ଧର୍ମଶାଳା ତହସିଲରେ ପୁଣି ଟିପି କେଳେଙ୍କାରୀ : ୨୪ଲକ୍ଷ ଆଦାୟ କରି ୨୪କୋଟିର ମୋରମ ଚୋରାଚାଲାଣ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଲଘୁ ଖଣିଜ ସମ୍ପଦ ପରିବହନରେ ଆଉ ଏକ ଦୁର୍ନୀତି ସମ୍ପର୍କିତ ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଶୀତଦିନରେ ଆରଆଇ ୭୦ ଦିନ ବର୍ଷା ଦର୍ଶାଇ ସ୍ବଳ୍ପମିଆଦ ଅନୁମତି(ଟିପି)କୁ ୧ମାସ ବଦଳରେ ୩ମାସ ୧୦ଦିନ ବୃଦ୍ଧି କରି ଡଙ୍କାରୀରୁ ଶହେ କୋଟି ଟଙ୍କାର କଳାପଥର ଚୋରାଚାଲାଣକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବର୍ତ୍ତମାନ ବଳରାମପୁର-୨ ଆରଆଇ ସର୍କଲ ଅଧୀନ ଲୁଣିବାର ଅଞ୍ଚଳରୁ ମୋରମ ଖନନ ଓ ପରିବହନ ପାଇଁ ୩ ମାସ ସ୍ବଳ୍ପମିଆଦ ଅନୁମତି(ଟିପି) ନେଇ ୫ମାସ ହେଲା କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି। ଧର୍ମଶାଳା ତହସିଲ ଟିପି କେଳେଙ୍କାରୀରେ କୋଟି କୋଟି ଟଙ୍କା ହରିଲୁଟ୍ କାରବାର ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଯାଜପୁର ଜିଲ୍ଲାରୁ ପୂର୍ବଉପକୂଳ ଜିଲ୍ଲାଗୁଡ଼ିକୁ ଶହ ଶହ କୋଟି ଟଙ୍କାର କଳାପଥର(ଗ୍ରାନାଇଟ୍), ମୋରମ, ବାଲି ଓ ମାଟି ଚୋରା ଚାଲାଣ ଚାଲିଛି। କରୋନା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ଓ ବେସରକାରୀ ନିର୍ମାଣ କାମ ଚାଲିଥିବାରୁ ଲଘୁ ଖଣିଜ ସମ୍ପଦ ଚୋରା କାରବାର ଚରମ ସୀମାରେ ପହଞ୍ଚିଛି। ଯାଜପୁର ଜିଲ୍ଲାର ୨ଟି ମୁଖ୍ୟ ଜାତୀୟ ରାଜପଥ ଚଣ୍ଡିଖୋଲରୁ ଭଦ୍ରକ (ଏନଏଚ-୧୬) ଓ ଚଣ୍ଡିଖୋଲରୁ ସୁକିନ୍ଦା(ଏନଏଚ-୫୩)ରେ ଚୋରା କଳାପଥର ଓ ମୋରମ ବ୍ୟବହାର ହେଉଛି। କେବଳ ଏହି ୨ଟି ଜାତୀୟ ରାଜପଥ ନିର୍ମାଣରେ ଲକ୍ଷ ଲକ୍ଷ କ୍ୟୁବିକ୍ ମିଟର ଚୋରା ଲଘୁ ଖଣିଜ ସାମଗ୍ରୀ ବିନିଯୋଗ ହେଉଥିବାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ଅସାଧୁମେଣ୍ଟ ନିଜସ୍ବ ଆୟ ଠୁଳ କରିଚାଲିଛନ୍ତି। ୩ମାସ ବଦଳରେ ବେଆଇନ୍ ଭାବେ ୫ମାସ ହେଲା ଟିପି ଆଳରେ ଲକ୍ଷ ଲକ୍ଷ କ୍ୟୁବିକ୍ ମିଟର ମୋରମ ଚଣ୍ଡିଖୋଲ- ଡୁବୁରି ଜାତୀୟ ରାଜପଥ ପାଇଁ ଚୋରା ଚାଲାଣ ଚାଲିଛି।

ଆରଟିଆଇ ତଥ୍ୟ ମୁତାବକ ବଳରାମପୁର-୨ ସର୍କଲ ଅଧୀନ ରଗଡ଼ିପାସି ଗ୍ରାମର ରଙ୍ଗାଧର ପ୍ରଧାନଙ୍କ ପତ୍ନୀ ବିନାପାଣି ପ୍ରଧାନଙ୍କ ନାମରେ ଗତ ଅକ୍ଟୋବର ମାସ ୧୮ତାରିଖରେ ୩ମାସ ପାଇଁ ଖାତା ନମ୍ବର ୨୨୨/୯୧ ଓ ଖାତା ନମ୍ବର୨୨୨/୯୨ରେ ୪.୪ଏକର ଜମିରୁ ୨୫ହଜାର ୬୦୮କ୍ୟୁବିକ ମିଟର ମୋରମମାଟି ଉଠାଇବାକୁ ଅନୁମତି ହୋଇଥିଲା। ଏହି ଟିପିର ସମୟ ସୀମା ଗତ ଡିସେମ୍ବର ମାସ ୧୮ତାରିଖରୁ ଶେଷ ହୋଇଛି। ଏଥି ମଧ୍ୟରେ ଆଉ ୨ମାସ ଅତିକ୍ରମ ହୋଇଯାଇଥିବା ବେଳେ ମୋରମମାଟି ଖନନ ଓ ପରିବାହନ ପୂର୍ବ ଟିପି ବଳରେ ଚାଲିଛି। ଧର୍ମଶାଳା ତହସିଲ ପ୍ରଦାନ କରିଥିବା ଟିପି ବଦଳରେ ୨୪ଲକ୍ଷ ୨୨ହଜାର ୮୦୬ଟଙ୍କା ରାଜସ୍ବ ପାଇଛନ୍ତି। ଅଥଚ ୨୪କୋଟି ଟଙ୍କାର ରାଜସ୍ବ ସରକାର ହରାଇଲେଣି। ଏହି କାରବାର ମଧ୍ୟ ତହସିଲର ଜାଣତରେ ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର