ଭଞ୍ଜନଗର : ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି ଭଞ୍ଜନଗର ବ୍ଳକ୍ ଓ ଏନଏସିର ୩୨୧ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଓ ଅବିବାହିତ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଭଞ୍ଜନଗର ବ୍ଳକ୍ର ବାଇବାଲି, ଦଦରଲୁଣ୍ଡା, ଗୁଣ୍ଡୁରିବାଡ଼ି, ମୁଜାଗଡ଼, ଲାଲସିଂ, ଢିହପଢାଳ ଓ ଏନ୍ଏସିର ହିତାଧିକାରୀମାନଙ୍କୁ ୮ ମାସର ଭତ୍ତା ସହ କୋଭିଡ ସହାୟତା ରାଶି ପ୍ରଦାନ କରିଥିଲେ।
ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ତାହାଦ୍ୱାରା ରାଜ୍ୟବାସୀ ମଧ୍ୟ ଏହି ମହାମାରୀରେ କବଳିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଥମ ଦିନରୁ ହିଁ ଅହରହ ପରିଶ୍ରମ ଜାରି ରଖିଛନ୍ତି। ସାରା ଭାରତ ବର୍ଷରେ କେବଳ ଓଡ଼ିଶାରେ କରୋନା ଆକ୍ରାନ୍ତ ମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଆରୁଖ କହିଥିଲେ। ଏଥିସହ ଏହି କରୋନା ମହମାରୀ ସମୟରେ ଜନ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜି ଜିଲ୍ଲାରେ କରୋନା ନିୟନ୍ତ୍ରଣ ଆଡକୁ ଗତି କରୁଛି । ତେଣୁ ବର୍ତ୍ତମାନ ଅଧିକା ସତର୍କତା ପାଳନ କରିବା ଜରୁରୀ ବୋଲି ଶ୍ରୀ ଆରୁଖ କହିଥିଲେ।
କରୋନା ପାଇଁ ଲୋକମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବାରୁ ରାଜ୍ୟ ସରକାର ଆଗୁଆ ଭତ୍ତା ପ୍ରଦାନ କରିବା ସହ ସରକାରୀ ଚାଉଳ ପାଉଥିବା ଲୋକମାନଙ୍କୁ ଆଗୁଆ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେଣୁ କୋଭିଡ ନିୟମ ପାଳନ କରିବା ସହ କଟକଣା କୋହଳ ହୋଇଥିଲେ ମଧ୍ୟ ସତର୍କ ରହିବା ପାଇଁ ଶ୍ରା ଆରୁଖ ପ୍ରକାଶ କରିଥିଲେ। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆଜି ୨ଟି ପର୍ଯ୍ୟାୟରେ ଭତ୍ତା ବଣ୍ଟନ କରାଯାଇଥିଲା। ପ୍ରଥମେ ବ୍ଳକ୍ର ୬ ଟି ପଞ୍ଚାୟତର ୧୯୫ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଅପରାହ୍ନରେ ଏନ୍ଏସିର ୧୨୬ ଜଣଙ୍କୁ ମନ୍ତ୍ରୀ ଭତ୍ତା ପ୍ରଦାନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଶ୍ରୀ ଆରୁଖଙ୍କ ସମେତ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବ୍ଳକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ଅଧ୍ୟକ୍ଷା ବିନ ଦଳବେହେରା, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡ଼ିଓ ଅନୀଲ କୁମାର ସେଠୀ, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଶୂଳପାଣୀ ଶତପଥି ସଂଯୋଜନା କରିଥିବା ବେଳେ ସାଂସଦ ପ୍ରତିନିଧି ଦିବାକର ନାୟକ,ପ୍ରାକ୍ତନ ଏନ୍ଏସି ଅଧ୍ୟକ୍ଷ ସୁଧିର ରଞ୍ଜନ ବେହେରା, ବ୍ଳକ୍ ପଞ୍ଚାୟତ ଅଧିକାରୀ ଅଶୋକ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ, ଏନ୍ଏସି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।