ରାଜରାସ୍ତାରେ ପ୍ରଶ୍ନବାଣର ସମ୍ମୁଖୀନ ହେଲେ ମନ୍ତ୍ରୀ ଦିବ୍ୟଶଙ୍କର, ଯୁବକ ପଚାରିଲେ- ‘ଆପଣ ଇସ୍ତଫା ଦେବେ କି?’

ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ଅଭିଯୋଗ ଆଣି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋରଦାର କରୁଥିବା ବେଳେ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ଛୋଟ ଛୋଟ ସମାବେଶ କରି ନିଜ ପକ୍ଷ ରଖୁଛନ୍ତି। ଏସବୁ ଭିତରେ ଗତକାଲି ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚାଲି ଚାଲି ଯାଉଥିବା ବେଳେ ଜଣେ ବିଜେପି କର୍ମୀ ଆଗକୁ ଆସି ସେ କେବେ ଇସ୍ତଫା ଦେବେ ବୋଲି ପ୍ରଶ୍ନ କରିଥିଲେ ।

କଳାହାଣ୍ଡିର ଭବାନୀପାଟଣା ସହରରେ ମଙ୍ଗଳବାର ମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ଏହି ଘଟଣା ଘଟିଲା । ଜଣେ ଯୁବକ ନମ୍ରତାର ସହ ମନ୍ତ୍ରୀଙ୍କ ପାଖକୁ ଚାଲିଆସିଲେ । କେହି କିଛି ଭାବିବା ପୂର୍ବରୁ ମନ୍ତ୍ରୀଙ୍କୁ  ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଗଣମାଧ୍ୟମକୁ ଆସିଥିବା ଏହି ସମୟର ଏକ ଭିଡିଓରୁ ଏହା ସ୍ପଷ୍ଟ ହୋଇଥିଲା। ଯୁବକଙ୍କ ପ୍ରଶ୍ନଥିଲା- ‘ଆପଣ ଇସ୍ତଫା ଦେବେ କି?’ ସମସ୍ତଙ୍କ ସାମ୍ନାରେ ଏଭଳି ପ୍ରଶ୍ନ ଶୁଣି ଟିକିଏ ଅସହଜ ହୋଇପଡିଥିଲେ ମନ୍ତ୍ରୀ । ଏହାର ଉତ୍ତରରେ ସେ କିଛି କହିଥିଲେ ମଧ୍ୟ କିନ୍ତୁ କ’ଣ କହିଲେ ତାହା ସ୍ପଷ୍ଟ ଶୁଣାଯାଉ ନ ଥିଲା । ଏହାର ପ୍ରତି ଜବାବରେ ଯୁବକ କହିଥିଲେ- ‘ନା ଫାଶୀ ନୁହେଁ, ଆମର ଫାଶୀ ଦରକାର ନାହିଁ, ଇସ୍ତଫା ଦରକାର ।’ ଏହା ପରେ ତାଙ୍କ ପ୍ରଶ୍ନକୁ ଏଡାଇ ଦେଇ ଚାଲିଯାଇଥିଲେ ମନ୍ତ୍ରୀ । ଭବାନୀପାଟଣା ରାସ୍ତାରେ ମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ କରାଯିବାର ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ କରିଥିଲେ । ଆଉ କିଛି ସମୟ ପରେ ଏ ଦୃଶ୍ୟ ମୋବାଇଲକୁ ମୋବାଲଇ୍ ଘୁରିବୁଲିଥିଲା ଓ ଗଣମାଧ୍ୟମକୁ ଆସିଥିଲା।

ଅନ୍ୟପକ୍ଷରେ ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଞ୍ଚାୟତରେ ମହିଳାଙ୍କୁ ନେଇ ସମାବେଶ କରି ମନ୍ତ୍ରୀ ଅଜବ ଯୁକ୍ତି ବାଢିଛନ୍ତି । କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଆଣି, ଅଞ୍ଚଳକୁ ଅପମାନ କରାଯାଉଛି । ମମିତା ହତ୍ୟାକାଣ୍ଡରେ ତାଙ୍କ ନାଁକୁ ନେଇ ଅଭିଯୋଗ ଆସୁଥିବାରୁ ମନ୍ତ୍ରୀ ଏବେ ଯେଉଁଠି ଯାଉଛନ୍ତି, ସେଠାରେ ମହିଳାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ କହୁଛନ୍ତି ।

ସମ୍ବନ୍ଧିତ ଖବର