ଭୁବନେଶ୍ବର: ନିଲାମ ହୋଇଥିବା ଖଣିଗୁଡ଼ିକର ପରିଚାଳନା ଆରମ୍ଭ କରିବାରେ ରହିଥିବା ସମସ୍ୟା ଯୋଗୁଁ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶିଳ୍ପ ସଂସ୍ଥାଗୁଡ଼ିକ ପାଖରେ ଆବଶ୍ୟକ ପରିମାଣର କଞ୍ଚାମାଲ୍ ପହଞ୍ଚିପାରୁନାହିଁ। ତେଣୁ ସେମାନଙ୍କୁ ଅଧିକ ଦାମ୍ରେ କଞ୍ଚାମାଲ କିଣିବାକୁ ପଡ଼ୁଛି। ଏହା ରାଜ୍ୟର ସ୍ପଞ୍ଜ ଆଇରନ୍ କାରଖାନା ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ କାରଖାନା ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ସବୁ ସମସ୍ୟା ବିଷୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ କଥା ହୋଇଛନ୍ତି।
ନିକଟରେ ନିଲାମ ହୋଇଥିବା କିଛି ଖଣିକୁ ନେଇ ଦେଖାଦେଇଥିବା ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମ୍ଏମ୍ଡିଆର ନିୟମର ଧାରା ୧୨ଏରେ ଥିବା ବ୍ୟବସ୍ଥା ଅନୁସାରେ ଲିଜ୍ ଅବଧି ଶେଷ ହୋଇଥିବା କିଛି କାର୍ଯ୍ୟକ୍ଷମ ଖଣିକୁ ଓଡ଼ିଶା ଖଣି ନିଗମ (ଓଏମ୍ସି) ଭଳି ସଂସ୍ଥା ପାଇଁ ସଂରକ୍ଷିତ ରଖିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଦୀର୍ଘଦିନ ଧରି ସମାଧାନ ହୋଇନପାରି ପଡ଼ିରହିଥିବା କୋଇଲା ରୟାଲ୍ଟି ପ୍ରସଙ୍ଗ ପ୍ରତି ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସମସ୍ୟାର ତ୍ବରିତ ସମାଧାନ ପାଇଁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନର କଠିନ ସମୟରେ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ କଞ୍ଚାମାଲର ଯେଉଁ ଅଭାବ ଦେଖାଦେଇଛି ତାହାର ସମାଧାନ କରିବା ଲାଗି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ସେମାନେ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇପାରିବେ ଯାହା ଏମ୍ଏସଏମ୍ଇ କ୍ଷେତ୍ରର ସମସ୍ୟାକୁ ଅନେକାଂଶରେ ଦୂର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖଣି କ୍ଷେତ୍ରରେ ଅଧିକ ସଂସ୍କାର ଆଣିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ଯୁକ୍ତି ଉପସ୍ଥାପନ କରିଛନ୍ତି। କୋଇଲା ରୟାଲ୍ଟି ପ୍ରସଙ୍ଗରେ ମଧ୍ୟ ଆଜି ଆଲୋଚନା ହୋଇଛି। ୨୦୧୭ ପରଠାରୁ କୋଇଲା ରୟାଲ୍ଟି ସଂଶୋଧନ ହୋଇନାହିଁ। ସ୍ବଚ୍ଛ ଶକ୍ତି ସେସ୍ରେ ଅନେକ ଥର ବୃଦ୍ଧି ଅଣାଯାଇଥିବା ବେଳେ ତାହାର କୌଣସି ଲାଭ ରାଜ୍ୟ ସରକାରଙ୍କୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ଅନୁସାରେ ଦେଶର ଅନ୍ୟତମ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସଫଳତାର ସହ ଖଣି ନିଲାମ କରିଥିଲା। ଉତ୍ପାଦନ ଏବଂ ଡେସ୍ପାଚ୍ରେ ଏଭଳି ବିଭ୍ରାଟକୁ ଦେଇ ଦେଖାଦେଇଥିବା ଅନିଶ୍ଚିତତା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। କଞ୍ଚାମାଲ ଦରରେ ହୋଇଥିବା ବୃଦ୍ଧି ସ୍ପଞ୍ଜ ଆଇରନ୍ କାରଖାନା ଓ କ୍ଷୁଦ୍ର ଓ ମଧ୍ୟମ ଧରଣର ଇସ୍ପାତ କାରଖାନାଗୁଡ଼ିକ ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହା ଦ୍ବାରା ରାଜ୍ୟର ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିବା ବେଳେ ଖଣି ଉପରେ ନିର୍ଭରଶୀଳ ଲୋକମାନଙ୍କ ଜୀବିକାକୁ ନେଇ ସମସ୍ୟା ଦେଖାଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାରେ ନିଲାମ ହୋଇଥିବା ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହା ହେଲେ ଇସ୍ପାତ ଶିଳ୍ପର କଞ୍ଚାମାଲ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି। ଏହି ଆଲୋଚନାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, କେନ୍ଦ୍ର କୋଇଲା ସଚିବ, ଉନ୍ନୟନ କମିସନର, ଖଣିର ପିଆର୍ଏସ୍, ମୁଖ୍ୟମନ୍ତ୍ରୀ (୫-ଟି) ସଚିବ ଓ ଓଏମ୍ସିର ଏମ୍ଡି ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/54565465456ddadagdgagd.jpg)
