ମନ୍ତ୍ରୀ, ଅଧିକାରୀଙ୍କ ଗାଡ଼ି ଭଡ଼ା ନେଇ ନିୟମାବଳୀରେ ସଂଶୋଧନ

ନୂଆ ମଡେଲ ଗାଡ଼ି ଅପରିହାର୍ଯ୍ୟ

ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀମାନଙ୍କୁ ଗାଡ଼ି କିଣିବା ପରିବର୍ତ୍ତେ ଭଡ଼ା ଗାଡ଼ି ବ୍ୟବହାର ପାଇଁ ଉତ୍ସାହିତ କରାଯାଇଛି। ଗାଡ଼ି କ୍ରୟରେ ହେଉଥିବା ନିବେଶ, ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦି ବାବଦରୁ ବର୍ତ୍ତିବା ପାଇଁ ସରକାର ଭଡ଼ା ଗାଡ଼ିର ବ୍ୟବହାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା‌ ଜାରି ହୋଇଛି।

ଏଥିରେ କୁହାଯାଇଛି, ଭଡ଼ାରେ ଘରୋଇ ଯାନ ବ୍ୟବହାର ନେଇ ଅର୍ଥ ବିଭାଗ ପକ୍ଷରୁ ୨୦୧୨ ସେପ୍ଟେମ୍ବରରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ବିଭାଗ ଏହାକୁ ୨୦୧୫ ଅକ୍ଟୋବର ୮ରେ ସଂଶୋଧନ କରିଥିଲା।

ଏହି ପରିପ୍ରେକ୍ଷୀରେ ଭଡ଼ା ଗାଡ଼ି ପାଇଁ ନୂଆ ମଡେଲ ଗାଡ଼ି ବ୍ୟବହାର ଅପରିହାର୍ଯ୍ୟ ବୋଲି କୁହାଯାଇଛି। କାରଣ ପୂର୍ବରୁ ମଞ୍ଜୁରିପ୍ରାପ୍ତ ଅନେକ ଗାଡ଼ି ଏବେ ଆଉ ନିର୍ମାଣ ହେଉନାହିଁ। ସେହିଭଳି ଶ୍ରମ ଖର୍ଚ୍ଚ ବୃଦ୍ଧି ପାଇଥିବା‌ବେଳେ ଦାମୀ ଗାଡ଼ି ସହିତ ଅଧିକ ମାଇଲେଜ୍ ଥିବା ଗାଡ଼ି ମଧ୍ୟ ଆସୁଛି। ଏସବୁ ଦିଗ ସମେତ ସହଜ ରକ୍ଷଣାବେକ୍ଷଣ, ନିକଟବର୍ତ୍ତୀ ଅଞ୍ଚଳରେ ଗାଡ଼ିର ସର୍ଭିସିଂ ଉପଲବ୍ଧତା, ମାଇଲେଜ୍‌, ପରିବେଶ ଅନୁକୂଳ ଆଦି ପ୍ରସଙ୍ଗକୁ ବିଚାରକୁ ନେଇ ବିଭିନ୍ନ ପ୍ରକାର ଭଡ଼ା ଗାଡ଼ିର ଭଡ଼ା ଏବଂ ମାଇଲେଜ୍ ମଧ୍ୟ ଧାର୍ଯ୍ୟ କରାଯାଇଛି।

‌କେଉଁ ଅଧିକାରୀମାନେ କି ପ୍ରକାର ଗାଡ଼ି ଭଡ଼ାରେ ନେଇପାରିବେ ଏବଂ ସେଥିପାଇଁ ମାସକୁ ସର୍ବାଧିକ କେତେ ଭଡ଼ା ଦେବେ ଏବଂ ଗାଡ଼ିର ସର୍ବନିମ୍ନ ମାଇଲେଜ୍ କେତେ ରହିବ ତାହା ସ୍ପଷ୍ଟ କରିଦିଆଯାଇଛି।

ବ୍ଲକ/ତହସିଲ ଏବଂ ଅନ୍ୟ କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକ ପାଇଁ ଟିୟୁଭି୩୦୦/ବୋଲେରୋ/ସୁମୋ ଗୋଲ୍ଡ/ଏର୍ଟିଗା ଭଡ଼ା ନେବା ଅନୁମତି ରହିଛି। ଏମାନଙ୍କ ପାଇଁ ମାସକୁ ସର୍ବାଧିକ ଭଡ଼ା ୩୧ ହଜାର ଟଙ୍କା ଧାର୍ଯ୍ୟ କରାଯଯାଇଛି। ସେହିଭଳି ଜିଲ୍ଲା/ରେଞ୍ଜ ସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକ ପାଇଁ ଟିଆଗୋ/ବୋଲ୍ଡ/ସେଲେରିଓ (ପେଟ୍ରୋଲ) ଗାଡ଼ି ଭଡ଼ାରେ ନିଆଯିବ। ଏଥିପାଇଁ ମାସିକ ଭଡ଼ା ସର୍ବାଧିକ ୨୦ ହଜାର ଟଙ୍କା ରହିବ ବୋଲି କୁହାଯାଇଛି। ଜିଲ୍ଲାପାଳ/ଏସ୍‌ପି/ ଏବଂ ଅନ୍ୟ ତତ୍ତୁଲ୍ୟ ଅଧିକାରୀମାନେ ସେମାନଙ୍କ ନିଜସ୍ବ ବ୍ୟବହାର ପାଇଁ ସ୍କର୍ପିଓ/କ୍ରେଟା/ମହିନ୍ଦ୍ରା ମାରାଜୋ ଭଡ଼ାରେ ନେଇପାରିବେ। ଏଥିପାଇଁ ମାସିକ ଭଡ଼ା ସର୍ବାଧିକ ୩୭ ହଜାର ଟଙ୍କା ରଖାଯାଇଛି। ହେଡ୍ସ ଅଫ୍ ଡିପାର୍ଟମେଣ୍ଟ/ ସଚିବାଳୟ (ପୁଲ୍‌ ଯାନ) ‌କ୍ଷେତ୍ରରେ ଟିଆଗୋ/ବୋଲ୍ଟ/ସେଲେରିଓ ଭଡ଼ାରେ ନିଆଯାଇ ପାରିବ। ଏଥିପାଇଁ ମାସିକ ସର୍ବାଧିକ ଭଡ଼ା ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଅତିରିକ୍ତ ସଚିବ/ହେଡ୍ସ ଅଫ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟର ଅଧିକାରୀମାନେ ଜେଷ୍ଟ/ଟିଗୋର୍/ସ୍ବିଫ୍ଟ ଡିଜାୟାର/ଏକ୍ସସେଣ୍ଟ/ଇଟିଅସ(ପେଟ୍ରୋଲ) ଯାନ ଭଡ଼ାରେ ନେଇପାରିବେ। ଏଥିପାଇଁ ମାସିକ ଭଡ଼ା ସର୍ବାଧିକ ୨୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସ୍ବତନ୍ତ୍ର ସଚିବ/ସଚିବ/ପ୍ରମୁଖ ସଚିବ ଏବଂ ଅନ୍ୟ ତତ୍ତୁଲ୍ୟ ଅଧିକାରୀମାନେ(ସେମାନଙ୍କ ନିଜସ୍ବ ବ୍ୟବହାର ପାଇଁ) ସିଆଜ/ହୋଣ୍ଡା ସିଟି (ପେଟ୍ରୋଲ) ଭଡ଼ାରେ ନେଇପାରିବେ। ଏଥିପାଇଁ ମାସିକ ସର୍ବାଧିକ ଭଡ଼ା ୩୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସର୍ବୋଚ୍ଚ ସ୍କେଲ୍‌ର ଅଧିକାରୀମାନେ ଇନୋଭା/ହେକ୍ସା/ଏକ୍ସୟୁଭି ୫୦୦ ଭଡ଼ାରେ ନେଇପାରିବେ। ଏହି ଗାଡ଼ିଗୁଡ଼ିକର ମାସିକ ଭଡ଼ା ସର୍ବାଧିକ ୪୨ ହଜାର ଟଙ୍କା ହୋଇଥିବା ଆବଶ୍ୟକ। ମନ୍ତ୍ରୀ/ଅନ୍ୟ ଅତିଥିମାନେ ଇନୋଭା/ହେକ୍ସା/ଏକ୍ସୟୁଭି ୫୦୦ ଭଡ଼ାରେ ନେଇପାରିବେ। ଏଥିପାଇଁ ମାସିକ ଭଡ଼ା ସର୍ବାଧିକ ୪୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। କଲେଜ/ବିଶ୍ବବିଦ୍ୟାଳୟ/ ତାଲିମ ପ୍ରତିଷ୍ଠାନ/ଏବଂ ଅନ୍ୟ ତତ୍ତୁଲ୍ୟ ପ୍ରତିଷ୍ଠାନରେ ଘରୋଇ ମିନି ବସ୍ (୩୦ରୁ ୩୨ ଆସନ ବିଶିଷ୍ଟ) ଭଡ଼ାରେ ଲାଗିପାରିବ। ଏଥିପାଇଁ ମାସିକ ଭଡ଼ା ସର୍ବାଧିକ ୮୫ ହଜାର ଟଙ୍କାରେ ଧାର୍ଯ୍ୟ କରାଯାଇଛି।

ଏସବୁ ଗାଡ଼ି ଭଡ଼ା ପାଇଁ ଅନେକ ସର୍ତ୍ତାବଳୀ ରଖାଯାଇଛି। ପ୍ରଦୂଷଣକୁ ରୋକିବା ଲାଗି ଡିଜେଲ ପରିବର୍ତ୍ତେ ଭାରତ ଷ୍ଟେଜ୍-୬ ମାନଦଣ୍ଡର ପେଟ୍ରୋଲ ଗାଡ଼ି ବ୍ୟବହାରକୁ ଅଗ୍ରାଧିକାର ଦେବାକୁ କୁହାଯାଇଛି। ନିଲାମ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ସମେତ ଅନ୍ୟାନ୍ୟ ପଦକ୍ଷେପ ଅନୁସରଣ କରିବା ଲାଗି ମଧ୍ୟ ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର