ଗାର୍ଗୀ ଶତପଥୀ
ସମ୍ବଲପୁର: ପ୍ରାୟ ୧୬ ବର୍ଷରୁ ଅଧିକ ସମୟ ଧରି ରାଜଗାଙ୍ଗପୁରସ୍ଥିତ ଚୂନପଥର ଖଣିରେ ବିଶ୍ବନାଥ ବାରିକ (୬୬) ଶ୍ରମିକ ଭାବରେ କାର୍ଯ୍ୟ କରିଥିଲେ। ଫଳସ୍ବରୂପ ୨୦୨୧ ମସିହାରୁ ସେ ସିଲିକୋସିସ୍ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଏହା ଚିହ୍ନଟ ହୋଇଛି। ଏହା ଏଭଳି ଏକ ରୋଗ ଯାହାର କୌଣସି ଚିକିତ୍ସା ବ୍ୟବସ୍ଥା ନାହିଁ। ଅବସ୍ଥା ଏଭଳି ଯେ ଦୈନିକ ୫ରୁ ୬ ଘଣ୍ଟା ଧରି ଅକ୍ସିଜେନରେ ରହିବାକୁ ବାଧ୍ୟ ହେଉଛନ୍ତି। ସେଥିରେ ପୁଣି ବିଭିନ୍ନ ସମୟରେ ନେବୁଲାଇଜର ନେଉଛନ୍ତି। ୧୧ ହଜାର ଟଙ୍କାର ଔଷଧ ଖାଇବାକୁ ବାଧ୍ୟ ହେଉଛନ୍ତି। ସାଢ଼େ ୪ ବର୍ଷରୁ ଅଧିକ ସମୟ ହେଲା ବାପା ଯେଉଁ କଷ୍ଟରେ ଅଛନ୍ତି ତାହା ପ୍ରକାଶ କରିବାକୁ ଭାଷା ହିଁ ନାହିଁ। ଯେଉଁ ଖଣିରେ କାର୍ଯ୍ୟ କଲେ ସେଠାରୁ ଯେଉଁ ବେତନ ପାଇଥିଲେ ତାହା ଅପେକ୍ଷା କଷ୍ଟ ଏବଂ ଚିକିତ୍ସା ଖର୍ଚ୍ଚ କାହିଁରେ କେତେ ବଢ଼ିଗଲା। କେବଳ ବାପା ଏକୁଟିଆ ନୁହନ୍ତି ଆହୁରି ଅନେକ ମଧ୍ୟ ଏଥିରେ ପୀଡ଼ିତ ହେବାର ଆଶଙ୍କା ରହିଥିବା କହିଛନ୍ତି ବିଶ୍ବନାଥଙ୍କ ପୁଅ ହିମାଂଶୁ ବାରିକ। ସିଲିକୋସିସ୍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା
ଯକ୍ଷ୍ମା, ଆଜମାରେ ଲୁଚିଯାଉଛି
ଭିମ୍ସାରରେ ୫ ବର୍ଷରେ ୫ ସନ୍ଦିଗ୍ଧ ଚିକିତ୍ସିତ
ଚିକିତ୍ସା ଖର୍ଚ୍ଚ ପାଉନାହାନ୍ତି ଆକ୍ରାନ୍ତ
ଆଉ ଜଣେ ହେଉଛନ୍ତି ମନୋଜ ସ୍ବାଇଁ (୩୫)। ତାଙ୍କ ବଡ଼ ଭଉଣୀଙ୍କ କହିବା ଅନୁସାରେ, ମନୋଜ ସୁରତରେ ଥିବା ଶାଢ଼ି କାରଖାନାରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବହୁ ଦିନ ଧରି ଜ୍ବର ଲାଗି ରହିଥିଲା। ସେ ଭଲ ନ ହେବାରୁ ଭିମ୍ସାରରେ ଚିକିତ୍ସାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମଜିଲ୍ଲା ଅଧିବାସୀ ମନୋଜଙ୍କ ପରିବାରରେ ସ୍ତ୍ରୀ, ଦୁଇ ଜଣ ଝିଅ, ପୁଅ ଅଛନ୍ତି। ଏମ୍ସ ଭୁବନେଶ୍ବର ଫୁସ୍ଫୁସ୍ ରୋଗ ବିଭାଗ ପ୍ରଫେସର ତଥା ଦେଶର ଜଣାଶୁଣା ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ମହାପାତ୍ରଙ୍କ କହିବା ଅନୁସାରେ, ସିଲିକୋସିସ ଏକ ଫୁସ୍ଫୁସ୍ ଜନିତ ରୋଗ ଅଟେ। ଏହା ଏକ ବୃତ୍ତିଗତ ବେମାରି ଅଟେ। ଯାହାକି ସିଲିକା ନାମକ ଏକ ଡଷ୍ଟ୍ ଯୋଗୁଁ ହୋଇଥାଏ। ପଥର, ସୁନାଖଣିରେ କାର୍ଯ୍ୟରତ ଶ୍ରମିକମାନେ ଏଥିଯୋଗୁଁ ଆକ୍ରାନ୍ତ ହୋଇଥାଆନ୍ତି। ବର୍ତ୍ତମାନ ଦେଶରେ ଏହା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ଇବ୍ଥର୍ମାଲ ସିଏଚ୍ସି ଅଧିକାରୀ ଡା. ଯୁଗଳକିଶୋର କହିଛନ୍ତି, ଖୋଲାମୁହଁ କୋଇଲା ଖଣି, ଚୂନପଥର, କାଚ ଖଣି ସମେତ ସବୁ ଖଣି, ସିମେଣ୍ଟ କାରଖାନା ଅଞ୍ଚଳରେ ସିଲିକୋସିସ୍ ରୋଗ ଚିହ୍ନଟ ହୋଇଥାଏ। ଏହାର ସିଧାସଳଖ ମେସିନ୍ ପରୀକ୍ଷଣ ସୁବିଧା ନାହିଁ। ୧୦ ବର୍ଷରୁ ଅଧିକ ସମୟ ଧରି ଖଣି ଅଞ୍ଚଳରେ କାର୍ଯ୍ୟର ଇତିହାସ ସହିତ ରୋଗର ଲକ୍ଷଣ, ସିଟିସ୍କାନ, ଏକ୍ସ-ରେ, ବ୍ରାଙ୍କୋସ୍କୋପି ଜରିଆରେ ଏହା ଚିହ୍ନଟ ହୋଇଥାଏ। ବିଶେଷଜ୍ଞମାନେ ହିଁ ଏହାକୁ ଚିହ୍ନଟ କରିପାରନ୍ତି। ନାକ ବଦଳରେ ପାଟିରେ ନିଶ୍ବାସ ନେଉଥିଲେ ଏହା ଆହୁରି ଜଟିଳ ହୋଇଯାଏ।
ଯକ୍ଷ୍ମା ଓ ଆଜ୍ମା ଆକ୍ରାନ୍ତଙ୍କ ସବୁ ଲକ୍ଷଣ ସିଲିକୋସିସ୍ରେ ରହିଥାଏ। ତେଣୁ ଅନେକ ସମୟରେ ସିଲିକୋସିସ୍ ରୋଗ ଯକ୍ଷ୍ମା ଓ ଆଜ୍ମା ମଧ୍ୟରେ ଲୁଚି ରହିଯାଏ। ଆଉ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ପରିବାରଙ୍କ କହିବା ଅନୁସାରେ, ଯକ୍ଷ୍ମାଠାରୁ ସିଲିକୋସିସ ଆହୁରି ଭୟଙ୍କର ରୋଗ। କାରଣ ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ମୁକ୍ତି ନାହିଁ। କେବଳ ଔଷଧ ଜରିଆରେ ମୃତ୍ୟୁକୁ କିଛି ଦିନ ଟାଳି ଦିଆଯାଇପାରେ। କିନ୍ତୁ ଚିକିତ୍ସା ଖର୍ଚ୍ଚ ଏତେ ଅଧିକ ହୋଇଯାଏ ଯେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଏ। ସାଧାରଣତଃ ଶ୍ରମିକମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। କାର୍ଯ୍ୟରତ କମ୍ପାନି ପକ୍ଷରୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ପାଇଁ ନିୟମ ରହିଥିଲେ ମଧ୍ୟ କୌଣସି କମ୍ପାନି ପାଳନ କରୁ ନାହାନ୍ତି। ସରକାର ଯକ୍ଷ୍ମା ନେଇ ପରିସଂଖ୍ୟାନ ରିପୋର୍ଟ ଦେଉଥିଲେ ମଧ୍ୟ ସିଲିକୋସିସ୍ ସମ୍ପର୍କରେ କୌଣସି ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁ ନାହାନ୍ତି କି ତାକୁ ନେଇ ଆଲୋଚନା କରୁ ନାହାନ୍ତି। ରାଜ୍ୟର କେନ୍ଦୁଝରରେ ସିଲିକୋସିସ୍ ପ୍ରଥମେ ଚିହ୍ନଟ ହୋଇଥିଲା। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଏବେ ଅଧିକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଭିମ୍ସାରରେ ୫ ଜଣ ଚିକିତ୍ସିତ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଉପଯୁକ୍ତ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଦିଆଯାଇଥିବା ତଥ୍ୟରେ ୫ ରୋଗୀଙ୍କୁ ସନ୍ଦିଗ୍ଧ ଭାବରେ ଉଲ୍ଲେଖ କରାଯାଇଛି।