ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କଂଗ୍ରେସର ଟାର୍ଗେଟ୍‌

ରାୟପୁର ବିମାନବନ୍ଦର ମନ୍ତ୍ରୀଙ୍କ ଭିଡିଓ ଜାରି କଲା, ସରକାରୀ ନା ବ୍ୟକ୍ତିଗତ କାମରେ ଯାଇଥିଲେ ମନ୍ତ୍ରୀ ?

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ମମିତା ମେହେର ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟର୍ଗେଟ୍‌ କରିଛି ରାଜ୍ୟ କଂଗ୍ରେସ। ମନ୍ତ୍ରୀ ଦିବ୍ୟଶଙ୍କର ରାୟପୁର ବିମାନ ବନ୍ଦରରେ ଥିବା ସମୟର ଏକ ଭିଡିଓ ଜାରି କରିବା ସହିତ ମନ୍ତ୍ରୀ ସରକାରୀ ନା ବ୍ୟକ୍ତିଗତ କାମରେ ସେଠାକୁ ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି। ମମିତା ହତ୍ୟା ଘଟଣାରେ ପୁଲିସ ଚାର୍ଜସିଟ୍‌ରେ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ରାଜ୍ୟ ପୁଲିସ୍ ଠିକ୍ ଭାବେ ତଦନ୍ତ ନ କରି ଦୋଷୀଙ୍କୁ ଖସାଇଦେବାକୁ ଯୋଜନା କରିଛି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ସୋମବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଲେ ଯେ ଗତବର୍ଷ ଅକ୍ଟୋବର ୮ତାରିଖରେ ମମିତାଙ୍କୁ ହତ୍ୟା କରାଯାଇଥିଲା। ୯ତାରିଖରେ ପରିବାର ଲୋକ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହାକୁ ଗ୍ରହଣ କରି ନ ଥିଲା। ୧୧ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ଭବାନୀପାଟଣାରେ ପହଞ୍ଚିଥିଲେ। ହେଲେ ୧୨ତାରିଖରୁ ଆତ୍ମଗୋପନ କରିଥିଲେ। ସୂଚନା ଆଇନ ବଳରେ ମନ୍ତ୍ରୀଙ୍କ ୧୨ରୁ ୨୦ତାରିଖ ପର୍ଯ୍ୟନ୍ତ ଗସ୍ତ ସଂପର୍କରେ ସଂପୂର୍ଣ୍ଣ ସୂଚନା ମଗାଯାଇଥିଲେ ମାତ୍ର ରାଜ୍ୟ ସରକାର ଏ ସଂପର୍କିତ ସୂଚନା ଦେଉନାହାନ୍ତି। କେବଳ ୮ରୁ ୧୧ତାରିଖର ଗସ୍ତ ସଂପର୍କରେ ସୂଚନା ଦିଆଯାଉଛି।

ଗୃହରାଷ୍ଟ୍ର ମନ୍ତ୍ରୀ କେବେ ଫେରାର ନ ଥିବା ଓ ଓଡ଼ିଶାରେ ରହିଥିବା ଦାବି କରି ବିରୋଧୀଙ୍କୁ ତାହାର ପ୍ରମାଣ ମାଗିଥିଲେ। ତେବେ କଂଗ୍ରେସ ନିକଟରେ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ର ଅକ୍ଟୋବର ୧୫ତାରିଖରେ ଇଣ୍ଡିଗୋ ବିମାନରେ ରାୟପୁରରୁ ଦିଲ୍ଲୀ ଯାଇଥିଲେ। ପରେ ଅନ୍ୟ ଏକ ବିମାନରେ ଦିଲ୍ଲୀରୁ ଚଣ୍ଡୀଗଡ଼ରେ ଅପରାହ୍‌ଣରେ ସାଢ଼େ ୪ଟାରେ ପହଞ୍ଚିଥିଲେ। ୧୮ତାରିଖରେ ଭିସ୍ତାରା ବିମାନରେ ଚଣ୍ଡୀଗଡ଼ରୁ ଦିଲ୍ଲୀ ଓ ପରେ ଇଣ୍ଡିଗୋ ବିମାନରେ ରାୟପୁରରେ ସାଢ଼େ ୮ଟା ପହଞ୍ଚିଥିଲେ। ତେଣୁ ୧୨ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ଅଭିଯୁକ୍ତ ଗୋବିନ୍ଦକୁ ରାୟପୁର ଘରେ ଆଶୟ ଦେଇଥିଲେ କି ? ୧୩ ତାରିଖରେ ସିନ୍ଧେକେଲା ଥାନାରେ ମକଦ୍ଦମା ରୁଜୁ ହେବା ପରେ ଗୋବିନ୍ଦ ସାହୁକୁ ବିଦା କରି ନିଜେ ୧୫ତାରିଖରେ ରାୟପୁରରୁ ଚଣ୍ଡୀଗଡ଼ ଯାଇଥିଲେ କି ? ୧୮ତାରିଖରେ ମନ୍ତ୍ରୀ ଚଣ୍ଡୀଗଡ଼ରୁ ଫେରିବା ପରେ ପୁଲିସ ହେଫାଜତରୁ ଫେରାର ଥିବା ଗୋବିନ୍ଦ ସାହୁ ୧୯ତାରିଖରେ ପୁଲିସ ହାତରେ ଧରା ପଡ଼ିବା ଏକ ସଂଯୋଗ ନା ପ୍ରୟୋଗ ବୋଲି କଂଗ୍ରେସ ପ୍ରଶ୍ନକରିଛି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମନ୍ତ୍ରୀଙ୍କର ୧୨ରୁ ୨୦ତାରିଖ ଯାଏ ଗସ୍ତସୂଚୀକୁ ରାଜ୍ୟ ସରକାର ଲୁଚାଇ ରଖିବା ପଛରେ କ’ଣ କାରଣ ରହିଛି। ମମିତା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ, ଗୋବିନ୍ଦ ସାହୁ ଓ ଅନ୍ୟମାନଙ୍କର ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ଏହାସହ ମମିତାର ପେନଡ୍ରାଇଭ ଓ ମୋବାଇଲର ଯାଞ୍ଚ କରିବା ସହିତ ସେକ୍ସ ସ୍କାଣ୍ଡାଲର ମଧ୍ୟ ଯାଞ୍ଚ କରାଯିବା ଜରୁରୀ। ରାଜ୍ୟ ସରକାର ମା’କୁ ସମ୍ମାନର ନାରା ଦେଉଥିବା ବେଳେ ଏହି ଘଟଣାରେ ଦୋଷୀକୁ ଦଣ୍ଡିତ କରିବା ପରିବେର୍ତ ଖସିଯିବା ପାଇଁ ବାଟ ପ୍ରସ୍ତୁତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଂଜନ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର