ଜାତୀୟ ଶିକ୍ଷା‌ ନୀତି ଉପରେ ଗଣଶିକ୍ଷା ବିଭାଗର ମାନସମନ୍ଥନ, ସମୟ ବଢ଼ାଇବାକୁ ଚିଠି ଲେଖିଲେ ମନ୍ତ୍ରୀ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଯେତିକି ଅର୍ଥ ଦେଉଛନ୍ତି ତାହା ପର୍ଯ୍ୟାପ୍ତ ହେଉନାହିଁ। ୨୦୧୯ରେ ମୋଟ ବଜେଟ୍‌ର ୨ରୁ ୩ ପ୍ରତିଶତ ଅର୍ଥ ଶିକ୍ଷା କ୍ଷେତ୍ରକୁ ଦେଇଛନ୍ତି। ସେହି ତୁଳନାରେ ଦେଖିଲେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ଲାଗି ବଜେଟର ପ୍ରାୟ ୧୬ ପ୍ରତିଶତ ବିନିଯୋଗ କରୁଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ୭ ହଜାର ହଷ୍ଟେଲ ନିର୍ମାଣ ହୋଇଛି। ଯେଉଁଠାରେ ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଆଗକୁ ଆହୁରି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜାତୀୟ ଶିକ୍ଷା ନୀତି ଉପରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ରାଜ୍ୟ ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ହୋଟେଲ ଏଚ୍‌ଏଚ୍‌ଆଇରେ ଆୟୋଜିତ ଏହି କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଲେ କେନ୍ଦ୍ର ସରକାର ସବୁବେଳେ ଅର୍ଥ କାଟ୍‌ କରୁଛନ୍ତି। ପୂର୍ବରୁ ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀ ଯଥାକ୍ରମେ ୯୦:୧୦ ଓ ପରେ ୭୫:୨୫ ରହିଥିଲା। ଏବେ ତାହାକୁ ୬୦:୪୦କୁ କମାଇ ଦିଆଯାଇଛି। ବହୁ ଯୋଜନା ବି ବନ୍ଦ କରି ଦିଆଗଲାଣି। ଯାହାର ସିଧାସଳଖ ପ୍ରଭାବ ଶିକ୍ଷା ‌କ୍ଷେତ୍ର ଉପରେ ପଡ଼ୁଛି ବୋଲି ସେ କହିଥିଲେ। ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଆଗରୁ ଦୁଇଟି ଶିକ୍ଷାନୀତି ଆସିଥିଲା। ପ୍ରଥମ ଶିକ୍ଷା ନୀତି ୮ ପୃଷ୍ଠାର ଥିବା ବେଳେ ଦ୍ବିତୀୟଟି ୪୨ ପୃଷ୍ଠା ଓ ଏଥର ୪୨୦ରୁ ଅଧିକ ‌ପୃଷ୍ଠାର ରହିଛି। ତାହା ଉପରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି। ଏଥିପାଇଁ ‌ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟଠାରୁ ଆହୁରି ସମୟ ମଗାଯାଇଛି। ଜୁଲାଇ ୩୧ ପ୍ରସ୍ତାବ ଗ୍ରହଣ କରିବାର ଶେଷ ତାରିଖ ରହିଛି। ତାହାକୁ ବଢ଼ାଇବା ଲାଗି ମନ୍ତ୍ରୀ ଶ୍ରୀ ଦାଶ ଆଜି ଚିଠି ଲେଖିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ବିଜୟ କୁମାର ସାହୁ ଯୋଗଦେଇ କହିଲେ ଦୀର୍ଘ ୩୩ ବର୍ଷ ପରେ ଶିକ୍ଷାନୀତି ଆସିବାକୁ ଯାଉଛି। ଏହା ଉପରେ ବ୍ୟାପକ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ଆଗରୁ ଶିକ୍ଷକ‌କୈନ୍ଦ୍ରିକ ଶିକ୍ଷା‌ ବ୍ୟବସ୍ଥା ଥିବା ବେଳେ ଏବେକାର ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀକୈନ୍ଦ୍ରିକ ହୋଇଛି। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ନିରଞ୍ଜନ ସାହୁ, ୟୁନିସେଫ୍‌ର ରାଜ୍ୟ ମୁଖ୍ୟ ଡ. ମୋନିକା, ଶିକ୍ଷକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ଗଙ୍ଗାଧର ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟମାନେ ଯୋଗଦେଇ ଘରୋଇ ସ୍କୁଲ ଫି’ ନିର୍ଦ୍ଧାରଣ, ଏନ୍‌ସିଇଆରଟି ପୁସ୍ତକ ପ୍ରଚଳନ, ଘରୋଇ କୋଚିଂ ସେଣ୍ଟର ଉପରେ ଲଗାମ, ସ୍କୁଲ ବ୍ୟାଗ୍‌ ନିୟମକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର