କଳାପଥର କେଳେଙ୍କାରୀ: ୨୦୦ କୋଟିର ବେଆଇନ ଖନନ!

ରାହାଡ଼ପୁର ଖାଦାନ ମାପଚୁପ ପାଇଁ ନୋଟିସ୍

ଯାଜପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ କଳାପଥର ଖାଦାନରେ ଅତ୍ୟଧିକ ଖନନ ପାଇଁ ପୂର୍ବରୁ ୪ଜଣ ଲିଜଧାରୀଙ୍କ ଉପରେ ୧୦୫କୋଟି ଟଙ୍କା ଜରିମାନା କରାଯାଇଥିବା ବେଳେ ଏବେ ରାହାଡ଼ପୁର ଖାଦାନ ମାପଚୁପ ପାଇଁ ନୋଟିସ ହୋଇଛି। ମାପଚୁପକୁ ବନ୍ଦ କରିବାକୁ ହୋଇଥିବା ଯୋଜନା ପଣ୍ଡ ହୋଇଯାଇଛି। ଆସନ୍ତା ୯ତାରିଖରେ ମାପଚୁପ ହେବ। ଏଠାରେ ବେଆଇନ ଖନନ ରେକର୍ଡ ଭାଙ୍ଗିବ ବୋଲି କେତେକ ନୂତନ ଲିଜଧାରୀ ସନ୍ଦେହ ବ୍ୟକ୍ତ କରିଛନ୍ତି। ରାହାଡ଼ପୁର କଳାପଥର ସୈରାତରୁ ୨୦୦ କୋଟି ଟଙ୍କାରୁ ଅଧିକ କଳାପଥର ଚୋରାଚାଲାଣ ହୋଇଥିବା ଅଭିଜ୍ଞ ଲିଜଧାରୀମାନେ ଆକଳନ କରୁଛନ୍ତି। ଏଠାକାର ଚୋରା କଳାପଥର ମୁଖ୍ୟତଃ ଚଣ୍ଡିଖୋଲ-ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବ୍ୟବହୃତ ହୋଇଥିବା ଅଭିଯୋଗ ହେଉଛି।

ପ୍ରକାଶ ଥାଉକି ରାହାଡ଼ପୁର ପାହାଡ଼ର ୨୫ଏକର କଳାପଥର ଖାଦାନକୁ ପ୍ରହଲ୍ଲାଦ ଲେଙ୍କା ୫ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୦ରେ ଲିଜ୍‌ ନେଇଥିଲେ। ଶ୍ରୀ ଲେଙ୍କାର ଲିଜ୍ ସମୟ ସୀମା ଚଳିତ ମାସ ୯ ତାରିଖରେ ଶେଷ ହେଉଛି। ବାର୍ଷିକ ୪୭ହଜାର ଘନମିଟର ଖନନ ପାଇଁ ରାଜସ୍ବ ଓ ପରିବେଶ ଅନୁମତି ମିଳିଥିଲା। ନିୟମ ଅନୁଯାୟୀ ୫ବର୍ଷରେ ୨.୩୫ଲକ୍ଷ ଘନମିଟର କଳାପଥର ଖନନ ପାଇଁ ଅନୁମତି ରହିଛି। ମାତ୍ର ଏହି ଖାଦାନ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୧.୫ କୋଟି ଘନମିଟର କଳାପଥର ବେଆଇନ ଖନନ କରାଯାଇ ଚାଲାଣ କରାଯାଇଛି ବୋଲି ଅଭିଯୋଗ ହେଉଛି। ଯାହାର ମୂଲ୍ୟ ୨ଶହ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି ଖାଦାନ ମାପଚୁପ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଅଯାଇଥିବା ବେଳେ ଲିଜଧାରୀ ଶ୍ରୀ ଲେଙ୍କାଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ତେବେ ୨୦୦ କୋଟି ଟଙ୍କା ବେଆଇନ ଖନନକୁ ଶ୍ରୀ ଲେଙ୍କା ଅସ୍ବୀକାର କରିଛନ୍ତି। ମାପଚୁପ ପରେ କିଛି ଅଧିକ ଯଦି ‌ଖନନ ହୋଇଥିବ ଆଇନ ଅନୁଯାୟୀ ପୈଠ କରିବେ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

Khabar India

ସୂଚନାଯୋଗ୍ୟ ଏହି ଖାଦାନରୁ ଚାଲାଣ ହୋଇଥିବା କଳାପଥରର ୯୦ଭାଗ ଚଣ୍ଡିଖୋଲ- ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଲାଗିଛି। ଶ୍ରୀ ଲେଙ୍କାଙ୍କ ଠାରୁ କଳାପଥର ନେବା ପାଇଁ ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ଡିବିଏଲ୍ ଚୁକ୍ତି କରିଛି। ପ୍ରାୟ ୬୫ଲକ୍ଷ ଘନ ମିଟର କଳାପଥର ଜାତୀୟ ରାଜପଥ କାର୍ଯ୍ୟରେ ବ୍ୟବହୃତ ହୋଇଛି। ଏହା ବାବଦରେ ଶ୍ରୀ ଲେଙ୍କାଙ୍କୁ ଡିବି‌ଏଲ ସଂସ୍ଥା ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ପୈଠ କରିଛି। ଯାହାର ତଦନ୍ତ କରାଗଲେ ସବିଶେଷ ତଥ୍ୟ ମିଳିପାରିବ ବୋଲି କେତେକ ଲିଜ୍‌ଧାରୀ କହିଛନ୍ତି। ଅପରପକ୍ଷରେ ଜାତୀୟ ରାଜପଥ କାମରେ କୌଣସି ଚୋରା କଳାପଥର ବ୍ୟବହାର ହୋଇନଥିବା ଡିବିଏଲ୍‌ର ପ୍ରୋଜେକ୍ଟ ମ୍ୟାନେଜର ହରିହର ସିଂହ କହିଛନ୍ତି। ତେଣୁ ଡିବିଏଲ୍‌ ଦ୍ବାରା କଳାପଥର ବ୍ୟବହାର ଓ ଅର୍ଥ ପ୍ରଦାନ ସହିତ ଶ୍ରୀ ଲେଙ୍କା ସଠିକ୍‌ ଖାଦାନର ମାପଚୁପ କରାଗଲେ କଳାପଥର କେଳେଙ୍କାରୀର ବିସ୍ଫୋରକ ତଥ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଧର୍ମଶାଳା ତହସିଲ କଳାପଥର ‌କେଳେଙ୍କାରୀ ନେଇ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ତଦନ୍ତ କରାଗଲେ ବହୁ କୋଟିର ରାଜସ୍ବ ଫାଙ୍କି ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର