ଏଜିଙ୍କ ସ୍କାନର୍‌ରେ ମନ୍ତ୍ରୀ ଓ ବାବୁଙ୍କ ବିମାନ ଯାତ୍ରା: ତିନି ବର୍ଷର ଅଡିଟ୍‌ ପାଇଁ ସରକାରଙ୍କୁ ତଥ୍ୟ ମାଗିଲେ ପ୍ରଧାନ ମହାଲେଖାକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କଲେ କି ରାଜ୍ୟ ବାହାରକୁ ଗଲେ ଚାଟାର୍ଡ ବିମାନ ନେଇ ଯାଉଛନ୍ତି। ଏପରିକି ରାଜ୍ୟ ସରକାର ନିକଟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଥିବାବେଳେ ଡାକ୍ତରୀ ଦଳ ନିୟମିତ ବ୍ୟବଧାନରେ ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲ୍ଲା ଯାଉଛନ୍ତି। ଏଥିପାଇଁ ବି ଚାଟାର୍ଡ ବିମାନ ବ୍ୟବହାର ହେଉଛି। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତରେ ଗଲେ ହେଲିକପ୍ଟର ନେଇ ଯାଉଛନ୍ତି। କିନ୍ତୁ କେଉଁ ସଂସ୍ଥାର ବିମାନ ବ୍ୟବହାର କରୁଛନ୍ତି, ଉଡ଼ାଣ ପାଇଁ ଘଣ୍ଟାକୁ କେତେ ଟଙ୍କା ଦେଉଛନ୍ତି, କେତେ ଦିନ ପାଇଁ ଚୁକ୍ତି କରିଛନ୍ତି ‌େସ ତଥ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ଏପରିକି ଏହି ବିମାନ ବା ହେଲିକପ୍ଟର ଭଡ଼ା ଆଣିବା ଓ ଆର୍ଥିକ କାରବାରରେ ବଡ଼ ଧରଣର ହେରଫେର ହେଉଥିବା ଅଭିଯୋଗ ଆସିବା ପରେ ଏହାର ଅଡିଟ୍ କରିବାକୁ ପ୍ରଧାନ ମହାଲେଖାକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି।

ଏପ୍ରିଲ-୨୦୧୯ରୁ ମାର୍ଚ୍ଚ-୨୦୨୨ ମଧ୍ୟରେ ରାଜ୍ୟ ସରକାର କେଉଁ ସଂସ୍ଥାର କେଉଁ ବିମାନ ବା ହେଲିକପ୍ଟର ବ୍ୟବହାର କରିଛନ୍ତି, କେତେ ଟଙ୍କା ଦେଇଛନ୍ତି, ରାଜ୍ୟ ସରକାରଙ୍କ ପ୍ରୋଟୋକଲ୍‌ ଅନୁଯାୟୀ ‌କିଏ ସରକାରୀ ସୁବିଧାରେ ସ୍ବତନ୍ତ୍ର ବିମାନ ବା ହେଲିକପ୍ଟର ଯାତ୍ରା କରିପାରିବେ ଏବଂ କିଏ ଯାତ୍ରା କରିଛନ୍ତି ତା’ର ଅଡିଟ୍ ହେବ। ଏଥିପାଇଁ ପ୍ରଧାନ ମହାଲେଖାକାର ଗତ ୨୦ତାରିଖରେ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ଙ୍କୁ ଚିଠି ଲେଖି ତଥ୍ୟ ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏବେ ଯେଉଁ ବିମାନ ବା ହେଲିକପ୍ଟର ରାଜ୍ୟ ସରକାର ବ୍ୟବହାର କରୁଛନ୍ତି ସେଥିପାଇଁ ରାଜ୍ୟ ସରକାର କ’ଣ ଚୁକ୍ତି କରିଛନ୍ତି ତାହା ଦେବେ, ଏହି ସଂସ୍ଥାକୁ ବାଛିବା ପାଇଁ ଯେଉଁ ଟେଣ୍ଡର ହୋଇଥିଲା ସେଥିରେ ଆଉ କେଉଁ ସଂସ୍ଥା କେତେ ଟଙ୍କା ନେବେ ବୋଲି ଉଲ୍ଲେଖ କରିଥିଲେ ତାହାର ତଥ୍ୟ, ସରକାର ଯେଉଁ ସଂସ୍ଥା ସହ ଚୁକ୍ତି କରିଛନ୍ତି ସେ ସଂସ୍ଥା କେତେ ଦିନ ସେବା ଯୋଗାଇପାରିନି, ସେବା ଯୋଗାଇବାରେ ବିଫଳ ହୋଇଛି, କେତେଦିନ ମରାମତି ପାଇଁ ସେବା ବନ୍ଦ ରହିଛି, ମାସକୁ କେତେ ଟଙ୍କା ଦେବାକୁ ଚୁକ୍ତି ହୋଇଛି, ଘଣ୍ଟାକୁ ବିମାନ ବା ହେଲିକପ୍ଟର ଭଡ଼ା କେ‌ତେ, ଅତିରିକ୍ତ ଉଡ଼ାଣ ପାଇଁ କେତେ ଟଙ୍କା, ଗ୍ରାଉଣ୍ଡ ହ୍ୟାଣ୍ଡଲିଙ୍ଗ୍‌ ପାଇଁ କେତେ ଦେଉଛି, କେତେ ତେଲ ପଡ଼ୁଛି, ଟାକ୍ସ ମିଶିକି ମୋଟ୍ କେତେ ଟଙ୍କା ଦିଆଯାଇଛି, କେତେ ଘଣ୍ଟା ବିମାନ ବା ହେଲିକପ୍ଟର ଉଡ଼ିଛି, ଚୁକ୍ତି ଠାରୁ ‌ଅତିରିକ୍ତ କେତେ ସମୟ ଉଡ଼ିଛି ସେନେଇ ସବିଶେଷ ତଥ୍ୟ ସାରଣୀ ମାଧ୍ୟମରେ ଦେବାକୁ କୁହାଯାଇଛି।

ରାଜ୍ୟ ସରକାର ୨୦୧୯-୨୦, ୨୦୨୦-୨୧ରେ ଚୁକ୍ତି କରି ବିମାନ ବା ହେଲିକପ୍ଟର ଆଣି ଉଡ଼ାଣ କରୁନଥିଲେ। ଭଡ଼ା ସୂତ୍ରରେ ବିମାନ ଆଣି ଯାତ୍ରା କରୁଥିଲେ।୨୦୨୧-୨୨ ପାଇଁ ଟେଣ୍ଡର କରିଥିଲେ। ହେଲେ ଏହି ଟେଣ୍ଡରରେ କେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେଲା କି ନାହିଁ ତାହା କୌଣସି ଅଧିକାରୀ କହୁନାହାନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୨୩.୦୫.୨୧ରୁ ୨୨.୦୫.୨୨ ପର୍ଯ୍ୟନ୍ତ ୬ସିଟ୍ ବିଶିଷ୍ଟ ବିମାନ ସେବା ଯୋଗାଇବା ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ବର୍ଷକରେ ୨୪୦ଘଣ୍ଟା ବିମାନ ଉଡ଼ାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଏହାବାଦ୍ ଅତିରିକ୍ତ ଉଡ଼ାଣ ହେଲେ ଘଣ୍ଟା ପିଛା ସଂସ୍ଥା ଯେତିକି ଟଙ୍କା ନେବ ବୋଲି କହିଥିବ ସେହି ହିସାବରେ ଟଙ୍କା ଦିଆଯିବ। ହେଲେ ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରହିବ। ସରକାର ଯେତେବେଳେ ‌େଯଉଁ ମୁହୂର୍ତ୍ତରେ ଚାହିଁବେ ତାହାକୁ ବ୍ୟବହାର କରିବେ। କିନ୍ତୁ ଏବେ ‘ଗତି’ର ଏକ ଚାଟାର୍ଡ ବିମାନ ସରକାର ବ୍ୟବହାର କରୁଥିବା ଜଣାପଡ଼ିଛି। ଏହି ବିମାନଟି ଅଧିକାଂଶ ସମୟରେ ଢେଙ୍କାନାଳସ୍ଥିତ ଗତି କାର୍ଯ୍ୟାଳୟରୁ ଆସୁଛି। ଏପରିକି ଯେଉଁ ଅଧିକାରୀମାନେ ସରକାରୀ ପ୍ରୋଟୋକଲ୍‌ ଅନୁଯାୟୀ ଚାଟାର୍ଡ ବିମାନ ଯାତ୍ରା କରିପାରିବେନି ସେମାନେ ଏଥିରେ ଯାତ୍ରା କରୁଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର