କେନ୍ଦୁଝର: ଓଡ଼ିଶାରେ ରହିଛି ବ୍ୟାପକ ଖଣିଜ ସମ୍ପଦ। କିନ୍ତୁ ଯେଉଁଭଳି ଭାବେ ଖଣି ଖନନ ଚାଲିଛି, ମାତ୍ର ୨୦ ବର୍ଷ ଭିତରେ ଖଣିଜ ପଦାର୍ଥ ବିଶେଷ କରି ଲୁହାପଥର ଶେଷ ହୋଇଯିବାର ଆଶଙ୍କା ରହିଛି। କର୍ଣ୍ଣାଟକ ଓ ଗୋଆ ଭଳି ଓଡ଼ିଶା ସରକାର ମଧ୍ୟ ଖଣି ଖନନରେ ଅଙ୍କୁଶ ଲଗାଇବା ଉଚିତ। ଏଥିପାଇଁ ଅନ୍ୟ ରାଜ୍ୟରେ ଥିବା ‘କ୍ୟାପିଂ ବ୍ୟବସ୍ଥାକୁ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ କମନକଜ୍‌ ଅନୁଷ୍ଠାନ ପକ୍ଷରୁ ୨୦୧୪ରେ ଏକ ରିଟ୍‌ ପିଟିସନ୍‌ ଦାଖଲ ହୋଇଥିଲା। ଏହାର କେସ୍‌ ନମ୍ବର ହେଉଛି-୧୧୪/୨୦୧୪। ଏହି ପିଟିସନ୍‌ ଉପରେ ଏକ ଇଣ୍ଟରଲୋକ୍ୟୁଟାରି ଆପ୍ଲିକେସନ ବା ଆଇଏ-୪୨୫୭୧/୨୦୨୩ ଦାଖଲ ହୋଇଥିଲା। ଏହା ଉପରେ ସୁପ୍ରିମକୋର୍ଟ ଗତ ୪ ତାରିଖରେ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ଜାରି କରିଛନ୍ତି।

Advertisment

କମନକଜ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ, ଖଣି ଖନନ କ୍ଷେତ୍ରରେ କର୍ଣ୍ଣାଟକ ଓ ଗୋଆ ଭଳି ରାଜ୍ୟରେ ଅଙ୍କୁଶ ଲଗାଯାଇଛି। ଏଠାରେ କ୍ୟାପିଂ ବ୍ୟବସ୍ଥା ରହିଛି। ଓଡ଼ିଶାରେ ମଧ୍ୟ ଏଭଳି ହେବା ଉଚିତ। ଓଡ଼ିଶାରେ ୫୮ଜଣ ଲିଜ୍‌ଧାରୀ ବାର୍ଷିକ ୨୨୭.୧୩ ମିଲିଅନ୍‌ ଟନ୍‌ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ଅନୁମତି ପାଇଛନ୍ତି। ଓଡ଼ିଶାର ସମୁଦାୟ ଖଣିଜ ସମ୍ପଦର ପରିମାଣ ୪୭୪୮.୫୨ ମିଲିଅନ୍‌ ଟନ୍‌ ହୋଇଥିବା ବେଳେ ଏହି ପରିମାଣରେ ଉତ୍ତୋଳନ କରାଗଲେ ଆସନ୍ତା ୨୦ ବର୍ଷରେ ଖଣିଜ ସମ୍ପଦ ଶେଷ ହୋଇଯିବ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିକୁ ଗ୍ରହଣ କରି ସୁପ୍ରମିକୋର୍ଟ ଦର୍ଶାଇଛନ୍ତି ଯେ, ଓଡ଼ିଶାରେ ଖଣିଜ ଉତ୍ତୋଳନ ଉପରେ ଅଙ୍କୁଶ ଲଗାଇବା ନେଇ କେନ୍ଦ୍ର ସରକାର ବିଚାର କରନ୍ତୁ। ଯଦି ଓଡ଼ିଶାରେ କ୍ୟାପିଂ ବ୍ୟବସ୍ଥା ଲାଗୁ ହେବ, ତେବେ କିଭଳି ଏହା ରହିବ ତାହାକୁ ମଧ୍ୟ କର୍ଣ୍ଣାଟକ ଓ ଗୋଆକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ସ୍ଥିର କରିବା ଉଚିତ। ଏ ସମ୍ପର୍କରେ ୮ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲକରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଖଣି ଖନନରେ କ୍ୟାପିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିସ କରିବାକୁ ସେଣ୍ଟ୍ରାଲ ଏମ୍‌ପାୱାର କମିଟିକୁ ସୁପ୍ରିମକୋର୍ଟ ନିର୍ଦେଶ ଦିଅନ୍ତୁ ବୋଲି ଆମିକସ୍‌ କ୍ୟୁରି ଏଡିଏନ୍‌ ରାଓ ଦର୍ଶାଇଛନ୍ତି। କିନ୍ତୁ କେନ୍ଦ୍ର ସରକାଙ୍କ ସତ୍ୟପାଠ ଦାଖଲ ପରେ ଏ ଦିଗରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ମୁକ୍ତାର ଅହମ୍ମଦ ରାଇନ କହିଛନ୍ତି, ଖଣି ଖନନରେ ଅଙ୍କୁଶ ଲାଗିବା ଉଚିତ। ନଚେତ କେନ୍ଦୁଝର ଭଳି ଖଣିଖାଦାନ ଭରା ଜିଲ୍ଲାରେ ଆଉ କିଛିବର୍ଷ ପରେ ମୁଠାଏ ଲୁହାପଥର ନଥିବ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।