ଭୁବନେଶ୍ୱର : ନିର୍ବାଚନ ବର୍ଷରେ ବିଜେଡିକୁ ପୁଣି ଘେରିବା ଆରମ୍ଭ କଲାଣି ସିବିଆଇ। ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଥିବା ଅପରେସନ୍ ବ୍ଲୁ-ପ୍ରିଣ୍ଟରୁ ଏମିତି କିଛି ସଙ୍କେତ ମିଳିଲାଣି। ଯେଉଁ ଦୁଇ ତିନିଟି ଚିଟ୍ଫଣ୍ଡ ଠକେଇ ଘଟଣାକୁ ନେଇ ତଦନ୍ତର ପ୍ରଥମ ବର୍ଷରେ (୨୦୧୪-୧୫) ସିବିଆଇ ହଇଚଇ ସୃଷ୍ଟି କରିଥିଲା, ଏବେ ଅଧାରୁ ଛାଡିଥିବା ସେହି ମାମଲା ଉପରେ ପୁଣିଥରେ ତନାଘନା ଆରମ୍ଭ କରିଛି।
ଅର୍ଥତତ୍ତ୍ୱ ଠକେଇ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କୁ ସିବିଆଇ ସମନ କରିଛି। ଯେକୌଣସି ମୁହୂର୍ତରେ ସେ ହାଜର ହୋଇପାରନ୍ତି। ଏହା ପୂର୍ବରୁ ଅର୍ଥତତ୍ତ୍ୱ ମାମଲାରେ ଦଳୀୟ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜାମିନ୍ରେ ଅଛନ୍ତି।
କିଛି ଦିନ ତଳେ ଜଣେ ମନ୍ତ୍ରୀଙ୍କ ପୁଅଙ୍କୁ ସିବିଆଇ ଜେରା କରିଥିଲା। ଅଭିଯୋଗ ଥିଲା କି ତାଙ୍କ କାର୍ଯର୍୍ୟାଳୟରେ ଲଗା ଯାଇଥିବା କମ୍ପ୍ୟୁଟର ବିଲ ଅର୍ଥତତ୍ତ୍ୱ ତହବିଲ୍ରୁ ଜମା ହୋଇଛି। ଏକ ଆର୍ପାଟମେଣ୍ଟ ବିକ୍ରିରେ ମଧ୍ୟ ମଧ୍ୟସ୍ଥତା କରିଥିଲେ ସେ। ସେ ଖୁବ୍ଶୀଘ୍ର ସିବିଆଇ ନିକଟରେ ପୁଣି ଥରେ ହାଜର ହେବେ ବୋଲି ଜଣାପଡ଼ିଛି।
ସେହିଭଳି ସିସୋର ଚିଟ୍ଫଣ୍ଡ ଠକେଇ ଘଟଣାରେ ବି ସିବିଆଇ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ଆଇଏଏସ୍ ଅଫିସର ନୁହେଁ, ନେତା ଓ ଖାକି ବାବୁଙ୍କୁ ବି ଟାର୍ଗେଟ କରିଛି ସିବିଆଇ। ସେମାନଙ୍କୁ ଡାକି ପୁଣି ଥରେ ଏହି ମହାଠକେଇର ଘଣ୍ଟାଚକଟା କରିବ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସି-ସୋରର ଏହି ପର୍ଯ୍ୟାୟର ଅପରେସନ୍କୁ ସିବିଆଇ ୨-୨-୨ କୋଡ୍ ଓ୍ଵାର୍ଡ ଭାବେ ବ୍ୟବହାର କରୁଛି। ୨ ଆଇଏଏସ୍ ବାବୁଙ୍କୁ ଇତିମଧ୍ୟରେ ନୋଟିସ ଜାରି କରାଯାଇସାରିଲାଣି। ଖୁବ୍ଶୀଘ୍ର ଦୁଇ ରାଜନେତା ଏବଂ ୨ ବଡ଼ବଡ଼ିଆ ଖାକି ବାବୁଙ୍କୁ ଡକାଯିବ। ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ଓ ମାମଲାକୁ ଆଗକୁ ନେବା ଲାଗି ୨ ତଳିଆ କର୍ମଚାରୀଙ୍କୁ ସାକ୍ଷୀ ଭାବେ ବ୍ୟବହାର କରିବା ଲାଗି ମଧ୍ୟ ଯୋଜନା ହୋଇଥିବା ଖବର ମିଳୁଛି। ତେବେ ମାମଲାଟି ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ସିବିଆଇ ଅଧିକାରୀମାନେ ସରକାରୀ ଭାବେ ଏ ନେଇ ମୁହଁ ଖୋଲୁନାହାନ୍ତି।
ଅନ୍ୟପକ୍ଷରେ ସିବିଆଇର ଏଭଳି ଅପରେସନ୍ ସଂପର୍କରେ ସୂଚନା ମିଳିବା ପରେ ରାଜନେତା ଓ ବାବୁଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲାଣି। ସିସୋର ପର୍ଯ୍ୟଟନ ମାମଲାରେ ପୂର୍ବରୁ ସିବିଆଇ ଦୁଇଜଣଙ୍କୁ ଡାକି ଜେରା କରିସାରିଛି। ସେମାନେ ହେଲେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ରାଜନୈତିକ ସଚିବ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହ। ସେ ସମୟରେ ସେମାନେ ଯେଉଁ ତଥ୍ୟ ରଖିଥିଲେ, ଏବେ ତାହାକୁ ନେଇ ତଦନ୍ତ ଆଗକୁ ବଢୁଛି। ଏହି ଖିଅରେ ସିବିଆଇ କାହାକୁ ଛନ୍ଦିବ, ତାହାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
ସିସୋର ମାମଲାରେ ଶୁଭଙ୍କର ଡାଏରୀ ଆଧାରରେ ସିବିଆଇ ପୂର୍ବରୁ ତିନିଜଣ ଆଇପିଏସ୍ ଅଫିସରଙ୍କୁ ଡାକି ଜେରା କରିଥିଲା। ସେମାନେ ହେଲେ ଆର୍ ପି କୋଚେ, ରାଜେଶ କୁମାର ଓ ସତିଶ କୁମାର ଗଜଭିୟେ। ତା’ପରଠାରୁ ସିବିଆଇ ନିରବ ରହିଥିଲା। ଏବେ ଏହି ଅଫିସରଙ୍କୁ ନେଇ ସିବିଆଇ ତଦନ୍ତକୁ ଆଗକୁ ବଢାଉଛି ନା ନୂଆ ଅଫିସରଙ୍କୁ ଜାଲରେ ପକାଇବ, ତାହା ଜଣାପଡ଼ି ନାହିଁ। ସିବିଆଇ ଦୁଇ ଜଣ ଆଇଏଏସ୍ ବାବୁଙ୍କୁ ନୋଟିସ କରିଥିଲା।
ସିସୋର-ପର୍ଯ୍ୟଟନ ବିଭାଗର ମାମଲାରେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ଆଇଏଏସ୍ ଅଫିସର ତଥା ପୂର୍ବତନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ଓଟିଡିସିର ମହାପ୍ରବନ୍ଧକ ସଂଗ୍ରାମ କେଶରୀ ରାୟଙ୍କୁ ହାଜର ହେବାକୁ ସମନ କରାଯାଇଥିଲା। ଶ୍ରୀ ରାୟଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି। ପରାଗ ଗୁପ୍ତାଙ୍କ ସଂପର୍କରେ କିନ୍ତୁ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ। ସେ ସମୟ ନେଇଛନ୍ତି କି ଗୁପ୍ତରେ ତାଙ୍କୁ ସିବିଆଇ ଜେରା କରିସାରିଲେଣି, ଏ ନେଇ କେହି ଠୋସ୍ ଭାବେ କିଛି କହିବାକୁ ନାରାଜ।
ରାଜନେତାଙ୍କ କ୍ଷେତ୍ରରେ ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି। ଦୁଇଜଣ ଉପକୂଳିଆ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ନାମ ଏହାର ଶୀର୍ଷରେ ଥିବା ଖବର ମିଳିଛି। ବିଜେଡି ଶିବିରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି।
ଉଲ୍ଲେଖଯୋଗ୍ୟ, ଏବେ ବି ୧୧ଟି ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇ ପକ୍ଷରୁ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇନାହିଁ। ମୋଟ ୪୪ଟି ମାମଲା ମଧ୍ୟରୁ ଏଯାଏ ୩୩ଟି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଥିଲେ ହେଁ ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋଫାଇନାନ୍ସ ଭଳି ଚିଟଫଣ୍ଡ ଦୁର୍ନୀତିର ତଦନ୍ତକୁ ସିବିଆଇ ଖୋଲାରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/cbi-2.jpg)