ଦଶପଲ୍ଲା: ନୟାଗଡ଼ ଏକ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି। ଜିଲ୍ଲାରେ ବିଭିନ୍ନ ଶିଳ୍ପ ଗଠନ ପାଇଁ ଭରପୁର୍ କଞ୍ଚାମାଲ୍ ରହିଥିବା ବେଳେ ସରକାର ଓ ପ୍ରଶାସନିକ କଳର ଇଚ୍ଛାଶକ୍ତିର ଅଭାବ ହେତୁ ଏହି ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରୁନି। ମୁଖ୍ୟତଃ ଦେଖିବାକୁ ଗଲେ, ଏଠାରେ ଥିବା ଚିନି ଶିଳ୍ପ ବନ୍ଦ ହୋଇ ପଡ଼ିଥିବା ବେଳେ ଦୀର୍ଘବର୍ଷ ଧରି ଦଶପଲ୍ଲାରେ ଚାଲି ଆସୁଥିବା ଗ୍ରାଫାଇଟ୍ ଶିଳ୍ପ ମଧ୍ୟ ମାଟିରେ ମିଶିଲାଣି। ଦଶପଲ୍ଲା ଜଙ୍ଗଲରେ ଭରପୂର ବାଉଁଶ ରହିଥିଲେ ମଧ୍ୟ ବହୁ ଦାବି ସତ୍ତ୍ବେ କାଗଜ ଶିଳ୍ପ ପ୍ରତିଷ୍ଠା ହୋଇପାରୁନି। ଏସବୁ ମଧ୍ୟରେ ଏବେ ଦଶପଲ୍ଲା ବ୍ଲକ୍‌ର ତୁମାଣ୍ତି ଅଞ୍ଚଳରେ ଭରପୂର୍ ଗ୍ରାଫାଇଟ୍ ରହିଥିବା ସନ୍ଧାନ ମିଳିବା ପରେ ତୁମାଣ୍ତି ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଉଛି। ୨୦୨୨ ମସିହାରୁ ଗ୍ରାଫାଇଟ୍‌ର ସନ୍ଧାନ ନେଇ ନାନା ସର୍ଭେ ହେବାସହ ତୁମାଣ୍ତି ଗ୍ରାମର ଆଖପାଖ ଅଞ୍ଚଳର ଗଭୀର ମାଟିତଳୁ ନମୁନା ସଂଗ୍ରହ କରାଯାଉଛି। 

Advertisment

୩ ବର୍ଷ ହେଲା ସଂଗ୍ରହ ହେଉଛି ନମୁନା

ଭାରତ ସରକାରଙ୍କ ଖଣି ବିଭାଗ ଓ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ) ପକ୍ଷରୁ ଏହାର ସର୍ବେକ୍ଷଣ କାର୍ଯ୍ୟ ଚାଲୁ ରହିଛି। ପ୍ରାୟ ୨ ଶହରୁ ୩ ଶହ ଫୁଟ ଗଭୀର ମାଟି ତଳୁ ପଥର ଖଣ୍ତ ବାହାର କରାଯାଇ ଏହାର ନମୁନାକୁ ପରୀକ୍ଷଣ ପାଇଁ ପଠାଯାଉଛି। ତୁମାଣ୍ତି ଗ୍ରାମ ସମେତ ନରାଜିପଡ଼ା ଓ ଆଖାପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ସର୍ବେକ୍ଷଣ କରାଯାଇ ନମୁନା ସଂଗ୍ରହ କରାଯାଉଛି। ଯାହାକି ଏବେ ଏକକାଳୀନ ୩ଟି ମେସିନ୍ ମାଧ୍ୟମରେ ଏହାର ସର୍ଭେ କରାଯାଉଥିବା ଜଣାପଡ଼ିଛି। ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହାର ନମୁନା ଏବେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଏଠାରେ କେତେ ପରିମାଣର ଗ୍ରାଫାଇଟ୍ ରହିଛି ତାହା ସ୍ପଷ୍ଟ ହେବାପରେ ସରକାର ପରବର୍ତ୍ତି ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ପୂର୍ବରୁ ଉକ୍ତ ଅଞ୍ଚଳରେ ଗ୍ରାଫାଇଟ୍ ଖଣି ଚାଲି ଆସିଥିଲା। ସେଠାରୁ ଗ୍ରାଫାଇଟ୍ ସଂଗ୍ରହ କରାଯାଇ ସରିଗଣ୍ତାଠାରେ ଥିବା ଗ୍ରାଫାଇଟ୍ କାରଖାନାକୁ ଅଣାଯାଉଥିଲା। ଏହା ଦୀର୍ଘବର୍ଷ ହେବ ବନ୍ଦ ହୋଇ ରହିବା ସହ ଏହି ଶିଳ୍ପ ମାଟିରେ ମିଶିଲାଣି। ଉକ୍ତ ଅଞ୍ଚଳରେ ଗ୍ରାଫାଇଟ୍ ସନ୍ଧାନ ନେଇ ସର୍ବେକ୍ଷଣ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ପ୍ରାୟ ୧୦ କିମି ପରିଧି ମଧ୍ୟରେ କେତେ ପରିମାଣର ଗ୍ରାଫାଇଟ୍ ରହିଛି ପ୍ରାଥମିକ ପର୍ଯ୍ୟାୟରେ ଏହାର ସବେର୍କ୍ଷଣ କରାଯାଇ ନମୁନା ସଂଗ୍ରହ କରାଯାଉଛି।