ଟାଙ୍ଗୀ: ଟାଙ୍ଗୀ ତହସିଲ ଅଧୀନସ୍ଥ କୁଞ୍ଜୁରୀ ପଞ୍ଚାୟତ ଜରିପୁଟ ମୌଜାର ଭୀମରଡ଼ି ପାହାଡ଼ ୧୧ ନମ୍ବର ଖଣିରେ ବେଆଇନ ଖନନକୁ ନେଇ ଜରିପୁଟ ସମେତ ଜୟମଙ୍ଗଳପୁର, କୟଥପଲ୍ଲା ଗ୍ରାମବାସୀ ଓ ଖଣି ନିଲାମଧାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଘରୋଇ ଜମିରେ ଖଣି ଖନନ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାପଚୁପ ପରେ ଖଣି ଖନନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

Advertisment

ସୂଚନାଯୋଗ୍ୟ ଯେ ଶନିବାର ଦିନ ଗ୍ରାମବାସୀମାନେ ଖଣି ଖନନକୁ ବିରୋଧ କଲା ବେଳେ ନିଲାମଧାରୀମାନେ ବିରୋଧକୁ ଭୂକ୍ଷେପ ନ‌କରି ବିସ୍ଫୋରଣ ଘଟାଇଥିଲେ। ଏହାକୁ ନେଇ ରବିବାର ଦିନ ଶହଶହ ମହିଳା ଓ ପୁରୁଷ ଖଣି ନିକଟରେ ରାସ୍ତା ଅବରୋଧ କରିଥିଲେ। ଗତକାଲି ରାତିସାରା ଗ୍ରାମବାସୀ ଖଣିକୁ ଜଗିରହିଥିବା ବେଳେ ଆଜି ମଧ୍ୟ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଅଡ଼ି ବସିଥିଲେ। ଖଣି ମାପଚିହ୍ନଟ ହୋଇନଥିବାରୁ ଘରୋଇ ଜାଗାକୁ ଖଣିମାଫିଆମାନେ ଜବରଦସ୍ତ ଦଖଲ କରି ଖନନ କରୁଛନ୍ତି। ତେଣୁ ଖଣିକୁ କୌଣସି ଯାନବାହାନ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଟାଙ୍ଗୀ ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ସୋମବାର ନିଲାମଧାରୀ, ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ଏକ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରାଯିବ। ମାପଚିହ୍ନଟ କରାଯିବା ପରେ ଖଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।