କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ ପରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୃଷି ଉତ୍ପାଦନ କମିସନର୍, ବିଭାଗୀୟ ପ୍ରମୁଖ ସଚିବ, ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ କୃଷି ନି‌ର୍ଦ୍ଦେଶକ ବିଭାଗର କାର୍ଯ୍ୟ ପଦ୍ଧତ୍ତି, ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ବ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।

ଫନି ବାତ୍ୟା କ୍ଷତିଗ୍ରସ୍ତ କୃଷକମାନଙ୍କୁ ଉପଯୁକ୍ତ ସହାୟତା ଦେଇ ସେମାନେ ପୁଣି କିପରି କୃଷି କାର୍ଯ୍ୟକ୍ରମ ଅବ୍ୟାହତ ରଖିବେ, ସେଥି ପାଇଁ ପ୍ରୟାସ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦିଷ୍ଟ ଭାବେ କାଳିଆ ଯୋଜନାର ସଫଳ ରୂପାୟନ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଶିକ୍ଷିତ ଯୁବକ, ଯୁବତୀମାନେ କିପରି ଆଗ୍ରହର ସହ କୃଷିକୁ ଜୀବିକା ଭାବେ ଗ୍ରହଣ କରିବେ ଓ ସମାଜରେ ଉପଯୁକ୍ତ ସମ୍ମାନ ପାଇପାରିବେ, ସେ ଦିଗରେ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ଉଦ୍ୟମ କରିବାକୁ ଶ୍ରୀ ସାହୁ ଆହ୍ବାନ ଦେଇଥିଲେ। ଆଜି ମନ୍ତ୍ରୀ ଶ୍ରୀ ସାହୁ ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଯାଇ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ସମୀକ୍ଷା ବୈଠକ କରିଥିଲେ।

ସମ୍ବନ୍ଧିତ ଖବର