ଭୁବନେଶ୍ବର: ଦୁଇ ଦିନ ତଳେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କ ଜୀବନ ଚାଲିଗଲା। ଗୋଟିଏ ଦିନ ପରେ ବାଘକୁ ମାରି ତାହାର ମାଂସ ଖାଇଗଲେଣି ଲୋକେ। ଏଭଳି ଗୋଟିଏ ପଟେ ଗୋଟିଏ ଘଟଣା ବନ ବିଭାଗ ନିଦ ହଜାଇ ଦେଇଥିବା ବେଳେ ବନଖଣ୍ଡ ଅଧିକାରୀଙ୍କୁ ଡାକି ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଗିଦ୍ କରିଛନ୍ତି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ନିଷ୍ଠା ଓ ସଚ୍ଚୋଟତା ସହ କାମ କର। ହାତୀଙ୍କ ମୃତ୍ୟୁ, ବାଘ ମାରି ତା’ର ମାଂସ ଖାଇବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଏଥିପାଇଁ ତଳିଆ କର୍ମଚାରୀଙ୍କ ସମେତ ଉପରିସ୍ଥ ବନ ଅଧିକାରୀଙ୍କୁ ମଧ୍ୟ ଉତ୍ତରଦାୟୀ କରାଯିବ। ଆବଶ୍ୟକ ପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି।
ଅରଣ୍ୟ ଭବନଠାରେ ଆଜି ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆହୁରି କହିଲେ ବନଖଣ୍ଡ ଅଧିକାରୀମାନେ ବହୁତ ଭଲ କାମ କରୁଛନ୍ତି। ସେମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ବଢ଼ିଛି। ବନାଗ୍ନିକୁ ଭଲ ଭାବେ ପ୍ରତିହତ କରିପାରିଛନ୍ତି। ତଥାପି ଅନେକ କାର୍ଯ୍ୟ କରିବା ବାକି ରହିଛି। ଏଥିପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର। ବିଭିନ୍ନ ସମୟରେ ବୃକ୍ଷରୋପଣ ଦୁର୍ନୀତିର ଅଭିଯୋଗ ଆସୁଛି, ଯାହା ଜଙ୍ଗଲ ବିଭାଗର ଛବିକୁ ମଳିନ କରୁଛି। ଏବେର ସରକାର ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଦୁର୍ନୀତି ଓ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ତେଣୁ ବନଖଣ୍ଡ ଅଧିକାରୀମାନେ ସଜାଗ ହେବା ଆବଶ୍ୟକ। ସମସ୍ତ ଉପରିସ୍ଥ ବନ ଅଧିକାରୀଙ୍କର ବ୍ୟାପକ କ୍ଷେତ୍ର ପରିଦର୍ଶନ ଦରକାର। ପ୍ରଗତି ସହ ତାଳଦେଇ ଜଙ୍ଗଲ, ବନ୍ୟଜନ୍ତୁ ଆବାସସ୍ଥଳୀର ସୁରକ୍ଷା ଓ ସନ୍ତୁଳନକୁ ବଜାୟ ରଖି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଜଙ୍ଗଲ ଜମି ଅନୁମୋଦନ କରିବାକୁ ପଡ଼ିବ। ହାତୀ-ମଣିଷ ସଂଘର୍ଷ ସମସ୍ୟାକୁ ସାମ୍ନା କରି ସମାଧାନ ଖୋଜିବା ଅତ୍ୟାବଶ୍ୟକ ବୋଲି ସେ ମତପ୍ରକାଶ କରିଛନ୍ତି।
ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଅ, ନିଷ୍ଠାର ସହ କାର୍ଯ୍ୟ କର
ଦୁର୍ନୀତି ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ
ଅନୁକମ୍ପା ସହାୟତା, ଚାଷ କ୍ଷତିପୂରଣ ରାଶି ଶୀଘ୍ର ପ୍ରଦାନ, ବାର୍ହା ଓ ମାଙ୍କଡ଼ମାନଙ୍କ ଦ୍ୱାରା ଫସଲ କ୍ଷତି ସମସ୍ୟାର ସମାଧାନ ଆବଶ୍ୟକ। ଜଙ୍ଗଲ ଚତୁଃପାଶ୍ୱର୍ସ୍ଥ ଜନବସତି, ଜନଜାତିଙ୍କ ପାଇଁ ଛତୁ ଚାଷ, ମତ୍ସ୍ୟ ଚାଷ, କୁକୁଡ଼ା ପାଳନ, ମହୁମାଛି ଚାଷ, ଫଳଚାରା ରୋପଣ, ଇକୋ-ଟୁରିଜିମ୍ କ୍ଷେତ୍ର ସହ ଜଡ଼ିତ ରହିବା ଦ୍ୱାରା ସେମାନଙ୍କ ଜୀବନଜୀବିକା ସୁରକ୍ଷିତ ହୋଇପାରିବ। ଜଙ୍ଗଲ ଜମି ଅଧିକାର ନିୟମ ଅନୁପାଳନ ଦ୍ୱାରା ଆଦିବାସୀଙ୍କୁ ତ୍ୱରିତ ଜମିପଟ୍ଟା ପ୍ରଦାନ କରାଯିବା ଦରକାର। ଯଦି କୌଣସି ଲୋକପ୍ରତିନିଧି କିମ୍ବା ଜନସାଧାରଣ ଆସନ୍ତି ତା’ହେଲେ ତାଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଅଭିଯୋଗର ତଦନ୍ତ କରିବା ଜରୁରୀ। କାରଣ ସେମାନଙ୍କ ସହଯୋଗରେ ହିଁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ଭବପର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଥିଲେ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ‘ଏକ ପେଡ୍ ମା’କେ ନାମ୍’ ଅଭିଯାନରେ ରାଜ୍ୟରେ ୫ କୋଟି ୨୦ ଲକ୍ଷ ଚାରା ରୋପଣ କରାଯିବା ପ୍ରଶଂସନୀୟ।
ବନଖଣ୍ଡ ଅଧିକାରୀଙ୍କ ଯୋଗୁଁ ରାଜ୍ୟରେ ଜଙ୍ଗଲ ପରିସୀମା ବଢ଼ିଛି। ବନାଗ୍ନି ପ୍ରତିହତ, ବଣଭୋଜି ସ୍ଥଳଗୁଡ଼ିକୁ ପ୍ଲାଷ୍ଟିକ୍ମୁକ୍ତ, ବଜ୍ରପାତରୁ ସୁରକ୍ଷା ପାଇଁ ୨୦ ଲକ୍ଷ ତାଳଗଛ ଲାଗିବା, ହାତୀ ମୃତ୍ୟୁ ରୋକିବା ଦିଗରେ ବନ ଅଧିକାରୀଙ୍କ ନିଷ୍ଠାପର ପ୍ରୟାସ ଜାରି ରହିଛି। ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ମିଶି ଏହା କିପରି ଆହୁରି କମିପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ବନ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିସିସିଏଫ୍ ତଥା ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ପିସିସିଏଫ୍(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ମିତା ବିଶ୍ୱାଳ ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ।