ଗିରଫରୁ ଛାଡ଼ ପାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର

ମାର୍ଚ୍ଚ ୪ରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ
ଗଣମାଧ୍ୟମ ସମ୍ମୁଖରେ ମାମଲା ସଂପର୍କରେ ମନ୍ତବ୍ୟ ଦେବା ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ : ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ଅଭିଯୋଗ‌ ନେଇ ବାରିପଦା ଟାଉନ ଥାନାରେ ରୁଜୁ ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶ୍ରୀ ଟୁଡୁଙ୍କୁ ଗିରଫ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୪ ତାରିଖ ଦିନ ୧୦ଟା ସମୟରେ ଶ୍ରୀ ଟୁଡୁ ବାରିପଦା ଟାଉନ ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଜେରାପାଇଁ ଉପସ୍ଥିତ ରହିବେ। ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ତଦନ୍ତକାରୀ ଅଧିକାରୀ ଯେବେ ଚାହିଁବେ ସେ ହାଜର ହେବେ। କିନ୍ତୁ, ଏଥିପାଇଁ ତଦନ୍ତକାରୀ ଅଧିକାରୀ ତାଙ୍କୁ ଆଗୁଆ ଲିଖିତ ନୋଟିସ୍ ଦେବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାଭଳି ସେ କୌଣସି କାର୍ଯ୍ୟ କରିବେ ନାହିଁ। ଏହି ମାମଲା ସଂକ୍ରାନ୍ତରେ ଶ୍ରୀ ଟୁଡୁ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରକାର ମନ୍ତବ୍ୟ ଦେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଏଭଳି ସର୍ତ୍ତର ଉଲ୍ଲଂଘନ ହେଲେ ଅନ୍ତରୀଣ ଜାମିନ ବାତିଲ ‌ହେବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଟୁଡୁଙ୍କ ଆଗୁଆ ଜାମିନ ଆବେଦନର ଆଜି ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଧାର୍ଯ୍ୟ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ କି ନାହିଁ, ତଦନ୍ତରେ ସ‌ହଯୋଗ କରିଲେ କି ନାହିଁ ଓ ଜେରାର କ’ଣ ଫଳାଫଳ ରହିଛି ; ସେ ନେଇ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଦିନ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଅମୂଳକ। ମାମଲାରେ କେବଳ ଆଇପିସିର ଦଫା ୫୦୬ ଏକମାତ୍ର ଜାମିନବିହୀନ ଦଫା। ସେ ଜଣେ ଦାୟିତ୍ବବାନ ବ୍ୟକ୍ତି ହୋଇଥିବାବେଳେ ପଳାୟନ କରିବାର କୌଣସି ସମ୍ଭାବନା ନାହିଁ। ଅନ୍ୟପକ୍ଷରେ, ସରକାରଙ୍କ ତରଫରୁ ମାମଲାର ଦୁଇ ପୀଡ଼ିତଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏତଲାକାରୀ ଅଶ୍ବିନୀ କୁମାର ମଲ୍ଲିକଙ୍କ ଦେହରେ ସାଧାରଣ ଆଘାତ (ସିମ୍ପଲ ଇନଜୁରି) ରହିଥିବା ବେଳେ ଦେବାଶିଷ ମହାପାତ୍ରଙ୍କ ବାମ ହାତ ମଝି ଆଙ୍ଗୁଳି ହାଡ ଭାଙ୍ଗି ଯାଇଛି (ଫ୍ରାକଚର ଇନଜୁରି) ରହିଛି। ଏହି ମାମଲାରେ ଆବେଦନକାରୀଙ୍କୁ ଜେରା ଆବଶ୍ୟକ ବୋଲି ସରକାରଙ୍କ ତପଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀ ଟୁଡୁ ତଦନ୍ତରେ ସହଯୋଗ କରିବାକୁ ଆଗ୍ରହୀ ବୋଲି ତାଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଶ୍ରୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ନେଇ ଶ୍ରୀ ଟୁଡୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଶ୍ରୀ ଟୁଡୁ ଗାଳିଗୁଲଜ କରିବା ସହିତ ଏକ ପ୍ଲାଷ୍ଟିକ୍ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା। ଉଭୟ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏ ନେଇ ବାରିପଦା ଟାଉନ ଥାନାରେ  ଏତଲା ଦିଆଯାଇଥିଲା। ପୁଲିସ ପୀଡ଼ିତଙ୍କ ବୟାନ ରେକର୍ଡ କରିବା ସହିତ ତଦନ୍ତ ଚଳାଇଥିବା ବେଳେ ଶ୍ରୀ ଟୁଡୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ଟୁଡୁଙ୍କ ତରଫରୁ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର