ଭୁବନେଶ୍ୱର : ୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ଖୋଲାବଜାରରୁ ଟଙ୍କାଟିଏ ବି ଋଣ କରିନାହାନ୍ତି। ଆହୁରି ବଡ଼ କଥା ହେଲା, ପ୍ରଥମ ଥର ପାଇଁ ରାଜ୍ୟର ମୋଟ ଋଣ ପରିମାଣ ବଢ଼ିବା ବଦଳରେ କମିବାକୁ ଯାଉଛି। ଅନ୍ୟପକ୍ଷରେ ଗୋଟିଏ ବଡ଼ ସୂଚନା ମିଳୁଛି ଯେ ଆସନ୍ତା ଜୁନମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ସହିତ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ସଂପର୍କରେ ଘୋଷଣା କରିବାକୁ ଯାଉଛନ୍ତି ଏବଂ ସେତେବେଳେ କିଛି ନୂଆ ଯୋଜନା ବି ସାମ୍ନାକୁ ଆସିବ।
ଏବର୍ଷ ଖୋଲାବଜାରରୁ ଋଣ କଲେନି, ଆସନ୍ତା ବର୍ଷ ୨୨୫୯ କୋଟି ଆଣିବେ
ମୋଟ ଋଣ ପରିମାଣ ୧ଲକ୍ଷ କୋଟିକୁ କମିବା ନେଇ ଆକଳନ
ପୂର୍ଣ୍ଣାଙ୍ଗ ବଜେଟ୍ରେ ଆସିବ ନୂଆ ଯୋଜନା, ସଂସ୍କାରମୂଳକ ପଦକ୍ଷେପ
ଏଥିସହିତ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଯେଉଁ ଲେଖାନୁଦାନ ବିଧାନସଭାରେ ବୁଧବାର ଦିନ ଆଗତ ହୋଇଛି, ସେଥିରେ ଅର୍ଥନୀତିଜ୍ଞମାନଙ୍କୁ ଆଶ୍ବସ୍ତି କଲାଭଳି ଗୋଟିଏ ବଡ ଖବର ରହିଛି। ତାହା ହେଲା ସରକାର ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପୁଞ୍ଜି ଖର୍ଚ୍ଚକୁ ୫୬% ପର୍ଯ୍ୟନ୍ତ ବଢାଇଛନ୍ତି। ୨୦୨୨-୨୩ ବର୍ଷରେ ପୁଞ୍ଜି ଖର୍ଚ୍ଚ ବାବଦରେ ମୋଟ ୪୦ ହଜାର ୧୧ କୋଟି ଟଙ୍କା ଅଟକଳ କରାଯାଇଛି, ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୫.୬%। ଏହାବ୍ୟତୀତ ଅର୍ଥ ବିଭାଗ ହିସାବ କରିଛି ଯେ ଋଣ ଓ ଅଗ୍ରୀମ, ପୁଞ୍ଜି ସଂପତ୍ତିର ସୃଷ୍ଟି ପାଇଁ ଅନୁଦାନ ଏବଂ ପୁଞ୍ଜି ଗଠନ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ଆଦିକୁ ମିଶାଇ ମୋଟ ବ୍ୟୟ ବରାଦ ୫୧ ହଜାର ୭୯୯ କୋଟି (ଜିଏସଡିପିର ୭.୨%) ଟଙ୍କାରୁ ଅଧିକ ହେବ।
ପ୍ରତିବର୍ଷ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବା ବେଳେ ସ୍ବାଭାବିକ ଭାବେ ଗୋଟିଏ ପ୍ରଶ୍ନ ଉଠିଥାଏ ଯେ ଏହି ବଜେଟ୍ ପାଇଁ ରାଜ୍ୟ ସରକାର କେଉଁଠୁ ସମ୍ବଳ ସଂଗ୍ରହ କରିବାକୁ ଲକ୍ଷ୍ୟ କରିଛନ୍ତି। ଆଉ ଯେତେବେଳେ କୋଭିଡ୍ରେ ଦେଶର ଅର୍ଥନୀତି ଗଭୀର ପ୍ରଭାବିତ ହୋଇଛି ସେବେ ରାଜ୍ୟ ସରକାରଙ୍କ ବଜେଟ୍ ଗୋଲାପୀ ଗୋଲାପୀ ଦିଶିବା ଘଟଣା ସବୁ ମହଲରେ ଉତ୍ସୁକତା ବଢ଼ାଇ ଦେଇଛି।
ହେଲେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ୨୦୨୨-୨୩ ଆର୍ଥିକ ବର୍ଷରେ ନିଜସ୍ବ ଟିକସ ଉତ୍ସରୁ ୪୬ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯଦିଓ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପରେ ଜିଏସ୍ଟି କ୍ଷତିପୂରଣ ଆଉ ମିଳିବ ନାହିଁ, ତଥାପି ଏହି ସୂତ୍ରରୁ ୧୯ ହଜାର ୪୭୯ କୋଟି ଟଙ୍କା ସଂଗ୍ରହ ହେବ। ଏହା ବ୍ୟତୀତ
ବିକ୍ରି କରରୁ ୧୧ ହଜାର ୨୦୮ କୋଟି ଟଙ୍କା, ମୋଟର ଯାନ ଟିକସରୁ ୨ ହଜାର ୧୦୩ କୋଟି ଟଙ୍କା, ଜମି ରାଜସ୍ବ ଭାବେ ୬୧୦ କୋଟି ଟଙ୍କା, ଷ୍ଟାମ୍ପ୍ ଓ ପଞ୍ଜୀକରଣ ଫି’ରୁ ୨ ହଜାର ୧୦ କୋଟି ଟଙ୍କା, ବିଦ୍ୟୁତ ଟିକସ ଓ ଶୁଳ୍କରୁ ୩ ହଜାର ୭୮୮ କୋଟି ୭୦ ଲକ୍ଷ ଟଙ୍କା, ରାଜ୍ୟ ଅବକାରୀ ଟିକସ ଭାବେ ୬ ହଜାର ୪୯୬ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ ୩୦୫ କୋଟି ଟଙ୍କା ସଂଗ୍ରହ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ରାଜ୍ୟର ନିଜସ୍ବ ଅଣ-ଟିକସ ଉତ୍ସରୁ ସରକାର କିନ୍ତୁ ୪୮,୨୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ସୁଧ ଆୟ ଭାବେ ୧୪୭୨ କୋଟି ଟଙ୍କା, ଲାଭାଂଶ ଓ ଲାଭ ଭାବେ ୬୫୦ କୋଟି ଟଙ୍କା ଆଦାୟ ହୋଇପାରେ। ସବୁଠାରୁ ବଡ଼ ଅର୍ଥ ଖଣି ରୟାଲ୍ଟିରୁ ୪୩ ହଜାର ୪୪୪ କୋଟି ୬ ଲକ୍ଷ ଟଙ୍କା ମିଳିବ।ଏହାବ୍ୟତୀତ ବୃହତ ଓ ମଧ୍ୟମ ଜଳସେଚନରୁ ୧ ହଜାର ୨ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଉତ୍ସରୁ ୧ ହଜାର ୬୩୧ କୋଟି ୭୪ ଲକ୍ଷ ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି।
ଟିକସ ଭାଗବଣ୍ଟାରେ ନିଜ ଭାଗ ସ୍ବରୂପ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ୩୬ ହଜାର ୯୭୭ କୋଟି ୮୮ ଲକ୍ଷ ଟଙ୍କା ପାଇବେ ବୋଲି ବଜେଟ୍ରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରୀୟ ଜିଏସ୍ଟିରୁ ଭାଗ ୧୨ ହଜାର ୧୪୧ କୋଟି ୭୪ ଲକ୍ଷ ଟଙ୍କା, କଂପାନି ଟିକସରୁ ୧୧ ହଜାର ୫୪୫ କୋଟି ୯୦ ଲକ୍ଷ ଟଙ୍କା, ଆୟ ଓ ସମ୍ପତ୍ତି ଟିକସରୁ ନିଜ ଭାଗ ଭାବେ ୧୧ ହଜାର ୧୫୦ କୋଟି ୪୯ ଲକ୍ଷ ଟଙ୍କା, ସୀମା ଶୁଳ୍କରୁ ୧୬୦୩ କୋଟି ୨୩ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଶୁଳ୍କ ଓ ଟିକସରୁ ନିଜ ଭାଗ ଭାବେ ରାଜ୍ୟ ସରକାର ୫୩୬ କୋଟି ୫୨ ଲକ୍ଷ ଟଙ୍କା ପାଇବେ ବୋଲି ହିସାବ କରିଛନ୍ତି।
କେନ୍ଦ୍ରରୁ ଅନୁଦାନ ଭାବେ ସରକାର ୩୨ ହଜାର ୭୮୮ କୋଟି ୬୪ ଲକ୍ଷ ଟଙ୍କା ପାଇବେ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ବାବଦରେ ୨୭ ହଜାର ୭୨୦ କୋଟି ୩୩ ଲକ୍ଷ ଟଙ୍କା, କେନ୍ଦ୍ରୀୟ କ୍ଷେତ୍ରର ସ୍କିମ୍ ଭାବେ ୩୭୪ କୋଟି ୫୦ ଲକ୍ଷ ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨ ହଜାର ୧୫୯ କୋଟି ୧୬ ଲକ୍ଷ ଟଙ୍କା, ରାଜ୍ୟରୁ ହସ୍ତାନ୍ତର ଭାବେ ୨ ହଜାର ୫୩୪ କୋଟି ୬୫ ଲକ୍ଷ ଟଙ୍କା ପାଇବାକୁ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି।
ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୦-୨୧ରେ ଖଣି ସୂତ୍ରରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଏହା ୪୮ ହଜାର କୋଟିକୁ ଛୁଇଁଯାଇପାରେ। ଏଣୁ ଏବର୍ଷରୁ ପାଖାପାଖି ୨୦ ହଜାର କୋଟିରୁ ଅଧିକ ବଳକା ଅର୍ଥ ଆସନ୍ତାବର୍ଷ ଖର୍ଚ୍ଚ ହେବା ଲାଗି ସୁଯୋଗ ସୃଷ୍ଟି ହୋଇଛି। ଏହା ସରକାରଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଛି। ସରକାର ଏ ବର୍ଷ ଋଣ କରିନାହାନ୍ତି ଫଳରେ ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୪ହଜାର କୋଟି (୨୦୨୦-୨୧)ରୁ ଖସି ମାର୍ଚ୍ଚ ୩୧ ତାରିଖ ବେଳକୁ ୧ଲକ୍ଷ କୋଟିକୁ ଖସିଯିବ ବୋଲି ହିସାବ କରାଯାଉଛି। ସେହିଭଳି ଆସନ୍ତାବର୍ଷ ସରକାର ବିଭିନ୍ନ ସୂତ୍ରରୁ ୩୬ ହଜାର କୋଟି ଟଙ୍କା ଆବଶ୍ୟକତା କରୁଥିଲେ ହେଁ, ଏଥିରେ ଖୋଲା ବଜାରରୁ ଋଣ ପରିମାଣ କିନ୍ତୁ ଅତି ନଗଣ୍ୟ ରହିଛି। ଏହାର ପରିମାଣ ୨୨୫୯ କୋଟି ଟଙ୍କା। ସରକାର ଓଡ଼ିଶା ଖଣିଜ ସଂପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି), ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଆଦିର ପୂର୍ଣ୍ଣ ଉପଯୋଗ କରିବେ।