ମହାତ୍ମାଗାନ୍ଧୀ ପ୍ରସଙ୍ଗ : ଦୋଷ ମାନିଲେ ଗଣଶିକ୍ଷା ମନ୍ତ୍ରୀ, ବିଧାନସଭାରେ ବିବୃତି ରଖିଲେ

ଅନିଚ୍ଛାକୃତ ତ୍ରୁଟି, ପୁସ୍ତିକା ପ୍ରତ୍ୟାହାର ନିର୍ଦେଶ
ସେବାନିବୃତ୍ତ ହେଲେ ଜଣେ, ଦୁଇଜଣଙ୍କୁ କୈଫିୟତ
ଉତ୍ତରରେ ଅସନ୍ତୋଷ ଜଣାଇଲେ ନରସିଂହ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ବଣ୍ଟାଯାଇଥିବା ପୁସ୍ତିକାରେ ତ୍ରୁଟି ସଂପର୍କରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବିଧାନସଭାରେ ବିବୃତି ରଖିଛନ୍ତି। ତ୍ରୁଟିକୁ ପରୋକ୍ଷରେ ସ୍ବୀକାର କରି ମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କୁ କୌଣସି ଭୁଲ ତଥ୍ୟ ଦେବା କିମ୍ବା ବିଭ୍ରାନ୍ତ କରିବା କିମ୍ବା ଘଟଣା ଚକ୍ରକୁ ପରିବର୍ତ୍ତନ କରିବା ସରକାରଙ୍କର ଉଦ୍ଦେଶ୍ୟ ନଥିଲା। ଏହା ଅନିଚ୍ଛାକୃତ ଅଟେ। ବିଧାନସଭାକୁ ସମ୍ମାନ ଜଣାଇ ସରକାର ଏହି ପୁସ୍ତିକାକୁ ପ୍ରତ୍ୟାହାର କରିଛନ୍ତି। କେବଳ ସେତିକି ନୁହେଁ, ଏହି ଘଟଣାରେ ସଂପୃକ୍ତ କର୍ମଚାରୀଙ୍କୁ ସେବାନିବୃତ୍ତ କରାଯିବା ସହିତ ଦୁଇ ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି। ପ୍ରତ୍ୟାହାର ହୋଇଥିବା ପୁସ୍ତିକାକୁ ଆବଶ୍ୟକ ସଂଶୋଧନ ସହ ପୁନଃ ମୁଦ୍ରଣ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକମାସ ମଧ୍ୟରେ ବଣ୍ଟାଯିବ।

ହେଲେ ମନ୍ତ୍ରୀଙ୍କର ଏହି ବିବୃତି ବିରୋଧୀ କଂଗ୍ରେସ ଦଳକୁ ସନ୍ତୁଷ୍ଟ କରିନଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଘଟଣା ପାଇଁ ଉତ୍ତରଦାୟିତ୍ବ ନେବାକୁ ପଡିବ ବୋଲି ପୁଣି ଥରେ ଦୋହରାଇଥିଲେ। କେବଳ ସେତିକି ନୁହେଁ, କିଛି ତଳିଆ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେଇ ସରକାର ଖସିଯାଇପାରିବେନି ବୋଲି କହିଥିଲେ। ଏହି ତ୍ରୁଟି ଗଣଶିକ୍ଷା ବିଭାଗର ନୁହେଁ, ବରଂ ସୂଚନା ଓ ଲୋକସଂପର୍କ ବିଭାଗର ଏକ ତଥ୍ୟରୁ ଆସିଥିଲା ବୋଲି ଶ୍ରୀ ମିଶ୍ର ଗୃହକୁ ସୂଚନା ଦେଇଥିଲେ। ତେବେ ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋଚନାକୁ ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଶ୍ରୀ ମିଶ୍ରଙ୍କ ମଧ୍ୟରେ ଢେର୍ ସମୟ ଯାଏ କଥା କଟାକଟି ହୋଇଥିଲା। ବର୍ତମାନ ପାଇଁ ନ ହେଲେ ବି ଭବିଷ୍ୟତରେ ଏହି ବିବୃତିକୁ ସେ ଅବଶ୍ୟ ଉଦ୍ଧାର କରି ନିଜ ବକ୍ତବ୍ୟ ରଖିବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ସୂଚାଇଥିଲେ।

ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ପତ୍ରିକାରେ ମହାତ୍ମାଗାନ୍ଧୀଙ୍କ ସଂପର୍କରେ ଉଲ୍ଲେଖ ଥିବା ଏକ ବାକ୍ୟକୁ ନେଇ ଶୁକ୍ରବାର ବିଧାନସଭାରେ ଝଡ ସୃଷ୍ଟି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ବାଚସ୍ପତି ରାଜ୍ୟ ସରକାରଙ୍କୁ ବିଧାନସଭାରେ ବିବୃତି ରଖିବାକୁ ନିର୍ଦେଶ ଦେଇଥିଲେ। ଆଜି ପ୍ରଶ୍ନକାଳ ସରିବା କ୍ଷଣି ଗଣଶିକ୍ଷା ମନ୍ତ୍ରୀ ଗୃହରେ ତାଙ୍କ ବିବୃତି ରଖିଥିଲେ। ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବକୁ ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ୨୦୧୮ ଅକ୍ଟୋବର ୨ରୁ ୨୦୧୯ ଅକ୍ଟୋବର ୨ ତାରିଖ ଯାଏ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିନିମନ୍ତେ ପିଲାଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଜିଲ୍ଲାସ୍ତରରେ ପ୍ରଦର୍ଶନୀ, ନାଟକ ଓ ସେମିନାର ଇତ୍ୟାଦି ଆୟୋଜନ କରାଯାଇଥିଲା। ଏହାବ୍ୟତୀତ ଗାନ୍ଧୀଙ୍କ ସଂପର୍କରେ ଆମ ବାପୁଜୀ: ଏକ ଝଲକ ଶୀର୍ଷକ ଏକ ଦୁଇ ପୃଷ୍ଠା ସମ୍ବଳିତ ପୁସ୍ତିକା ବଣ୍ଟନ କରିବା ପାଇଁ ସ୍ଥିର ହୋଇଥିଲା। ପୁସ୍ତିକାର ସଫ୍ଟ କପି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଠାଯାଇଥିଲା। ଜିଲ୍ଲାସ୍ତରରେ ମୁଦ୍ରଣ କରି ଏହାକୁ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ କୁହାଯାଇଥିଲା।

ଏହି ପୁସ୍ତିକାରେ ଗାନ୍ଧୀଜୀଙ୍କ ଜୀବନ ସଂପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି। ଯଥା ତାଙ୍କର ଶୈଶବ ଓ ପାଠପଢା, ଗାନ୍ଧୀଜୀ ଓ ଓଡ଼ିଶା, ବହି କଥାରେ ଗାନ୍ଧୀ ଓ ଗାନ୍ଧୀ-ବାଣୀର ଫୁଲତୋଡା ଭଳି ଶୀର୍ଷକ ରହିଛି। ଏଥିରେ ଗାନ୍ଧୀଜୀଙ୍କର ୪ଟି ଫଟୋ ସହ ତାଙ୍କର ଓଡ଼ିଶା ଉପରେ ମତାମତ ମଧ୍ୟ ସ୍ଥାନୀତ ହୋଇଛି।

ମନ୍ତ୍ରୀ କହିଥିଲେ, ଏହି ପୁସ୍ତିକାରେ ଉଲ୍ଲେଖ ରହିଛି ଯେ ୩୦ ଜାନୁଆରି ୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣା କ୍ରମେ ଗାନ୍ଧୀଜୀଙ୍କ ଅକାଳ ବିୟୋଗ ଘଟିଥିଲା। ଏହାକୁ ନେଇ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରସଙ୍ଗ କ୍ରମେ ଉକ୍ତ ବିଷୟ ଏହି ପବିତ୍ର ଗୃହରେ ମଧ୍ୟ ଉପସ୍ଥାପିତ ହୋଇଛି।

ଏହାକୁ ଶ୍ରୀ ମିଶ୍ର ଆପତ୍ତି କରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି, ଯାହାର ମୁଖ୍ୟ ହେଉଛନ୍ତି ନବୀନ ପଟ୍ଟନାୟକ। ଏଣୁ ତାଙ୍କ ଅନୁମତି ବିନା କିଛି ବି ହୋଇପାରିବନାହିଁ। ଯେଉଁଥିପାଇଁ ଶୁକ୍ରବାର କୁହାଯାଇଥିଲା ଯେ ଯଦି ତାଙ୍କ ଜାଣତରେ ହୋଇଛି, ତେବେ ସେ ଇସ୍ତଫା ଦିଅନ୍ତୁ, ଅନ୍ୟଥା ଗୃହରେ କ୍ଷମା ମାଗନ୍ତୁ। ଏତେବଡ଼ ଘଟଣା ପାଇଁ କିଏ ଦାୟୀ? ତଳିଆ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଚୁପ୍ ବସିପାରିବେ ନାହିଁ। ଏମିତି ହେଲେ ସେମାନଙ୍କୁ ଗୃହକୁ ଡକାଯାଉ। ସରକାରୀ ବ୍ୟବସ୍ଥାରେ ଯାହା ବି ହେବ, ତା ପାଇଁ ସରକାର ହିଁ ଉତ୍ତରଦାୟୀ ରହିବେ। କିନ୍ତୁ ବାଚସ୍ପତି ଶ୍ରୀ ମିଶ୍ରଙ୍କୁ ଅଧିକ କହିବାକୁ ସୁଯୋଗ ଦେଇନଥିଲେ। ବାରମ୍ବାର ବାଧା ସୃଷ୍ଟି କରିବା ସହ ଆଲୋଚନାରୁ ନିବୃତ୍ତ ରହିବା ଲାଗି ବାଚସ୍ପତି ପ୍ରବର୍ତାଇବାରୁ ଏହି ପ୍ରସଙ୍ଗରୁ ଓହରିଆସିଥିଲେ ଶ୍ରୀ ମିଶ୍ର। ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଭାଗ ନେଇ ମନ୍ତ୍ରୀଙ୍କ ବିବୃତି ଉପରେ ଆଲୋଚନାକୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର