ଭୁବନେଶ୍ୱର : ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ‘ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ’ (ଓମ୍‌ବାଡ୍‌ସି) ଏଣିକି କେବଳ ପ୍ରତିପୂରକ ବନୀକରଣ ପରିଚାଳନା ଯୋଜନା କର୍ତ୍ତୃପକ୍ଷ (କାମ୍ପା) ପାଣ୍ଠିର ୪୦% ଅର୍ଥ ବିନିଯୋଗ କରିବ ନାହିଁ, ବରଂ ଖଣି ଜରିମାନା ବାବଦରେ ଅସୁଲ ୧୫,୩୨୬ କୋଟି ଟଙ୍କାର ସଦୁପଯୋଗ ଦାୟିତ୍ୱ ମଧ୍ୟ ଏହି ସଂସ୍ଥା ଉପରେ ନ୍ୟସ୍ତ। ସଦୁପଯୋଗର ଅନୁଧ୍ୟାନ ନିମନ୍ତେ ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟସ୍‌ ଅନଙ୍ଗ କୁମାର ପଟ୍ଟନାୟକ ତତ୍ତ୍ୱାବଧାନ କର୍ତ୍ତୃପକ୍ଷ (ଓଭର୍‌ ସାଇଟ୍‌ ଅଥରିଟି) ନିଯୁକ୍ତ ହୋଇଛନ୍ତି, ଅଥଚ ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରି ଅଫିସର୍‌ ଗୋଷ୍ଠୀଙ୍କ ମନମାନିରେ ଚାଲିଛି ପ୍ରକଳ୍ପ ମଞ୍ଜୁରୀ; ଯାହା ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶର ପରିପନ୍ଥୀ। ଓମ୍‌ବାଡ୍‌ସିର ଏଭଳି ଗତି-ପ୍ରଗତିକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ଗଭୀର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କେନ୍ଦୁଝର ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଏ ସଂକ୍ରାନ୍ତରେ ନିଗମ ମୁଖ୍ୟ ତଥା ରାଜ୍ୟ ମୁଖ୍ୟ ସଚିବଙ୍କୁ ଓ ଶେଷରେ ତତ୍ତ୍ୱାବଧାନ କର୍ତ୍ତୃପକ୍ଷ ଜଷ୍ଟିସ୍‌ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଭଙ୍ଗୀରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ଫଳରେ ସୁପ୍ରିମ୍‌ କୋର୍ଟଙ୍କ ଦୟାରେ ପ୍ରାପ୍ତ ଏସବୁ ବିପୁଳ ଅର୍ଥ ପ୍ରକୃତ ହିତାଧିକାରୀଙ୍କ ହିତରେ ନଆସି ଅଯଥା ବିନର୍ବ୍ୟୟ ହେବାର ଆଶଙ୍କା ଘନୀଭୂତ ହେବାରେ ଲାଗିଛି।

Advertisment

publive-image

ଉଲ୍ଲେଖଯୋଗ୍ୟ, ଖଣି ଓ ଅନ୍ୟାନ୍ୟ ଅଣଜଙ୍ଗଲ କାର୍ଯ୍ୟକଳାପ ପାଇଁ ନଷ୍ଟ ହେଉଥିବା ଜଙ୍ଗଲର ଭରଣା ନିମନ୍ତେ କାମ୍ପା ପାଣ୍ଠିରେ ଅମାପ ଅର୍ଥ ପଡ଼ିରହିଛି। ସେଥିରୁ ରାଜ୍ୟ କାମ୍ପା ପାଣ୍ଠିକୁ ଯେତିକି ଅର୍ଥ ଆସୁଛି, ତାହା ବିନିଯୋଗ ହୋଇପାରୁ ନାହିଁ। ମୁଖ୍ୟତଃ ଓଡ଼ିଶା ଓ ଅନ୍ୟାନ୍ୟ ଖଣିଜ ରାଜ୍ୟରେ ପ୍ରତିପୂରକ ବନୀକରଣ ପାଣ୍ଠିର ସଦୁପଯୋଗ ବସ୍ତୁତଃ ନୈରାଶ୍ୟଜନକ ଥିବା ଲକ୍ଷ୍ୟ କରି ରାଜ୍ୟ କାମ୍ପା ପାଣ୍ଠିର ୪୦% ଅର୍ଥ ‘ବିଶେଷ ଉଦ୍ଦେଶ୍ୟ ନିର୍ବାହ ସଂସ୍ଥା’ (ଏସ୍‌ପିଭି) ଜରିଆରେ ଉପଯୋଗ କରିବାକୁ ସୁପ୍ରିମ୍‌ କୋର୍ଟ ୨୦୧୪ ଡିସେମ୍ବର ୩୦ରେ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆମ ରାଜ୍ୟରେ ପଞ୍ଜିକୃତ ହୋଇଥିଲା ଓମ୍‌ବାଡ୍‌ସି ନାମରେ ଏସ୍‌ପିଭି। ଏହାର ୪ ବର୍ଷ ପରେ ୨୦୧୮ ଅଗଷ୍ଟ ୨ରେ ସୁପ୍ରିମ୍‌ କୋର୍ଟ ବେଆଇନ ଖଣି କାର୍ଯ୍ୟକଳାପ ମାମଲାର ରାୟ ଶୁଣାଇ ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଂଘନକାରୀ ଖଣି ଲିଜ୍‌ଧାରୀଙ୍କ ଠାରୁ ଜରିମାନା ଅସୁଲ ନିମନ୍ତେ ନିର୍ଦ୍ଦେଶ ଦେବା ସହ ସେହି ଅର୍ଥ ଓମ୍‌ବାଡ୍‌ସି ଜରିଆରେ ବିନିଯୋଗ କରିବାକୁ ସ୍ପଷ୍ଟ କରିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ରାୟ ତଥା କେନ୍ଦ୍ରୀୟ କ୍ଷମତାପନ୍ନ କମିଟି (ସିଇସି) ଆକଳନ ଆଧାରରେ ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଂଘନକାରୀ ଖଣି ଲିଜ୍‌ଧାରୀଙ୍କଠାରୁ ୨୧,୩୯୧ କୋଟି ଟଙ୍କା ଜରିମାନା ଅସୁଲ ନିମନ୍ତେ ଖଣି ନିର୍ଦ୍ଦେଶାଳୟ ନୋଟିସ୍‌ ଜାରି କରିଥିଲା। ଗତ ମାର୍ଚ୍ଚ ୧୩ ସୁଦ୍ଧା ଅସୁଲ ହୋଇଥିଲା ୧୫,୩୨୬ କୋଟି ଟଙ୍କା; ସେଥିରେ କେନ୍ଦୁଝର ଜିଲ୍ଲାରୁ ପାଖାପାଖି ୧୨ ହଜାର କୋଟି। ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ଯଥାକ୍ରମେ ଅସୁଲ ହୋଇଥିଲା ୩୧୦୭ କୋଟି ଓ ୧୫୮ କୋଟି ଟଙ୍କା। ତେଣୁ ଏହି ୩ ଜିଲ୍ଲାର ଖଣି ଅଞ୍ଚଳରେ ଜରିମାନା ଟଙ୍କାକୁ ଅଗ୍ରାଧିକାର ଭିତ୍ତିରେ ବିନିଯୋଗ କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ଏଥି ସହ କୋର୍ଟ କହିଥିଲେ ଯେ ଯଦି କୌଣସି ପଡ଼ୋଶୀ ଜିଲ୍ଲାରେ ପରିବେଶ ପ୍ରଭାବ ପଡ଼ିଥାଏ, ତେବେ ସେ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ କିଛି ଅର୍ଥ ବ୍ୟୟ କରିବା ନିମନ୍ତେ ଜଷ୍ଟିସ୍‌ ପଟ୍ଟନାୟକ ନିଷ୍ପତ୍ତି ନେଇପାରିବେ।

ତେବେ ମୁଖ୍ୟତଃ ଏହି ୩ ଜିଲ୍ଲାରେ ଖଣି କ୍ଷତିଗ୍ରସ୍ତଙ୍କ ଜୀବିକା ନିରାପତ୍ତା ଓ ସେମାନଙ୍କ ସାମାଜିକ-ଆର୍ଥିକ ଉନ୍ନତି ସାଙ୍ଗକୁ ଖଣି ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗମନାଗମନ ଆଦି ଭିତ୍ତିଭୂମି ବିକାଶ ଦିଗରେ ଏହି ଅର୍ଥ ଅଗ୍ରାଧିକାର ଭାବେ ବିନିଯୋଗ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦିଷ୍ଟ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସୁପ୍ରିମ୍‌ କୋର୍ଟ ଦେଇଥିବା ସଂକ୍ଷିପ୍ତ ପରାମର୍ଶରେ କୁହାଯାଇଥିଲା ଯେ ସ୍ଥାନୀୟ ଲୋକ, ଲୋକ ପ୍ରତିନିଧି ଓ ସାମାଜିକ ସଂଗଠନର ମତାମତ ଓ ସହଭାଗୀତାକୁ ଗୁରୁତ୍ୱ ଦେଇ ହିତାଧିକାରୀଙ୍କ ପ୍ରାଥମିକ ଆବଶ୍ୟକତା ଅନୁସାରେ ତୃଣମୂଳ ସ୍ତରରୁ ଯୋଜନା ପ୍ରସ୍ତୁତ କରାଯିବ। ତଦନୁଯାୟୀ ଓମ୍‌ବାଡ୍‌ସି ବୋର୍ଡ଼ ବୈଠକରେ ବାର୍ଷିକ ବଜେଟ୍‌ ଚୂଡ଼ାନ୍ତ ହେବ ଏବଂ କାର୍ଯ୍ୟକ୍ରମ ରୂପାୟନ, ଅର୍ଥ ବିନିଯୋଗ ଇତ୍ୟାଦିକୁ ନେଇ ତତ୍ତ୍ୱାବଧାନ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କରାଯିବ। ମାତ୍ର ସୁପ୍ରିମ୍‌ କୋର୍ଟଙ୍କ ଉପରୋକ୍ତ ମାର୍ଗଦର୍ଶିକାକୁ ଉପେକ୍ଷା କରି ଅଫିସରଙ୍କ ଦ୍ୱାରା ପରିଚାଳିତ ବୋର୍ଡ଼ ଯେଉଁ ଢ଼ଙ୍ଗରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି, ତଦ୍ଦ୍ଵାରା ଖଣି କ୍ଷତିଗ୍ରସ୍ତଙ୍କ ସମେତ ସମଗ୍ର ଖଣିଜ ଜିଲ୍ଲାର ସ୍ୱାର୍ଥ ଅପହୃତ ହେଉଛି ବୋଲି କେନ୍ଦୁଝର ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଗୁରୁତର ସଂଶୟ ପ୍ରକଟ କରାଯାଇଛି।

publive-image Odisha Sun Times

ଫୋରମ୍‌ର ସଭାପତି ଅବସରପ୍ରାପ୍ତ ଓ୍ଵିଙ୍ଗ୍‌ କମାଣ୍ଡର କୀରଣ ଶଙ୍କର ସାହୁଙ୍କ ଦସ୍ତଖତରେ ପ୍ରେରିତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ୨୦୧୪ ଡିସେମ୍ବର ୩୧ରେ ଓମ୍‌ବାଡ୍‌ସି ପଞ୍ଜୀକୃତ ହେବା ମାତ୍ରେ ସ୍ଥାନୀୟ ଆଦିବାସୀଙ୍କ କଲ୍ୟାଣ ତଥା ଖଣି ଅଞ୍ଚଳର ସମନ୍ଵିତ ବିକାଶ ନିମନ୍ତେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦିଷ୍ଟ ୮ଟି କ୍ଷେତ୍ରରେ ବିନିଯୋଗ ପାଇଁ କାମ୍ପା ପାଣ୍ଠିରୁ ଏହାକୁ ୮୬୯ କୋଟି ଟଙ୍କା ଯୋଗାଇଥିଲେ। ସେଥିରେ ଗୃହନିର୍ମାଣ ଓ ବନୀକରଣ କ୍ଷେତ୍ର ଅନ୍ତର୍ଭୁକ୍ତ ନଥିଲା। କାରଣ ଗୃହନିର୍ମାଣ ସକାଶେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ, ରାଜ୍ୟ ସରକାରଙ୍କ ମୋ କୁଡ଼ିଆ ଓ ବିଜୁ ପକ୍କାଘର ଆଦିରେ ସହାୟତା ବ୍ୟବସ୍ଥା ଥିବା ବେଳେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ (ଡିଏମ୍‌ଏଫ୍‌) ପାଣ୍ଠି ସହାୟତାରେ ମଧ୍ୟ ବିଭିନ୍ନ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କ ପାଇଁ ଗୃହନିର୍ମାଣ କରାଯାଉଛି। ଏହା ସତ୍ତ୍ୱେ ଓମ୍‌ବାଡ୍‌ସିକୁ ମିଳିଥିବା କାମ୍ପା ପାଣ୍ଠିରୁ ବିଜୁ ପକ୍କାଘର ଯୋଜନା ପାଇଁ ୨୦୧୬ ସୁଦ୍ଧା ଦିଆଯାଇଛି ୪୦୨ କୋଟି ଟଙ୍କା। ସେହିପରି ବନୀକରଣ ପାଇଁ ରାଜ୍ୟ କାମ୍ପା ପାଣ୍ଠିରୁ ବିପୁଳ ପାଉଥିଲେ ମଧ୍ୟ ତାହାର ସିଂହଭାଗ ବିନିଯୋଗ ହୋଇପାରୁ ନାହିଁ। ପୁଣି ଗତ ବର୍ଷ (୨୦୧୯ ଅଗଷ୍ଟରେ) କାମ୍ପା ପାଣ୍ଠିରୁ ରାଜ୍ୟକୁ ପୁଣି ମିଳିଛି ୫୯୩୩ କୋଟି ୯୮ ଲକ୍ଷ ଟଙ୍କା। ଅଧିକ ବିଡ଼ମ୍ବନା ହେଲା-କେନ୍ଦୁଝର ଜିଲ୍ଲାରେ ଖଣି କାର୍ଯ୍ୟକଳାପ ପାଇଁ ୨୪,୦୦୦ ହେକ୍ଟର ପରିମିତ ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ଏଠାରେ ପ୍ରତିପୂରକ ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ୱ ଦିଆନଯାଇ ବରଂ ସୁଦୂର କଳାହାଣ୍ଡି ଜିଲ୍ଲାରେ ବନୀକରଣ ଲାଗି କାମ୍ପା ପାଣ୍ଠି ଖର୍ଚ୍ଚ କରାଯାଉଛି। ଯୋଡ଼ା, ବଡ଼ବିଲ ଓ କୋଇଡ଼ା ଅଞ୍ଚଳରେ ହଜାର ହଜାର ଦରିଦ୍ର ଖଣି ଶ୍ରମିକ ନାନାଦି ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ସ୍ଥାନୀୟ ଦୁର୍ଗମ ଗାଁକୁ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ। ଏହା ସତ୍ତ୍ୱେ ସେଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସୁଧାର ଲାଗି ଓମ୍‌ବାଡ୍‌ସି ବୋର୍ଡ଼ ନୀରବ। ଓମ୍‌ବାଡ୍‌ସି ଓ କେନ୍ଦୁଝର ଡିଏମ୍‌ଏଫ୍‌ରେ ବିପୁଳ ଟଙ୍କା ଗଚ୍ଛିତ ଥିଲେ ମଧ୍ୟ ଯୋଡ଼ା-ବଡ଼ବିଲ୍‌ ଅଞ୍ଚଳରେ ସୁପର ସ୍ପେଶାଲିଟି ହସ୍‌ପିଟାଲ ସ୍ଥାପନ ପାଇଁ ଦୀର୍ଘ ବର୍ଷର ଦାବି ପ୍ରତି ସରକାର ସର୍ବଦା ଉଦାସୀନ। ସବୁଠୁ ଉଦ୍‌ବେଗଜନକ ହେଲା-ସ୍ଥାନୀୟ ମତାମତ କିମ୍ବା ପ୍ରାଥମିକତାକୁ ଉପେକ୍ଷା କରି ଓମ୍‌ବାଡ୍‌ସି ବୋର୍ଡ଼ ଇତିମଧ୍ୟରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ଗୃହୀତ କରିଥିବା ବେଳେ ସେଥିରେ ଖଣି ଅଞ୍ଚଳର ସ୍ୱାର୍ଥ ନିଷ୍ଠୁର ଭାବେ ଉପେକ୍ଷିତ; ଯାହା ତର୍ଜମାସାପେକ୍ଷ।

ଖଣି ଶ୍ରମିକଙ୍କୁ ବସ୍ତି ଯନ୍ତ୍ରଣାରୁ ମୁକ୍ତ କରି ସେମାନଙ୍କ ପାଇଁ ଖଣି ଗ୍ରାମ ନିର୍ମାଣ, ଖଣି ଅଞ୍ଚଳ ସମେତ ଜିଲ୍ଲାର ଯୁବଶକ୍ତିଙ୍କୁ କୁଶଳୀ ଓ ଉପାର୍ଜନକ୍ଷମ କରିବା ପାଇଁ ପ୍ରତି ବ୍ଲକ୍‌ରେ ଅନ୍ତତଃ ଗୋଟିଏ ହାଇସ୍କୁଲରେ କୌଶଳ ବିକାଶ କେନ୍ଦ୍ର ସ୍ଥାପନ, ଭାରୀଯାନ ଚାଳନା ତାଲିମ କେନ୍ଦ୍ର, ବାଂଶପାଳ ବ୍ଲକ୍‌ ତରମାକାନ୍ତରେ ୧୬ ବର୍ଷ ହେଲା ବନ୍ଦ ହୋଇଯାଇଥିବା ଚା’ ବଗିଚାର ପୁନରୁଦ୍ଧାର, ଲଘୁ ବନଜାତ ସାମଗ୍ରୀର ପ୍ରକ୍ରିୟାକରଣ ଓ ବିପଣନ, କୁଟୀର ଶିଳ୍ପକୁ ସହାୟତା ପ୍ରଦାନ ପାଇଁ ଫୋରମ୍‌ ପ୍ରସ୍ତାବ ଦେଇଛି। ଏଥି ସହ ଜିଲ୍ଲାରେ ଆର୍ଥିକ ବିକାଶ ଲାଗି କାନପୁର ଜଳସେଚନ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବାଣିଜ୍ୟଭିତ୍ତିକ ରେଳ ପ୍ରକଳ୍ପ ସମ୍ପ୍ରସରଣ ନିମନ୍ତେ ଖଣି ପାଣ୍ଠିରୁ ଅଂଶ ବିନିଯୋଗ, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଓ ପଶୁ ଚିକିତ୍ସା ବିଜ୍ଞାନର ସମ୍ପ୍ରସାରଣ କେନ୍ଦ୍ର, ଭୂ-ବିଜ୍ଞାନ ପ୍ରତିଷ୍ଠାନ ସ୍ଥାପନକୁ ଅଗ୍ରାଧିକାର ଦେବା ପାଇଁ ଫୋରମ୍‌ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଏସବୁ ପ୍ରସ୍ତାବଗୁଡ଼ିକୁ ଓମ୍‌ବାଡ୍‌ସି ବୋର୍ଡ଼ ବିଚାର କରିବେ କି ପ୍ରତ୍ୟାଖ୍ୟାନ କରିବେ-ତାହା ଦେଖିବାକୁ ବାକି ରହିଲା।