ଭୁବନେଶ୍ବର: ‘‘ଖଣି ଲିଜ୍‌ ଅନ୍ତର୍ଗତ ଜମିରୁ ରାଜ୍ୟ ସରକାରମାନେ ୨୦୦୫ ଏପ୍ରିଲ୍‌ ପହିଲାରୁ ପିଛିଲା ଭାବେ ଟିକସ ଅସୁଲ କରିପାରିବେ’’। ତତ୍କାଳୀନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ନଅ ଜଣ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍‌କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ତିନି ଦଶନ୍ଧିର ଆଇନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣି ଗତ ଅଗଷ୍ଟ ୧୪ରେ ଏମିତି ଏକ ରାୟ ଦେଇଥିଲେ। ଏହି ଐତିହାସିକ ରାୟ ଯୋଗୁଁ ଓଡ଼ିଶା ସମେତ ୧୯ଟି ଖଣିଜ ରାଜ୍ୟ ବିପୁଳ ପରିମାଣରେ ଅତିରିକ୍ତ ରାଜସ୍ବ ସଂଗ୍ରହ କରିବା ଲାଗି ସୁଯୋଗ ସୃଷ୍ଟି ହୋଇଛି। ଯେହେତୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିସ୍ତୃତ ଲିଜ୍‌ ଅଞ୍ଚଳରେ ଖଣି କାର୍ଯ୍ୟକଳାପ ଜାରି ରହିଛି, ଏଣୁ ସ୍ବାଭାବିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସର୍ବାଧିକ ଅତିରିକ୍ତ ରାଜସ୍ବ ପାଇବା କଥା। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହି ଫର୍ମୁଲା ଅବିକଳ କାର୍ଯ୍ୟକାରୀ ହେଲେ ଓଡ଼ିଶା ୨୦୦୫ ଏପ୍ରିଲ୍‌ରୁ ପିଛିଲା ଭାବେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ପାଇବ। ଏହାକୁ ଛାଡ଼ି ରାଜ୍ୟ ରାଜକୋଷକୁ ପ୍ରତି ବର୍ଷ ଆଉ ପ୍ରାୟ ୧୨ ହଜାର କୋଟି ଟଙ୍କା ଆସିବ। ଯେହେତୁ ପ୍ରତି ବର୍ଷ ଖଣି ନିଲାମ ହେଉଛି, ସେ ଦୃଷ୍ଟିରୁ ଏହି ଅତିରିକ୍ତ ରାଜସ୍ବ ପରିମାଣ ଆଗାମୀ ବର୍ଷରେ ବୃଦ୍ଧି ପାଇବା ସମ୍ଭାବନା ଅଛି। ହେଲେ ଉଦ୍‌ବେଗର ବିଷୟ ହେଉଛି, ରାଜସ୍ବ ବୃଦ୍ଧିର ଏଭଳି ଅପ୍ରତ୍ୟାଶିତ ସୁଯୋଗ ହାସଲ ଦିଗରେ ରାଜ୍ୟର ନୂଆ ସରକାର ଏଯାଏଁ ତତ୍ପରତା ଦେଖାଇନାହାନ୍ତି। 

Advertisment

ଓଲଟା ରାଜ୍ୟ ଖଣି ବିଭାଗ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି। ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ଖଣି ବିଶାରଦମାନେ ପ୍ରଶ୍ନ ଉଠାଇଲେଣି। ଅର୍ଥନୀତି ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ଗରିବ ଓଡ଼ିଶାକୁ ଜାତୀୟ ମୁଖ୍ୟସ୍ରୋତକୁ ଆଣିବାର ନାରା ଦେଇ ଦୀର୍ଘ ୨୪ ବର୍ଷ ଧରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଉଥିଲେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର। ଏବେ ବିଜେଡି ମୁଖ୍ୟ ବିରୋଧୀ ଦଳରେ ଥିଲେ ବି ଏ ପ୍ରସଙ୍ଗରେ ନିରୁତ୍ତର ରହିଛି। ଏଣୁ ସମୁଦାୟ ଘଟଣାଟି ଏବେ ସନ୍ଦେହ ବଢ଼ାଇଲାଣି। ସୁପ୍ରିମ୍‌କୋର୍ଟଙ୍କ ରାୟର ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା; ଅଗଷ୍ଟ ୨୪ ପରେ ଖଣିଜ ରାଜ୍ୟଗୁଡ଼ିକ ଲିଜ୍‌ ଜମିରୁ ଟିକସ ଅସୁଲ କରିପାରିବେ। କେବଳ ସେତିକି ନୁହେଁ, ୨୦୦୫ ଏପ୍ରିଲ୍‌ ପହିଲାରୁ ୨୦୨୪ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏ ହିସାବକୁ ଆସୁଥିବା ବକେୟା ଟିକସ ୨୦୨୬ ଏପ୍ରିଲ୍‌ରୁ ବାର୍ଷିକ କିସ୍ତି ଆକାରରେ ଅସୁଲ ହେବ। ସରକାର ଯଦି ନଗଦ ଅସୁଲ ନ କରନ୍ତି ତେବେ ଏହି ରାଜସ୍ବ ବକେୟା ଭାବେ ପରିଗଣିତ ହେବ।

ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବି ତତ୍ପରତା ଦେଖାଉନାହାନ୍ତି ସରକାର
କୋର୍ଟ କହିଛନ୍ତି, ଖଣି ଲିଜ୍‌ ଜମିରୁ ଟିକସ ଅସୁଲ ରାଜ୍ୟ ଅଧିକାରଭୁକ୍ତ
ଏଜିଙ୍କ ମତ ମାଗିଥିଲେ ଖଣି ମନ୍ତ୍ରୀ, ଏବେ ବି ସମସ୍ତଙ୍କ ପାଇଁ ଅଜଣା

ଉଲ୍ଲେଖଯୋଗ୍ୟ, ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ଯେଉଁ ନିର୍ଦ୍ଦିଷ୍ଟ ଆଇନ ବଳରେ ୧୯୯୨ରୁ ରାଜ୍ୟର କୋଇଲା ଖଣି ଲିଜ୍‌ ଜମିରୁ ଅତିରିକ୍ତ ଟିକସ ଅସୁଲ କରି ଆସୁଥିଲେ, ତାହାକୁ ଆଧାର କରି ବିଜେଡି ସରକାର ୨୦୦୪ରେ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ଓ ସାମାଜିକ-ଅର୍ଥନୈତିକ ବିକାଶ’ (ଓରିସେଡ୍‌) ବିଲ୍‌-୨୦୦୪ ବିଧାନସଭାରେ ପାସ୍‌ କରାଇଥିଲେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ୨୦୦୫ ଫେବ୍ରୁଆରି ପହିଲାରେ ତାହା ଆଇନର ରୂପ ନେଇଥିଲା। ତେବେ ଟାଟା ଷ୍ଟିଲ୍‌ ଏହାକୁ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ତାହା ଖାରଜ ହୋଇଥିଲା। ୨୦୦୬ରେ ଓଡ଼ିଶା ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ପୂର୍ବରୁ କୋଲ୍‌ ଇଣ୍ଡିଆ ଆବେଦନକୁ ଭିତ୍ତି କରି କୋଲକାତା ହାଇକୋର୍ଟ ଖଣିଜ ରୟାଲ୍‌ଟିକୁ ଟିକସ ଭାବେ ତର୍ଜମା କରି ଖଣି ଲିଜ୍‌ ଜମିରୁ ଅତିରିକ୍ତ ଟିକସ ଅସୁଲକୁ ଅଣସାମ୍ବିଧାନିକ ଘୋଷଣା କରିବାରୁ ସରକାର ସୁପ୍ରିମ୍‌କୋର୍ଟକୁ ଯାଇଥିଲେ। ସେହିପରି ତାମିଲନାଡୁ ସରକାର ଚୂନପଥର ଖଣିରୁ ଅନୁରୂପ ଭାବେ ଅସୁଲ କରୁଥିବା ଅତିରିକ୍ତ ରାଜସ୍ବକୁ ୧୯୮୯ରେ ଇଣ୍ଡିଆ ସିମେଣ୍ଟ କମ୍ପାନି ଚ୍ୟାଲେଞ୍ଜ କରିବାରୁ ମାଡ୍ରାସ୍‌ ହାଇକୋର୍ଟ ମଧ୍ୟ ଖଣିଜ ରୟାଲ୍‌ଟିକୁ ଟିକସ ଭାବେ ତର୍ଜମା କରି ଅତିରିକ୍ତ ଟିକସ ଅସୁଲରେ ରୋକ୍ ଲଗାଇଥିଲେ। ଏଭଳି ଅନେକ ବିବାଦର ବିଚାର ସକାଶେ ପ୍ରଥମେ  ସୁପ୍ରିମ୍‌କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଗଠିତ ହୋଇଥିଲା। ସ୍ପଷ୍ଟ ନିଷ୍କର୍ଷ ନ ବାହାରିବାରୁ ମାମଲାଗୁଡ଼ିକ ପୁଣି ୫ ଜଣିଆ ବିଚାରପତି ଖଣ୍ଡପୀଠ ଏବଂ ଶେଷରେ ୯ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା। 

ଦେଶର ବିଭିନ୍ନ ଖଣିଜସଂପଦଭରା ରାଜ୍ୟ ସମେତ ବିଭିନ୍ନ ଶିଳ୍ପ ଓ ଖଣି ସଂସ୍ଥା ଦ୍ବାରା ଆଗତ ପିଟିସନ୍‌ଗୁଡ଼ିକୁ ତର୍ଜମା କରି ୨୦୨୪ ଜୁଲାଇ ୨୫ରେ ସାମ୍ବିଧାନିକ ଖଣ୍ଡପୀଠ ‘ଖଣିଜ ରୟାଲ୍‌ଟି ଟିକସ ନୁହେଁ’ ବୋଲି ସ୍ପଷ୍ଟ କରିବା ସହ ଖଣି ଲିଜ୍‌ ଅନ୍ତର୍ଗତ ଜମିରୁ ଅତିରିକ୍ତ ଟିକସ ଅସୁଲ ଅଧିକାର ରାଜ୍ୟମାନଙ୍କର ଅଛି ବୋଲି ରାୟ ଦେଇଥିଲେ। ଆଇନ ବିଶେଷଜ୍ଞଙ୍କ ମତରେ ସୁପ୍ରିମ୍‌କୋର୍ଟ ୭ ମାସ ତଳେ ଦେଇଥିବା ରାୟ ସାରା ଦେଶ ପାଇଁ ପ୍ରଯୁଜ୍ୟ। ତଦନୁଯାୟୀ ଓଡ଼ିଶା ସରକାରଙ୍କ ଓରିସେଡ୍‌ ଆଇନ୍-୨୦୦୫ ନିର୍ବିବାଦରେ କାଏମ ରହିଲା। ତେଣୁ ସେହି ଆଇନ୍ ଆଧାରରେ ରାଜ୍ୟ ସରକାର ଏବେ ଖଣି ଲିଜ୍‌ ଜମିରୁ ଅତିରିକ୍ତ ଟିକସ ଅସୁଲ କରିବାରେ ଆଉ ଆଇନଗତ ପ୍ରତିବନ୍ଧକ ନାହିଁ। 

କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ୨୦୨୪ ସେପ୍ଟେମ୍ବର ୫ରେ ବିଧାନସଭାରେ କରିଥିବା ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ଉତ୍ତର ଏଠାରେ ପ୍ରଣିଧାନସାପେକ୍ଷ। ମନ୍ତ୍ରୀ ଦର୍ଶାଇଥିଲେ ଯେ ଓରିସେଡ୍‌ ଆଇନର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ଦାଖଲ କରିଥିବା ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଏ ପର୍ଯ୍ୟନ୍ତ ବିଚାରାଧୀନ ରହିଛି। ସ୍ପଷ୍ଟ ରାୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ଏହି ମାମଲାର ତୁରନ୍ତ ବିଚାର ଦିଗରେ ପଦକ୍ଷେପ ନେବାକୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟକୁ କୁହାଯାଇଛି। ମନ୍ତ୍ରୀଙ୍କ ଉତ୍ତର ପରେ ପ୍ରାୟ ୬ ମାସ ଅତିକ୍ରାନ୍ତ ହେଲାଣି। ଅଥଚ ବିପୁଳ ରାଜସ୍ବ ସଂଗ୍ରହର ସମ୍ଭାବନା ବହନ କରୁଥିବା ଓରିସେଡ୍‌ ମାମଲାକୁ ତ୍ବରାନ୍ବିତ କରିବା ଦିଗରେ ସରକାର କ’ଣ ପଦକ୍ଷେପ ନେଲେ, ତାହା ଏବେ ବି ସମସ୍ତଙ୍କୁ ଅଜଣା ରହିଛି।