ଯାଜପୁର : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଲିଜ୍ଧାରୀଙ୍କ ବ୍ୟାପକ ଅନିୟମିତତା ଧରାପଡ଼ିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅଢ଼େଇମାସ ହେଲା ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗ ହୋଇଛି।
ଧର୍ମଶାଳା ତହସିଲର ଖାଦାନଗୁଡ଼ିକରୁ କୋଟିକୋଟି ଟଙ୍କାର କଳାପଥର ଦିନରାତି ଚୋରାଚାଲାଣ ଚାଲିଛି। ଡଙ୍କାରୀ, ରାହାଡ଼ପୁର, ଲୁଣିବର, ବରଡ଼ା, ବିଛାଖଣ୍ଡି, କୁସୁନପୁର, ବାଜବାଟି, ଆରୁହା ପ୍ରଭୃତି କଳାପଥର ଖାଦାନଗୁଡ଼ିକରୁ ଶହଶହ କୋଟି ଟଙ୍କାର କଳାପଥର ମାସମାସ ଧରି ଖୋଲାମେଲାରେ ଚୋରାଚାଲାଣ ଚାଲିଛି।
ତଦନ୍ତକାରୀ ସଂସ୍ଥା ମାଇଁ ୱାର୍ଲଡ ଧର୍ମଶାଳା ତହସିଲ ଅଧୀନ ୩ଟି ପାହାଡ଼ ଡଙ୍କାରୀ, ଲୁଣିବର ଓ ବାଜବାଟୀର କଳାପଥର ଖାଦାନ ଉପରେ ଗତ ଡିସେମ୍ବରରେ ତଦନ୍ତ କରିଥିଲା। ୩ଜଣଙ୍କ ଉପରେ ୮୦ କୋଟି ଟଙ୍କା ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏଥିପୂର୍ବରୁ ରାହାଡ଼ପୁର, ଲୁଣିବର, ଡଙ୍କାରୀର ମୋଟ ୪ଜଣ ଲିଜ୍ଧାରୀଙ୍କ ଉପରେ ୯୫କୋଟି ଟଙ୍କା ଜରିମାନା ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୮ଜଣ କଳାପଥର ଲିଜ୍ଧାରୀଙ୍କ ଉପରେ ୨ଶହ କୋଟି ଟଙ୍କା ଟପିଯିବ ଚର୍ଚ୍ଚା ହେଉଥିଲା। ଏଥିମଧ୍ୟରେ ଅଢ଼େଇ ମାସ ବିତିଯାଇଥିଲେ ବି ୩ ଲିଜ୍ଧାରୀଙ୍କ ଉପରେ ୮୦କୋଟି ଟଙ୍କାର କଳାପଥର ଚୋରାଚାଲାଣ ହୋଇଥିବାର ଅନୁସନ୍ଧାନ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟରେ ଚାପି ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ୬ମାସରେ ଖାଦାନଗୁଡ଼ିକର ଖନନ ଆକଳନ କରିବାକୁ ତଦନ୍ତକାରୀ ସଂସ୍ଥା ମାଇଁ ୱାର୍ଲଡକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିମଧ୍ୟରେ ୧ବର୍ଷ ପୂରଣ ହେବାକୁ ବସିଲାଣି। ତଥାପି ମାପଚୁପ ରିପୋର୍ଟ ଦାଖଲ କରାଯାଉନାହିଁ।
ଅନ୍ୟପକ୍ଷରେ, ଅଧିକାଂଶ ଲିଜ୍ଧାରୀ ନିଜ ଖାଦାନ ଛାଡ଼ି ଲିଜ ଦିଆଯାଇନଥିବା ଖାଦାନ ଖୋଳି ଦିନରାତି କୋଟିକୋଟି ଟଙ୍କା ମୁନାଫା କରୁଛନ୍ତି। ଅଥଚ ତହସିଲ, ଖଣି, ପୁଲିସ, ଜଙ୍ଗଲ, ଆରଟିଓ କାର୍ଯ୍ୟାଳୟର କୌଣସି ଅଧିକାରୀ ରାସ୍ତାଘାଟରୁ ଆରମ୍ଭ କରି ଖାଦାନ ପର୍ଯ୍ୟନ୍ତ କାହାରି ନଜର ପଡୁନାହିଁ। କାହା ଚାପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।