ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ୍‌ ରେକର୍ଡ ସାର୍ବଜନୀନ କରାଯାଉ: କଂଗ୍ରେସ

ଗୋବିନ୍ଦ ସାହୁଙ୍କ ଅନୁଷ୍ଠାନକୁ ଏତେ ଅନୁକମ୍ପା କାହିଁକି ?

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଦୋହରାଇଛି ରାଜ୍ୟ କଂଗ୍ରେସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହିତ ମନ୍ତ୍ରୀ ଓ ବିଜେଡି ସରକାରରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କ ନେଇ ତଥ୍ୟ ପ୍ରମାଣ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ତେଣୁ ନବୀନବାବୁ ମନ୍ତ୍ରିମଣ୍ଡଳରୁ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଶନିବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଲେ, ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ କରାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିପାରେ ଖର୍ଚ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ କରାଯାଇଛି। ଏହା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୁପାରିଶ ମୂଳ କାରଣ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ ୨୦୧୩ ମସିହାରେ +୨ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ର କେନ୍ଦ୍ରସ୍ଥଳ ଥିଲା ଏହି କଲେଜ। ସେତେବେଳେ ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ହେଲେ କ’ଣ ତଦନ୍ତ କରାଗଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେ ନାହିଁ। ଗୋଟିଏ ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନ ବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ? ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଫୋନ କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀ ନିଜର ପଦ ଓ ଗରିମାର କିଭଳି ଅପ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର