ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି। ହତ୍ୟାକାଣ୍ଡର ୨୨ ଦିନ ପରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ମମିତା ମେହରେଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି, ତାହା ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ୍ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି। ମୁଁ ବାୟୁସେନାରେ ଥିଲି। ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି। ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ। ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ। ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି।
ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ। ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି।
ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ମୋ ପରିବାର ତିନିଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡ଼ିଶା ରିପୋର୍ଟର ସେମାନଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ମୋର ଚରିତ୍ର ସଂହାର ଓ ମାନସିକ ନିର୍ଯାତନା ଦେଇଥିବା ହେତୁ, ଉପଯୁକ୍ତ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛି।
ଏହି ଗଣମାଧ୍ୟମ ମୋ ପ୍ରତି ସେମାନଙ୍କର ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି। ମୁଁ ସର୍ବଦା ବିଶ୍ୱାସ କରେ ଯେ, ସମ୍ବେଦନଶୀଳ ଜଘନ୍ୟ ଅପରାଧରେ, ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏକ ମୁକ୍ତ ଏବଂ ନିରପେକ୍ଷ ଢଙ୍ଗରେ କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ଆଇନ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ। ତେଣୁ ମୁଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିଥିଲି। କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି।
କିଛିି ନିଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ୱାରା ଚଳାଯାଉଥିବା ଏହି ବଦନାମ ଅଭିଯାନ ଓଡ଼ିଶାରେ ଏକ ଖରାପ ରାଜନୈତିକ ପରଂପରା ସୃଷ୍ଟି କରିଛି। ବିଶେଷକରି ଗଣମାଧ୍ୟମ କିଛି ନିଦ୍ଦିଷ୍ଟ ଗୋଷ୍ଠୀ ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନଶୀଳତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି।
ମୁଁ ଜଣେ ବିଧାୟକ ଓ ବାୟୁସେନା ଅଧିକାରୀ ଭାବରେ ଅନେକ ଶିକ୍ଷାନୁଷ୍ଠାନ ଗୁଡ଼ିକର କାର୍ଯ୍ୟକ୍ରମରେ ଯୋଗ ଦିଏ। ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ମୁଁ ବିରୋଧୀ ରାଜନୈତିକ ଦଳ ଏବଂ ଗଣମାଧ୍ୟମକୁ ଅନୁରୋଧ କରିବି, ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି, ତେବେ ଦୟାକରି ଏହାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ। ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ; ବରଂ ମୁଁ ସାଧାରଣ ଜୀବନରୁ ସନ୍ୟାସ ନେଇଯିବି। ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ।
ମୁଁ ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀକୁ ଅନୁରୋଧ କରୁଛି ଯେ, ଏହି ଘୃଣ୍ୟ ଅପରାଧକୁ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ। ବରଂ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଂଚନ୍ତୁ, ଯାହା ସାମ୍ବାଦିକ ଏବଂ ମିଡିଆ ହାଉସ୍ ନିକଟରୁ ଆଶା କରାଯାଏ।
ମୁଁ ଉଚ୍ଚ ବେତନ ପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳାହାଣ୍ଡି ଲୋକଙ୍କର ସେବାପାଇଁ ରାଜନୀତିରେ ଯୋଗଦେଇଥିଲି। ମୁଁ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରୁଛି ଯେ, ଯାହାଙ୍କ ଉପରେ ମୁଁ ଏବଂ କଳାହାଣ୍ଡି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି, ଏହି ଅପରାଧ ସହିତ ମୋର କୌଣସି ସଂପର୍କ ନାହିଁ।