁକ୍ତି ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ସଂସ୍ଥାକୁ କେବଳ ଫଟୋ, ଭିଡିଓ ଉଠାଇବା ଓ ଦସ୍ତାବିଜ ପ୍ରସ୍ତୁତ କରିବାକୁ ବାର୍ଷିକ ୮୦ ଲକ୍ଷ ଟଙ୍କା ଦିଆଯିବ। ଡିଏମ୍‌ଏଫ୍‌ ପାଣ୍ଠିର ଏ ଦୁରୁପଯୋଗ ରୋକାଯିବାକୁ ଖଣି ବିସ୍ଥାପିତ ଓ ପ୍ରଭାବିତଙ୍କ ପାଇଁ ଲଢ଼ୁଥିବା ଜନଶକ୍ତି ବିକାଶ ପରିଷଦ ଦାବି କରିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ କହିଛନ୍ତି ଯେ ଗାଁ ଜମି ଯଦି ଅଧିଗ୍ରହଣ ହୋଇସାରିଛି ତେବେ ସେଠାରେ ଛାତ୍ରାବାସ କୋଠା ନିର୍ମାଣର ଆବଶ୍ୟକତା ନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ।