ମଣିଷକୁ ପ୍ରକୃତିମୁଖୀ ହେବାକୁ ପଡ଼ିବ: ପ୍ରତିଭା ରାୟ
ଜନ, ଧନ, ମନ ଓ ସମୟ ମିଶିଲେ ସାହିତ୍ୟ ପାଠକ ସମାଜକୁ ଉତ୍ତରଣ କରିପାରିବ: ସୌମ୍ୟରଞ୍ଜନ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଭାରତୀୟ ଗଳ୍ପ ପରମ୍ପରା ବହୁ ପ୍ରାଚୀନ। ଏଥିରୁ ବହୁ ଗଳ୍ପରେ ପ୍ରାଣୀ ଚରିତ୍ରକୁ ବେଶ୍ ରୋଚକ ଓ ଜୀବନ୍ତ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ମଣିଷ ଯେତେବେଳେ କିଛି କହିବାକୁ ଚାହେଁ ବା ଭାବ ପ୍ରକାଶ କରିବାକୁ ଚାହେଁ, ସେ ସେତେବେଳେ ଏହି ପଶୁପକ୍ଷୀ, କୀଟପତଙ୍ଗଙ୍କ ସାହାରା ନିଏ। ତାଙ୍କୁ ଚରିତ୍ର ଦିଏ ଓ କାହାଣୀକୁ ଉତାରେ। ଏମାନଙ୍କ ବିନା ମଣିଷର ଅସ୍ତିତ୍ବ ନାହିଁ। ଏଣୁ ମଣିଷକୁ ପ୍ରକୃତିମୁଖୀ ହେବାକୁ ପଡ଼ିବ। ଆଜି ଲେଖକ, ପାଠକ, ପ୍ରକାଶକ ସାମ୍ମୁଖ୍ୟ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ସମ୍ପାଦିତ ଗଳ୍ପ ସଂକଳନ ‘ମଣିଷ ବ୍ୟତିରେକ’କୁ ଉନ୍ମୋଚିତ କରି ଏହା କହିଛନ୍ତି ପଦ୍ମଶ୍ରୀ ପ୍ରତିଭା ରାୟ।
ଶ୍ରୀମତୀ ରାୟ ଏହି ଅବସରରେ କହିଛନ୍ତି, ଆମ ଶାସ୍ତ୍ର, ପୁରାଣ, ବେଦ ଓ ଉପନିଷଦରେ ବହୁ ଶିକ୍ଷଣୀୟ ତଥା ଯୁଗୋପଯୋଗୀ ଗଳ୍ପ ରହିଛି। ଆଉ ଉତ୍ତରପିଢ଼ି ସେ ସବୁ ଗ୍ରନ୍ଥ ପଢ଼ିବେ ନାହିଁ। ଏଣୁ ସେସବୁରେ ଥିବା ଯୁଗୋପଯୋଗୀ ଗଳ୍ପଗୁଡ଼ିକୁ ସଂଗ୍ରହ କରି ଗଳ୍ପ ସଂକଳନ ପ୍ରକାଶ କଲେ ଆମ ଉତ୍ତରପିଢ଼ି ସେ ସବୁ ପଢ଼ିବାର ଅବକାଶ ପାଇପାରିବେ ବୋଲି ଶ୍ରୀ ରାୟ କହିଥିଲେ। ଏଥି ସହ ମନ୍ତ୍ରୀ ଡ. ସାହୁ ନିଜ ପୁସ୍ତକରେ ଗଛଲତା, ଗୁଳ୍ମ, ଜୀବଜନ୍ତୁ ଓ ପଶୁପକ୍ଷୀକୁ ସ୍ଥାନ ଦେଇଥିବାରୁ ତାଙ୍କୁ ସାଧୁବାଦ ଜଣାଇଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଆଜି ଦିନରେ ଲେଖକ, ପ୍ରକାଶକ ଓ ପାଠକମାନଙ୍କର ପରସ୍ପର ଭିତରେ ସମ୍ବେଦନଶୀଳତା କମି କମି ଯାଉଛି। ଲେଖକ ଓ ପ୍ରକାଶକ ଜଣେ ଆଉ ଜଣକଠାରୁ ଅଧିକ ଲାଭ ଉଠାଉଥିବା ଭାବୁଥିବା ବେଳେ ପାଠକମାନଙ୍କ ରୁଚିକୁ ଦୃଷ୍ଟିରେ ରଖି କେହି ଲେଖନୀ ଚାଳନା କରୁନାହାନ୍ତି। ସାହିତ୍ୟ ସମାଜ ପାଇଁ ଏବେ ୪ଟି କଥା ଅଧିକ ଗୁରୁତ୍ବ ରଖୁଛି। ଜନ, ଧନ ମନ ଓ ସମୟ। ଏବେ ଅକ୍ଷର ଚିହ୍ନିଥିବା ଲୋକଙ୍କ ଅପେକ୍ଷା ମୁଦ୍ରିତ ଅକ୍ଷରକୁ ପଢ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି। ଯଦି ସେଭଳି ଲୋକଟିଏ ମିଳିଲା, ତେବେ ପୁସ୍ତକଟିଏ କିଣି ପଢ଼ିବାକୁ ତାର ମନ ଓ ଧନ ରହିଥିବା ଜରୁରୀ। ଯଦି ତିନିଟି ରହିଛି ତେବେ ଉକ୍ତ ବ୍ୟକ୍ତି ଭାବେ ସମୟ ରହିଥିବା ଆବଶ୍ୟକ। ତେବେ ଯାଇ ସାହିତ୍ୟ ପାଠକ ସମାଜକୁ ଉତ୍ତରଣ କରିପାରିବ।
ବିଶିଷ୍ଟ କଥାକାର ଅଜୟ ସ୍ବାଇଁ ଓ ଅରବିନ୍ଦ ରାୟ ପୁସ୍ତକର ସମୀକ୍ଷା କରି କହିଲେ, ଆଜି ଉନ୍ମୋଚିତ ହୋଇଥିବା ଏହି ଗଳ୍ପ ସଂକଳନଟିରେ ବହୁ ଦିଗଗଜ୍ ଲେଖକଙ୍କର ଗଳ୍ପକୁ ସଂଗ୍ରହ ଓ ସମ୍ପାଦନା କରି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି। ଏଥିରେ ମୋଟ୍ ୨୯ଟି ଗଳ୍ପ ସ୍ଥାନ ପାଇଛି। ଏହି କାହାଣୀଗୁଡ଼ିକୁ ଆଗରୁ ପଢ଼ିଥିଲେ ମଧ୍ୟ ଏବେ ଏହି ପୁସ୍ତକ ମାଧ୍ୟମରେ କାହାଣୀର ଚରିତ୍ରଗୁଡ଼ିକ ସହ ପୁଣି ଥରେ ସାକ୍ଷାତ ହେଲା ଭଳି ମନେ ହେଉଛି। ଆମ ଚାରିପାଖରେ କଥା କହି ପାରୁନଥିବା ଜୀବଜନ୍ତୁମାନେ ନିଇତି ଘୂରି ବୁଲୁଥିବା ବେଳେ ଆମେ ସେମାନଙ୍କୁ ଠିକ୍ ଭାବେ ଅନୁଭବ କରି ପାରିବେ ଓ ନ୍ୟାୟ ଦେଇ ପାରିବେ ବୋଲି ଏହି ପୁସ୍ତକ ଆମକୁ ଅନୁଭବ କରାଉଛି। ଏଥିରେ ଡ. ସାହୁ ଭୟ, ରୋଗ, ସାଧୁତା ଓ ବିଶ୍ବାସଘାତକତା ଆଦିକୁ ନେଇ ଚମତ୍କାର ଢଙ୍ଗରେ ଚରିତ୍ରଗୁଡ଼ିକୁ ଅବସ୍ଥାପିତ କରିଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ପୁସ୍ତକର ସମ୍ପାଦକ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ଆମେ ଯାହା ଶିଖିବା କଥା, ତା’ଠାରୁ ଯଥେଷ୍ଟ ଅଧିକ ଶିଖୁଛେ। କିନ୍ତୁ ବ୍ୟବହାରିକ ଦିଗରେ ତା’ଠାରୁ ଯଥେଷ୍ଟ କମ୍ କାମରେ ଲଗାଉଛେ। ପଶୁପକ୍ଷୀ, ଗଛଲତା ଓ ଗୁଳ୍ପ ଆଦି ସୁନିୟନ୍ତ୍ରିତ। ମଣିଷ ନିୟନ୍ତ୍ରିତ ହେବାର ଅକଶ୍ୟକତା ନାହିଁ; ନଜ ଇଚ୍ଛାରେ ବଞ୍ଚିବା ଆବଶ୍ୟକ। କିନ୍ତୁ ସମ୍ବେଦନ ଓ ସାଧାରଣ ଭାବେ ବଞ୍ଚିବା ଜରୁରୀ।
‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିକ ଏହି କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶକ ଶୁଭେନ୍ଦୁ ଶେଖର ରଥ ଉପସ୍ଥିତ ରହି ଏହି ପୁସ୍ତକର ଯୋଜନା ଓ ପରିକଳ୍ପନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଭର୍ଚୁଆଲ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଧ୍ବ ଲେଖକ, ବୁଦ୍ଧୀଜୀବୀ ସାମିଲ ହୋଇଥିଲେ।