ଖଣି ଦୁର୍ନୀତିକୁ ନେଇ କମ୍ପିଲା ବିଧାନସଭା

ବାବୁ-ମାଫିଆ ଖାଇଦେଲେ ପ୍ରାୟ ଏକ ଲକ୍ଷ କୋଟି
ସାଂଘାତିକ ଅଭିଯୋଗ ଆଣିଲେ ବିରୋଧୀଦଳ ନେତା
କଂଗ୍ରେସ କହିଲା ୯ କମ୍ପାନି ଫାଙ୍କିଛନ୍ତି ୩୬୦୦ କୋଟି
ଅଭିଯୋଗକୁ ଅମୂଳକ କହିଲା ବିଜେଡି

ଭୁବନେଶ୍ୱର : କିଛି ବର୍ଷ ବ୍ୟବଧାନ ପରେ ରାଜ୍ୟ ସରକାରଙ୍କୁ ପୁଣି ଖଣି କଳଙ୍କର ଟିକା ପିନ୍ଧାଇବାକୁ ଉଦ୍ୟମ କରିଛି ବିଜେପି। ଆଜି ବିଧାନସଭା ଶୂନ୍ୟକାଳରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇ ଦେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ ନିଜେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ ହେଁ, ସରକାର କିଭଳି ନିରବଦ୍ରଷ୍ଟା ସାଜିଛନ୍ତି ସେ ନେଇ ଅସନ୍ତୋଷ ଝାଡ଼ିଥିଲେ। କହିଥିଲେ, ୫ବର୍ଷରେ ଲକ୍ଷେ କୋଟିର କେଳେଙ୍କାରୀ ହୋଇଛି। ବାବୁ-ମାଫିଆ ଏକାଠି ହୋଇଛନ୍ତି। ସଂପୃକ୍ତ ସଚିବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ କରାଯାଉ। ନଚେତ୍ ସିବିଆଇ ତଦନ୍ତ କରି ସରକାର ନିଜ ସ୍ବଚ୍ଛତାର ପରିଚୟ ଦିଅନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସ୍ବର ମିଳାଇ ୩ବର୍ଷରେ ୯ଟି ଖଣି ଲିଜ୍‌ଧାରୀ କିଭଳି ବାବୁମାନଙ୍କ ଜାଣତରେ ୩୬୦୦ କୋଟି ଫାଙ୍କିଛନ୍ତି, ସେ ତଥ୍ୟ ରଖିଥିଲେ ଗୃହରେ। ହେଲେ ସବୁ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇଛି ବୋଲି କହି ବିଜେଡି ଏସବୁ ଅଭିଯୋଗକୁ ଅମୂଳକ କହି ଉଡ଼ାଇ ଦେଇଛି। ତେବେ ବିଜେଡି ବିଧାୟକଙ୍କ ବକ୍ତବ୍ୟରେ ଅସନ୍ତୋଷ ବ୍ୟକ୍ତ କରି ବିଜେପି ବିଧାୟକମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ।

ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା କହିଥିଲେ ଯେ ବର୍ତମାନ କରୋନା ଯୋଗୁ ଓଡ଼ିଶାର ଆର୍ଥିକ ଅବସ୍ଥା ବାରଗଣ୍ଡା ଦି’ କଡ଼ା। ଅର୍ଥନୀତିଜ୍ଞ କହୁଛନ୍ତି, ଖଣିଜ ସଂପଦର ସୁବିନିଯୋଗ ହେଲେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦାରିଦ୍ର୍ୟ ବେଡିରୁ ରାଜ୍ୟ ମୁକୁଳିପାରିବ। ହେଲେ ରାଜ୍ୟ ସରକାରଙ୍କୁ ବାଟବଣା କରି ମାଫିଆ ଶ୍ରେଣୀର କିଛି ଖଣି ବେପାରୀଙ୍କ ସହିତ ହାତ ମିଳାଇ ମୁଷ୍ଟିମେୟ ଅଫିସର ଗତ ପାଞ୍ଚ ବର୍ଷରେ ଲକ୍ଷେ କୋଟିରୁ ଅଧିକ ମୂଲ୍ୟର ଖଣିଜ ସଂପଦ ଲୁଟି ନେଲେଣି। ସେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ସମୟରେ ପ୍ରାୟ ୧୦ଟି ଚିଠି ଲେଖି ଅବଗତ କରିଛନ୍ତି। ସେଥିରେ ତଥ୍ୟ ପ୍ରମାଣ ବି ଦିଆଯାଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯିବା ତ ଦୂରର କଥା ଚିଠିର ପ୍ରାପ୍ତି ସ୍ବୀକାର ପତ୍ର ବି ମିଳିନାହିଁ। ସେ ସନ୍ଦେହ କରୁଛନ୍ତି ଯେ ତୃତୀୟ ମହଲାରେ କିଛି ପ୍ରଭାବଶାଳୀ ଅଧିକାରୀ ଅଛନ୍ତି, ଯେଉଁମାନେ ଏ ଚିଠି ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଚିଠି ଗୁଡିକ ଯେପରି ନ ପହଞ୍ଚେ ସେଥିପାଇଁ ହୀନ ଚକ୍ରାନ୍ତ କରାଯାଇଛି। ଯଦି ଏହା ସତ୍ୟ ନୁହେଁ, ତେବେ ପ୍ରାପ୍ତି ସ୍ବୀକାର ଭଳି ସୌଜନ୍ୟ ବ୍ୟବହାରରୁ ବଞ୍ଚିତ ରଖାଯାଇଛି କାହିଁକି ବୋଲି ଶ୍ରୀ ନାଏକ ପ୍ରଶ୍ନ ଉଠାଇଥିଲେ। ବାଚସ୍ପତି ଏହି ପ୍ରସଙ୍ଗର ଗୁରୁତ୍ବ ଉପଲବ୍ଧି କରି ସ୍ବତନ୍ତ୍ର ଆଲୋଚନା ପାଇଁ ସମୟ ଓ ସୁଯୋଗ ଦେବା ଦରକାର।

ବିରୋଧୀ ଦଳ ନେତା କହିଥିଲେ, ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୧ଟି ଖଣିଜ ବ୍ଲକର ନିଲାମ ହୋଇଛି। ଉଚ୍ଚ ପ୍ରିମିୟମରେ ଅର୍ଥାତ୍ ୧୫୪ ପ୍ରତିଶତ ପର୍ଯ୍ୟନ୍ତ ଡାକରାରେ ଏସବୁ ଦିଆଯାଇଛି, ଯାହା ଆଖି ଖୋସି ହୋଇଗଲା ଭଳି। ସତରେ ଯଦି ନିଲାମଧାରୀମାନେ ସେହି ମୂଲ୍ୟରେ ରୟାଲଟି, ଡିଏମ୍‌ଏଫ୍ ଟଙ୍କା ଦେବେ, ସରକାରଙ୍କ ବଜେଟ୍ ୨ଲକ୍ଷ କୋଟି ଡେଇଁପାରେ। ରାଜ୍ୟ ସରକାର ଏମ୍‌ଏମ୍‌ଡିଆର୍ ଆଇନ ୨୦୧୫ ଅନୁସାରେ ସରକାର ଆରମ୍ଭରୁ ଖଣିଲିଜ୍ ନିଲାମ କରିପାରିଥାନ୍ତେ। ସେଥିପାଇଁ ନିଜସ୍ବ ନିଷ୍ପତ୍ତି କ୍ୟାବିନେଟ୍ ମାଧ୍ୟମରେ ଆଣିଥିଲେ। କିନ୍ତୁ ଏପରି କଣ ହେଲା ଯେ ଖଣିଜ ବ୍ଲକ ଗୁଡିକ ନିଲାମ କରିବା ପରିବର୍ତେ ଲିଜ୍ ଗୁଡିକର ମିଆଦ ଆହୁରି ୫ବର୍ଷ ଅର୍ଥାତ୍ ୨୦୧୫ରୁ ୨୦୨୦ ମାର୍ଚ୍ଚ ୩୧ ଯାଏ ବଢାଇଦେଲେ? ଏହା କେବଳ ବେଆଇନ ନୁହେଁ, ବରଂ ରାଜ୍ୟ ପାଇଁ ଆତ୍ମଘାତୀ ନିଷ୍ପତ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏଭଳି ନିଷ୍ପତ୍ତି ଯୋଗୁଁ ଲକ୍ଷେ କୋଟିରୁ ଅଧିକ ଟଙ୍କାର ରାଜସ୍ବ ରାଜ୍ୟ ରାଜକୋଷକୁ ଆସିପାରିଲା ନାହିଁ।

ସେ କହିଲେ ‌ଯେ ୩ଟି ଖଣି କଂପାନି ମାଲିକାନାରେ ଥିବା ୧୧ଟି ଖଣି ପଟ୍ଟା ମଧ୍ୟରୁ ରୁଙ୍ଗଟା ମାଇନ୍ସ, ଜଜାଙ୍ଗ ଲିଜ୍, ଯାହା ୧୧୦ ପ୍ରତିଶତରେ ଦିଆଯାଇଛି। ମେସର୍ସ ସିରାଜୁଦ୍ଦିନ୍‌ର ବାଲ୍‌ଦା ମାଇନ୍ସ ୧୦୮ ପ୍ରତିଶତ ଏବଂ ଆର୍ଯ୍ୟନ୍ ମାଇନିଂ ଆଣ୍ଡ ଟ୍ରେଡିଂ କଂପାନି ନାରାୟଣ ପୋଷି ଲାଇନ୍ ୯୮.୫ ପ୍ରତିଶତରେ ଲିଜ୍ ପାଇଛନ୍ତି। ରୁଙ୍ଗ୍‌ଟା ଓ ସିରାଜୁଦ୍ଦିନ୍ ବିରୋଧରେ ଖଣି ଚୋରି, ଭିଜିଲାନ୍ସ ମାମଲା, ଜଙ୍ଗଲ ସଂରକ୍ଷଣ ଅଧିନିୟମ ଏବଂ ଏମ୍ଏମଡିଆର୍ ଅଧିନିୟମ ଉଲ୍ଲଂଘନ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ରୁଙ୍ଗ୍‌ଟା ମାଇନ୍ସ କ୍ଷେତ୍ରରେ ଦୁର୍ନୀତି ନିବାରଣ ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ ଏବଂ ଏମ୍‌ଏମଡିଆର୍ ଉଲ୍ଲଂଘନ ନିୟମ ଆଦି ସଂକ୍ରାନ୍ତ ମାମଲା ବଳବତ୍ତର ରହିଛି। ସେହିଭଳି ଆର୍ଯ୍ୟନ୍ ମାଇନ୍ ଆପିଲେଟ୍ ଅର୍ଥରିଟି ଅର୍ଥାତ୍ ଇସ୍ପାତ ଓ ଖଣି ବିଭାଗର ସଚିବଙ୍କ ନିକଟରେ ବିଚାରାଧୀନ ରହିଛି। ହେଲେ ଦେଖାଯାଉଛି, ସରକାର ବାମ ହାତରେ କଣ କରୁଛନ୍ତି, ସେକଥା କଣ ଡାହାଣ ହାତ ଜାଣିପାରୁନି। ଏହିଭଳି ଷଡ଼ଯନ୍ତ୍ରରେ ବିଭାଗର ପୂର୍ବତନ ସଚିବଙ୍କ ହାତ ରହିଥିବା ନେଇ ସେ ଅଭିଯୋଗ କରିଥିଲେ। ସଂପୃକ୍ତ ଅଧିକାରୀ ସରକାରଙ୍କୁ ଅନ୍ଧାରରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିରେ ସଂପୃକ୍ତ ସଚିବଙ୍କ ବେଆଇନ କାର୍ଯ୍ୟକଳାପର ବିବରଣୀ ଉଲ୍ଲେଖ କରିଛି। ଗୃହରେ ସେହି ଚିଠି ଉପସ୍ଥାପନ କରାଯାଉ। ଏଥିରେ କେତେ ଲାଞ୍ଚ କାରବାର ହୋଇଛି ଏବଂ ଏହାଫଳରେ ରାଜ୍ୟର କେତେ କ୍ଷତି ହୋଇଛି, ସେ ନେଇ ସରକାର ଗୃହକୁ ଅବଗତ କରାନ୍ତୁ ବୋଲି ସେ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୨୦୧୮ ମସିହାରେ ସୁପ୍ରିମକୋର୍ଟ ଗୋଟିଏ ମାମଲାରେ ବିଚାର କରି ଯେଉଁ ରାୟ ଦେଇଥିଲେ, ବିଭିନ୍ନ ଖଣିରୁ ବାହାରୁଥିବା କଞ୍ଚାମାଲକୁ ନେଇ ତ୍ରୁଟି ରହିଛି। ଯଦି ୧୦୦ ଟନ୍ ଖଣିଜ ଉତ୍ତୋଳନ ହେଉଛି, ସେଥିରେ ୨୦ ପ୍ରତିଶତ ଖଣିଜ ପଦାର୍ଥ ନୁହେଁ ବୋଲି କହି ରୟାଲଟି ଦେଉନାହାନ୍ତି। ହେଲେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଠିକ୍ ନୁହେଁ ବୋଲି ଦର୍ଶାଇ କହିଥିଲେ, ଖଣି ଲିଜ୍ ଧାରୀ ୧୦୦ ପ୍ରତିଶତ ଉତ୍ତୋଳନର ରୟାଲଟି ଦେବାକୁ ପଡିବ। ସରକାର ଏହାକୁ ବିଚାରକୁ ନେଇନାହାନ୍ତି। ୩ବର୍ଷରେ ୯ଟି ଖଣିର ଉଦାହରଣ ଦେଇ ସେ ୩୬୦୦କୋଟିର ରାଜସ୍ବ ହରାଇଥିବା ଦର୍ଶାଇଥିଲେ। ୯ଟି ଖଣି ଯଥା- ନାରାୟଣ ପୋଷୀ ଲୁହାଖଣି, ନଉଗାଁ, ଉଞ୍ଚାବାଲି, ବାଲ୍‌ଦା, ଠାକୁରାଣୀ, ‌‌ରୋଇଡ଼ା, ନଦୀଡିହି, ଜୁରୁଡ଼ି, ଫୋନ୍‌ବନ୍ଦ ଖଣିଗୁଡ଼ିକରୁ ଉତ୍ତୋଳନ ହୋଇଥିବା ଖଣିଜ ପଦାର୍ଥ ଉପରେ ଶତ ପ୍ରତିଶତ ରୟାଲିଟି ଆଦାୟ କରାଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବର୍ଷକୁ ଏହି ସବୁ ଖଣି ବାବଦରେ ୧୨ଶହ ୧୦ କୋଟି ୩୧ ଲକ୍ଷ ଟଙ୍କା ହିସାବରେ ତିନି ବର୍ଷରେ ପ୍ରାୟ ୩ ହଜାର ୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏସବୁ ସରକାରୀ ଅଧିକାରୀ ଓ ଖଣି ଲିଜ୍‌ଧାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହେଉଛି। ଖଣି ଅଫିସର ଏକଥା ଅବଗତ ଥାଇ ବି କାର୍ଯ୍ୟାନୁଷ୍ଠାନ ନେଲେନି। ପୁଲିସ ଓ ଭିଜିଲାନ୍ସ କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ମଧ୍ୟ ସେ ସାଂଘାତିକ ଅଭିଯୋଗ ଆଣିଥିଲେ। କହିଥିଲେ, ୨୦୦୯ରୁ ଖଣି ଦୁର୍ନୀତିର ତଦନ୍ତ ଚାଲିଛି। କୌଣସି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ଦୁଇଟି ସଂସ୍ଥା ଯେଉଁ ଦିଗରେ ଯିବା କଥା ସେ ଦିଗରେ ଯାଉନାହାନ୍ତି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ବିରୋଧୀ ଦଳଙ୍କ ନେତାଙ୍କ ଅଭିଯୋଗ ଭିତ୍ତିହୀନ। ଲକ୍ଷ ଲକ୍ଷ କୋଟି ଖଣିରେ ଖାଇଯାଇଛନ୍ତି ବୋଲି ଯାହା କହିଛନ୍ତି, ତାହା ଅମୂଳକ। ୨୦୧୫ରେ ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ବେଳେ କେନ୍ଦ୍ର ସରକାର କହିଥିଲେ, ନୂଆ ଆଇନ ବଳରେ ନିଲାମ ହେଲେ ଲକ୍ଷାଧିକ ଟଙ୍କା ପାଇବେ । ୫ବର୍ଷ କାଳ ଓଡ଼ିଶା କେତେ ଲାଭବାନ୍ ହୋଇଛି, ତାହା ସମସ୍ତଙ୍କୁ ଜଣା। ଯେଉଁ ନିଲାମ ସଂକ୍ରାନ୍ତ ଦୁର୍ନୀତି ଅଭିଯୋଗ ହୋଇଛି ସେଥିରେ କିଛି ସତ୍ୟତା ନାହିଁ। ବରଂ ସୁପ୍ରିମକୋର୍ଟଙ୍କ ଦ୍ବାରା କ୍ଷମତାସଂପନ୍ନ କମିଟି ରାଜ୍ୟ ସରକାରଙ୍କୁ ନିଲାମ ପ୍ରକ୍ରିୟାର ସ୍ବଚ୍ଛତା ନେଇ ପ୍ରଶଂସା ପତ୍ର ଦେଇଥିଲେ। ତେଣୁ ସବୁକିଛି ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ରାଜ୍ୟ ସରକାର କହିଛନ୍ତି। ଯଦି ବିରୋଧୀ ଦଳ ଏକଥା ଜାଣିପାରୁନାହାନ୍ତି, ତେବେ ସବୁତଥ୍ୟ ଯାଞ୍ଚ କରି ଦିଅନ୍ତୁ। ଯଦି ବାସ୍ତବରେ ତଥ୍ୟ ଅଛି, ତାକୁ ଗୃହରେ ଉପସ୍ଥାପନ କରିବାରେ କୌଣସି ବାଧା ନାହିଁ ବୋଲି ଶ୍ରୀ ଦେବ କହିଥିଲେ।

ସମ୍ବନ୍ଧିତ ଖବର