କେଶବ ପାଣି
ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରିବାକୁ ଏବେ କେବଳ ଜଙ୍ଗଲ ଜମି ହିଁ ଭରସା ପାଲଟିଛି। ଅନ୍ୟ କିସମ ଜମି ଅପେକ୍ଷା ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇ ସେଠାରେ ପ୍ରକଳ୍ପ ନିର୍ମାଣ ହେଉଛି। ଖଣି, କୃଷି, ଶିଳ୍ପ, ରେଳ, ପ୍ରତିରକ୍ଷା ଓ ବିଦ୍ୟୁତ୍‌ ଭିତ୍ତିଭୂମି ପରି ବିଭିନ୍ନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟାପକ ବ୍ୟବହାର ହେଉଛି। ଯାହାକି ଏବେ ପରିବେଶ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଏବେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ୟାପକ ଜଙ୍ଗଲ କ୍ଷୟ ସାଙ୍ଗକୁ ପରିବେଶ ନଷ୍ଟ ଦ୍ବାରା କେତେବେଳେ ବର୍ଷା ଦିନେ ଟାଇଁଟାଇଁ ଖରା ହେଉଛି ତ ଆଉ କେତେବେଳେ ଶୀତ ଦିନେ ବର୍ଷା। ଜଳବାୟୁରେ ଏଭଳି ଚରମ ଅସ୍ଥିରତା ଏଡ଼ାଇବାକୁ ଏବେଠାରୁ ପଦକ୍ଷେପ ନେବା ସହ ବ୍ୟାପକ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି କରିବାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଶେଷଜ୍ଞମାନେ କହିଛନ୍ତି।

Advertisment

ହେଲେ ଓଡ଼ିଶାରେ ଶିଳ୍ପାୟନ ଓ ଖଣି ଖନନ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଗଛ କଟାଯାଇ ଖଣି ଖନନ ହେଉଛି। ବନ(ସଂରକ୍ଷଣ ଓ ସମ୍ବର୍ଦ୍ଧନ) ଅଧିନିୟମ ୧୯୮୦ର ଧାରା(୨) ଅନୁଯାୟୀ ୨୦୨୪ ଡିସେମ୍ବର ସୁଦ୍ଧା ୬୨୭ଟି ପ୍ରକଳ୍ପ ପାଇଁ ୬୮ହଜାର ୧୬୫ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଖଣି ପାଇଁ ସର୍ବାଧିକ ଜଙ୍ଗଲ ଜମି ବ୍ୟବହାର ହୋଇଛି। ୨୦୨୩ ସେ‌ପ୍ଟେମ୍ବର ସୁଦ୍ଧା ୩୪ ହଜାର ୮୦୭ ହେକ୍ଟର ଜଙ୍ଗଲ ଜମି ଖଣି କାର୍ଯ୍ୟରେ ବ୍ୟବହୃତ ହୋଇଥିଲା। ପରବର୍ତ୍ତୀ ୧୪ ମାସ ଅର୍ଥାତ୍‌ ୨୦୨୪ ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୩୫ହଜାର ୧୭୫ ହେକ୍ଟରରେ ପହଞ୍ଚିଛି। ୧୪ ମାସ ମଧ୍ୟରେ ଆଉ ୩୬୮ ଏକର ଜଙ୍ଗଲ ଜମି ଖଣି କାର୍ଯ୍ୟରେ ବ୍ୟବହୃତ ହୋଇଛି। ଏବେ ସୁଦ୍ଧା ୨୦୫ଟି ଖଣି ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବ‌ାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ଜଣାପଡ଼ିଛି।

୬୨୭ ପ୍ରକଳ୍ପ ପାଇଁ ୬୮,୧୬୫ ହେକ୍ଟର ଜଙ୍ଗଲ ଜମି ବ୍ୟବହାର
ଶିଳ୍ପ, ରେଳ, ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ କିସମ ପରିବର୍ତ୍ତନ

ସେହିପରି ଜଙ୍ଗଲ ଅଧିକାର ଆଇନ, ୨୦୦୬ର ଧାରା ୩ର ଉପଧାରା ୨ ଅନୁଯାୟୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୧ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଅନୁମୋଦନ କରିବାକୁ ବନ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ସେହି ଅନୁଯାୟୀ ୪,୫୪୫ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୧,୯୦୧ ହେକ୍ଟର ଜଙ୍ଗଲ ଜମି ପରିବର୍ତ୍ତନ ହୋଇସାରିଲାଣି। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଅନୁସୂଚିତ ଜନଜାତି ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିମ ଅଧିବାସୀଙ୍କ ବିକାଶମୂଳକ କାମରେ ବ୍ୟବହାର ହେଉଛି। ଯେଉଁଥିରେ ସ୍କୁଲ, ଅଙ୍ଗନବାଡ଼ି, ବିଦ୍ୟୁତ୍‌ ଭିତ୍ତିଭୂମି, ରାସ୍ତା ଆଦି ଅନ୍ତର୍ଭୁକ୍ତ ରହିଛି। ଓଡ଼ିଶା ଜଙ୍ଗଲ ବିଭାଗ ତଥ୍ୟ ଅନୁଯାୟୀ ୧,୦୩୫ଟି ବିଦ୍ୟାଳୟ ପାଇଁ ୪୯୫.୯୦୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି। ଏହାବ୍ୟତୀତ ୯୯୮ଟି ରାସ୍ତା ପାଇଁ ୬୩୮ ହେକ୍ଟର, ୮୮୫ଟି ପାନୀୟ ଜଳ ଓ ପାଣି ପାଇପ‌୍ ବିଛାଇବା ପ୍ରକଳ୍ପ ପାଇଁ ୧୬୧ ହେକ୍ଟର, ୬୫୫ଟି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ୩୩୫ ହେକ୍ଟର, ୬୪ଟି ଜଳ ଅମଳ ପ୍ରକଳ୍ପ ପାଇଁ ୨୦ ହେକ୍ଟର, ୧୧ଟି ପୋଖରୀ ଖୋଳିବାକୁ ୨୬ ହେକ୍ଟର, ୨୨ଟି ଅଙ୍ଗନବାଡ଼ି ନିର୍ମାଣ କରିବାକୁ ୨ ହେକ୍ଟର ଜମି ବ୍ୟବହାର ହୋଇଛି। ୧୦୩ଟି କୃଷି ପ୍ରକଳ୍ପ ପାଇଁ ୪୬ ହେକ୍ଟର, ୨୫୪ଟି କମ୍ୟୁନିଟି ସେଣ୍ଟର ପାଇଁ ୬୬ ହେକ୍ଟର, ୮୯ଟି ଧନ୍ଦାମୂଳକ ତାଲିମ କେନ୍ଦ୍ର ପାଇଁ ୪୮ ହେକ୍ଟର, ୩୬ଟି ହସ୍ପିଟାଲ ପ୍ରକଳ୍ପ ପାଇଁ ୧୫ ହେକ୍ଟର, ୨୧୮ଟି ଟେଲିଫୋନ୍‌ ଭିତ୍ତିଭୂମି ନିର୍ମାଣ କରିବାକୁ ୧୦ ହେକ୍ଟର ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୩୨‌ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।