ଭୁବନେଶ୍ବର: କଳାଧନ ତଥା ବେଆଇନ ଅର୍ଥ କାରବାର ସଂକ୍ରାନ୍ତୀୟ ମାମଲାର ତଦନ୍ତଭାର ମୁଣ୍ଡାଇଥିବା ଅଧିକାରୀ ନିଜେ କଳାଧନ ସଂଗ୍ରହ ବେଳେ ସିବିଆଇ ହାବୁଡ଼ରେ ପଡ଼ି ଜେଲ୍‌ ଯାଇଛନ୍ତି। ଡରାଇ, ଧମକାଇ ଜଣେ ଖଣି ବ୍ୟବସାୟୀଙ୍କଠାରୁ ଲାଞ୍ଚ ବାବଦରେ ୫କୋଟି ଟଙ୍କା ଆଦାୟ ମସୁଧା କରୁଥିବା ବେଳେ ସିବିଆଇ ଏହି ଅଧିକାରୀଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏହା ହେଉଛି ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ କଳା କାରନାମାର କାହାଣୀ। ଗତକାଲି ସିବିଆଇ ଶ୍ରୀ ରଘୁବଂଶୀ ଓ ତାଙ୍କ ଲାଞ୍ଚ କାରବାରର ଡାହାଣ ହାତ ତଥା ମଧ୍ୟସ୍ଥ ଭକ୍ତି ବିନୋଦ ବେହେରାଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଜୁନ୍‌ ୪ ତାରିଖ ସୁଦ୍ଧା ସିଡି ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଲାଞ୍ଚ ନେବା ଅଭିଯୋଗରେ ଜଣେ ଇଡି ଅଧିକାରୀ ଗିରଫ ହେବା ଘଟଣା ସଂପ୍ରତି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ଅଭିଯୋଗକାରୀ ଖଣିମାଲିକ ରତିକାନ୍ତ ରାଉତଙ୍କ ଏତଲା ଅନୁସାରେ ୨୦୨୪ ମସିହାରେ ତାଙ୍କୁ ଇଡି ସମନ କରିଥିଲା। ଢେଙ୍କାନାଳସ୍ଥିତ ତାଙ୍କ ପଥରଖାଦାନ ଓ କ୍ରସର୍‌ କାରବାରରେ ଅନିୟମିତତା ଥିବା ଇଡି ମାମଲା ରୁଜୁ କରିଥିଲା। ଏହାପରେ ୨୦୨୫ ଜାନୁଆରି ୮ରେ ଇଡି ପକ୍ଷରୁ ଏକକାଳୀନ ୧୪ ସ୍ଥାନରେ ଚଢ଼ଉ କରାଯାଇଥିଲା। ଶ୍ରୀ ରାଉତଙ୍କ ଘର, ଅଫିସ, ସମ୍ପର୍କୀୟଙ୍କ ଘର ସହ ବିଭିନ୍ନ ସ୍ଥାନରେ ଇଡି ରେଡ୍‌ କରିଥିଲା। ଏହି ମାମଲାରେ ୨୦୨୫ ମାର୍ଚ୍ଚରେ ପୁଣି ଇଡି ତାଙ୍କୁ ସମନ କରିଥିଲା। ସେହିଦିନ ହିଁ ଇଡି କାର୍ଯ୍ୟାଳୟରେ ଖଣି ବ୍ୟବସାୟୀ ଶ୍ରୀ ରାଉତ ଓ ମଧ୍ୟସ୍ଥ ଭକ୍ତି ବେହେରାଙ୍କ ମଧ୍ୟରେ ଭେଟ ହୋଇଥିଲା। ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀଙ୍କ ଚାମ୍ବରକୁ ଭକ୍ତିର ଅବାଧ ପ୍ରବେଶ ଥିଲା। ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀ ତାଙ୍କୁ ଭକ୍ତି ସହ ଚିହ୍ନା କରାଇବା ସହ ଏହି ମାମଲାରୁ ମୁକୁଳିବା ପାଇଁ ଆଲୋଚନା କରିବାକୁ କହିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭକ୍ତିର ମଧ୍ୟସ୍ଥତା। ଶ୍ରୀ ରାଉତଙ୍କ କହିବା କଥା ଭକ୍ତି ମଧ୍ୟସ୍ଥତା କମ୍‌, ବେଶି ବ୍ଲାକ୍‌ମେଲ୍‌ କରୁଥିଲା।

Advertisment

ମାମଲା ଓ ଗିରଫଦାରୀରୁ ମୁକୁଳିବାକୁ ୫କୋଟି ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ଦଲାଲ ଭକ୍ତି ତାଙ୍କୁ କହିଥିଲା। କିନ୍ତୁ ଏତେ ଟଙ୍କା ଦେବାକୁ ସେ ସମର୍ଥ ନୁହନ୍ତି ବୋଲି ଶ୍ରୀ ରାଉତ କହିଥିଲେ। ଏମିତି ମୂଲଚାଲ ଚାଲିଥିବା ଭିତରେ ଗତ ୨୭ ତାରିଖ ଦିନ ଭକ୍ତି, ଶ୍ରୀ ରାଉତଙ୍କ କଳାରାହାଙ୍ଗସ୍ଥିତ ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚିଥିଲା ଏବଂ ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀ ଓ ଶ୍ରୀ ରାଉତଙ୍କ ମଧ୍ୟରେ ଫୋନ୍‌ ଯୋଗେ କଥା କରାଇଥିଲା। ତୁରନ୍ତ ୫କୋଟି ଟଙ୍କା ନଦେଲେ ଗିରଫ କରାଯିବ ବୋଲି ଶ୍ରୀ ରଘୁବଂଶୀ ଧମକ ଦେଇଥିଲେ। ଏହାପରେ ଭକ୍ତି ଓ ଶ୍ରୀ ରାଉତଙ୍କ ମଧ୍ୟରେ ମୂଲଚାଲ ହୋଇ ୨ କୋଟିରେ କଥା ଛିଡ଼ିଥିଲା। ୨୮ ତାରିଖ ରାତି ପ୍ରାୟ ୯ଟାରେ ଇଡି ଅଧିକାରୀ ଶ୍ରୀ ରଘୁବଂଶୀ ଓ ଦଲାଲ ଭକ୍ତି ପୁଣି ଶ୍ରୀ ରାଉତଙ୍କ ଗେଷ୍ଟ୍‌ହାଉସ୍‌କୁ ଯାଇ ଅଗ୍ରିମ ଆକାରରେ ୫୦ ଲକ୍ଷ ଦେବାକୁ କହିଥିଲେ। କିନ୍ତୁ ଶ୍ରୀ ରାଉତ ୨୦ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ସେହି ଅନୁସାରେ ୨୯ ତାରିଖ ସନ୍ଧ୍ୟାରେ ଦଲାଲ ଭକ୍ତି ସେହି ଗେଷ୍ଟହାଉସ୍‌ରେ ପହଞ୍ଚିଥିଲା। କିନ୍ତୁ ତା ପୂର୍ବରୁ ଶ୍ରୀ ରାଉତ ସିବିଆଇ ସହ ଯୋଗାଯୋଗ କରିସାରିଥିଲେ ଏବଂ ସିବିଆଇ ଜାଲ ବିଛାଇ ଛକି ରହିଥିଲା। 

କିଏ ଏହି ଭକ୍ତି? 
ଇଡି ଅଧିକାରୀ ଗିରଫ ହେବା ପରେ ଏବେ ଦଲାଲ ଭକ୍ତିକୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ଏହି ଦଲାଲ ଭକ୍ତି, ଯିଏ ଲାଞ୍ଚ କାରବାର ପାଇଁ ଇଡି ଅଧିକାରୀଙ୍କ ହାତବାରିସି ସାଜିଥିଲା। ଏମିତି କେତେ ଲାଞ୍ଚ କାରବାର ମାମଲାରେ ଭକ୍ତିର ସମ୍ପୃକ୍ତି ରହିଛି? ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀ ଓ ଭକ୍ତି ମଧ୍ୟରେ କେତେଦିନର ସମ୍ପର୍କ? ଆଉ କୌଣସି କେନ୍ଦ୍ରୀୟ ସଂସ୍ଥା ସହ ଭକ୍ତିର ହାତ ରହିଛି କି? ଏମିତି ପୁଳାପୁଳା ପ୍ରଶ୍ନକୁ ନେଇ ସରଗରମ ଆଲୋଚନା ଚାଲିଛି।