ଏସସିବିରେ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ: ବାହନଗା ରେଳ ଦୁର୍ଘଟଣାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

କଟକ: ଏସସିବି ମେଡିକାଲ ପରିଦର୍ଶନ କରି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ। ଏପରେ ସେ ଗଣମାଧ୍ୟମକୁ  କହିଛନ୍ତି, ଏସସିବିରେ ସମସ୍ତ ବ୍ୟବସ୍ଥା କରାଯାଇଛି। ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଓ ଆଟେଣ୍ଡାଣ୍ଟମାନଂକୁ ସମସ୍ତ ସୂଚନା କିପରି ମିଳି ପାରିବ ତାହା ଉପରେ ଗୁରୁତ୍ୱ ଦିଆ ଯାଇଛି।

ଏସସିବି ମେଡିକାଲରେ ବେଡ଼ ପ୍ରସ୍ତୁତ ରହିଛି ଆବଶ୍ୟକ ହେଲେ ଆହୁରି ଅଧିକ ବେଡ଼ର ବ୍ୟବସ୍ଥା କରାଯିବ। ରକ୍ତର ଅଭାବ ଯେପରି ନ ହୁଏ ତାହାକୁ ନଜରରେ ରଖି ରକ୍ତଦାନ ପାଇଁ ଶହ ଶହ ସ୍ବେଚ୍ଛାସେବୀ ଓ ଯୁବକ ମଧ୍ୟ ଆଗେଇ ଆସିଛନ୍ତି। କଟକ ସହରରେ ଏହି ରକ୍ତଦାନ ଶିବିର ଜାରି ରଖାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ।  କଟକରେ ଏବେ ୧୦୫ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ଭିତରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼‌ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯ‌ାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୮୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର