ଯାଜପୁର/କବାଟବନ୍ଧ: ରାଜ୍ୟର ସର୍ବାଧିକ ରାଜସ୍ବ ଦେଉଥିବା ଅନ୍ୟତମ ତହସିଲ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା। ଏବେ ଅଧିକାଂଶ ଖଣିଖାଦାନ ଓ କ୍ରସର ବନ୍ଦ। ପାହାଡ଼ପର୍ବତ ଓ କ୍ରସରରେ କାମ କରୁଥିବା ହଜାର ହଜାର ଶ୍ରମିକ ମାସ ମାସ ଧରି ଜୀବିକା ହରାଇ ବେକାର। ଧର୍ମଶାଳା ତହସିଲରେ ଏଜି ଅଡିଟ୍ ଠାରୁ ଆରମ୍ଭ କରି, ବିଛାଖଣ୍ଡିରେ ଭିଜିଲାନ୍ସ ଓ ଆରୁହାରେ ଲୋକାୟୁକ୍ତଙ୍କ ଡାଇରେକ୍ଟର ଅଫ ଇନକ୍ବାରି, ବାଲିଖାଦାନରେ ଏନଜିଟିର ତାଗିଦ ଏକାଧିକ ତଦନ୍ତର ପରସରଭୁକ୍ତ ହୋଇଛି ରାଜସ୍ବ, ପରିବେଶ ଓ ଜଙ୍ଗଲ ବିଭାଗ। ଗତ ମାର୍ଚ୍ଚରୁ ବାରମ୍ବାର ଟେଣ୍ଡର ହେଉଥିଲେ ହେଁ ଖଣିଖାଦାନ କାର୍ଯ୍ୟକ୍ଷମ ହୋଇପାରୁନାହିଁ।
ବର୍ଷବର୍ଷ ଧରି ମୁନାଫାଖୋର ପଥର ବ୍ୟବସାୟୀ ଓ ଏକାଧିକ ବିଭାଗର ଅଧିକାରୀଙ୍କ ଅସାଧୁମେଣ୍ଟର କଳା କାରନାମା ପ୍ରଭାବ ଯୋଗୁ ହଜାର ହଜାର ଦିନ ମଜୁରିଆ ଶ୍ରମିକ ଜୀବିକା ହରାଇଛନ୍ତି। ଅନ୍ୟୂନ ୧୦ ହଜାର ଶ୍ରମିକ, ଗାଡ଼ି କର୍ମଚାରୀ, ଛୋଟ ବ୍ୟବସାୟୀ ଜୀବିକା ହରାଇବା ପରେ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟକୁ ଗଲେଣି। ଏକାଧିକ କଳାପଥର କେଳେଙ୍କାରୀ ମାମଲାରେ ଅସାଧୁ ଅଧିକାରୀ ଫସିଥିବା ବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ଲାଗିପଡ଼ିଛନ୍ତି। ଫଳରେ କଳାପଥର କାରବାର ଏକପ୍ରକାର ସ୍ଥାଣୁ ହୋଇଯାଇଥିବା ସୁଯୋଗରେ ଅସାଧୁ ବ୍ୟବସାୟୀ ଏହାର ଫାଇଦା ହାସଲ କରି ବେଶ ମାଲାମାଲ ହେଉଛନ୍ତି।
ଫେବ୍ରୁଆରି ମାସରେ ୨୯ଟି ଖାଦାନ ନିଲାମ ହୋଇଥିଲା। ସେଥରୁ ମାତ୍ର ୨ଟି ଲିଜ୍ ଦିଆଯାଇଥିଲା। ଏହା ପରେ ବାରମ୍ବାର ନିଲାମ ଆହ୍ବାନ କରାଯାଇଛି। ଅଥଚ ୨୦୨୧-୨୨ ଆର୍ଥିକ ବର୍ଷ ପୂରଣ ହେବାକୁ ମାତ୍ର ୩ମାସ ବାକି ରହିଥିବା ବେଳେ ସୈରାତଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ବିଛାଖଣ୍ଡିରେ ଶହଶହ କୋଟି ଟଙ୍କାର କଳାପଥର କେଳେଙ୍କାରୀକୁ ରାଜସ୍ବ ବିଭାଗ, ପରିବେଶ ଓ ଜଙ୍ଗଲ ବିଭାଗ, ପୁଲିସ, ଖଣି ପ୍ରଭୃତି ଆଖିବୁଜି ନିରବ ସମର୍ଥନ ଦେବା ଫଳରେ ଏବେ ଏହା ଲୋକାୟୁକ୍ତଙ୍କର ବିଚାର ଉପରେ ନିର୍ଭର କରୁଛି। ଗୋଟିଏ ଦିନ ପରେ ୧୦ ତାରିଖରେ ଲୋକାୟୁକ୍ତଙ୍କର ଭିଜିଲାନ୍ସ ତଦନ୍ତ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ରହିଛି।
ଏହା ପାହାଡ଼ରେ ଏକାଧିକ କଳାପଥର ସୈରାତ ରହିଛି। ଏହା ଉପରେ ଶତାଧିକ କ୍ରସର ନିର୍ଭର କରୁଥିଲା। ମାତ୍ର ଅସାଧୁ କାରବାର ପାଇଁ ବନ୍ଦ ହୋଇଯିବା ଫଳରେ ଶହ ଶହ ଶ୍ରମିକ ଓ ଦୋକାନବାଡ଼ି କରି ଚଳୁଥିବା ସାଧାରଣ ଲୋକ ଏବେ ହାତବାନ୍ଧି ବସିଛନ୍ତି। କେବଳ ବିଛାଖଣ୍ଡି ନୁହେଁ ସେହିପରି ୯ ମାସ ହେଲା ଅଂଜିରା, ବିଛାଖଣ୍ତି, କୁସୁନପୁର ଅଞ୍ଚଳର ଖଣିଖାଦାନ ଓ ଶତାଧିକ କ୍ରସର ବନ୍ଦ। ଶ୍ରମିକ, ଗାଡ଼ି କର୍ମଚାରୀ ଓ ବ୍ୟବସାୟୀ ଜୀବିକା ହରାଇଛନ୍ତି। ପଡ଼ୋଶୀ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ପ୍ରଭୃତି ଜିଲ୍ଲାରୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଅଞ୍ଜିରା ପଞ୍ଚାୟତର ବୁରୁସାହି, ଗହ୍ମାରିଆ, ଭେଜିଗୋଠ ଚକ୍ରଧରପୁର ପଞ୍ଚାୟତର ବଲାଙ୍ଗିଆ, ନୂଆସାହି, ଢଙ୍କୁଣିଆ ତଥା ଏଣ୍ତଳବା ପଞ୍ଚାୟତର କେନ୍ଦୁପଡ଼ିଆ, ଷୋହଳସାହି, ହନୁଆଁ, ବାଘୁଆବେଣା, ଟେଂଟଳ ପ୍ରଭୃତି ଗାଁରେ ରହୁଥିବା ୨ ହଜାର ଆଦିବାସୀ ଶ୍ରମିକ ଜୀବିକା ପାଇଁ ନାହିଁ ନଥିବା ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
କବାଟବନ୍ଧ ଅଞ୍ଚାଳର ଏଣ୍ତଳବା, ରେଖିଦେଈପୁର, ତାଳଜଙ୍ଗ, ରାଇଛନ୍ଦା, ଚକ୍ରଧରପୁର, ଅଂଜିରା, କବାଟବନ୍ଧ, ମର୍ଜିତାପୁର, ମଧୁସୂଦନପୁର, ବୃନ୍ଦାଦେଈପୁର, ଜେନାପୁର ପଞ୍ଚାୟତର ୩ ହଜାରରୁ ଅଧିକ ଶ୍ରମିକ ନିଜର ରୋଜଗାର ହରାଇଛନ୍ତି। ଯାହାର ପ୍ରଭାବ ସ୍ଥାନୀୟ ହାଟବଜାର ଉପରେ ମଧ୍ୟ ପଡୁଛି। ଶହଶହ ଟ୍ରାକ୍ଟର ଓ ଟ୍ରକ ଚାଳକ, ହେଲପର ଓ ମାଲିକଙ୍କ ପରିବାର ମଧ୍ୟ ଖଣିଖାଦାନ ତଥା କ୍ରସର ୟୁନିଟ୍ ବନ୍ଦ ଯୋଗୁଁ ନିଜ ପରିବାର ପ୍ରତିପୋଷଣ କରିବାରେ ଅସୁବିଧା ଭୋଗ କରୁଛନ୍ତି। ବିଛାଖଣ୍ତିର ୧୩ଟି ଓ ଅଞ୍ଜିରା ପାହାଡ଼ର ୭ଟି କଳାପଥର ସୈରାତ ନିଲାମ ହୋଇଥିଲେ ମଧ୍ୟ ସେଗୁଡିକ ଚାଲିପାରୁ ନାହିଁ। ଆଇନକୁ ଭଙ୍ଗ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟ୍ କରି ବେଶ ସୁବିଧାରେ ଥିବା ଅସାଧୁ ଅଧିକାରୀ, ଖଣିଖାଦାନ ଲିଜଧାରୀ ଓ କ୍ରସର ମାଲିକଙ୍କ ଚୋରା କାରବାର ତଦନ୍ତ ଆଳରେ ହଜାର ହଜାର ଶ୍ରମିକଙ୍କ ପେଟକୁ ଲାତ ମରା ନଯାଉ ବୋଲି ବୁଦ୍ଧିଜୀବୀମହଲ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/୭.jpg)