ରାୟଗଡ଼ା : ୨୦୧୯ ମସିହା ନିର୍ବାଚନ ଟିକେଟ୍ ଘୋଷଣାଠୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଶପଥ ଗ୍ରହଣ ଉତ୍ସବ ସବୁଠି ଜଗନ୍ନାଥ ସାରକାଙ୍କ ନାମକୁ ପ୍ରାଧ୍ୟାନ୍ୟ ଦେଇଛି ବିଜେଡି। ଏପରିକି ନୂଆ ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ତାଲିକାରେ କ୍ରମିକ ନଂ ବଦଳରେ ସର୍ବାଗ୍ରେ ଜଗନ୍ନାଥ ସାରକାଙ୍କ ନାମ ଏବଂ ପରେ ଅନ୍ୟ ୧୨ କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଭାବାବେଗ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଡ଼ିତ ହୋଇଥିବାରୁ ଜଗନ୍ନାଥଙ୍କ ନାଁକୁ ସମସ୍ତ କାର୍ଯ୍ୟକ୍ରମରେ ଆଗରେ ରଖିଥିବା ନେଇ ଚର୍ଚ୍ଚା ହେଉଛି।

Advertisment

୨୦୧୪ ନିର୍ବାଚନରେ ପ୍ରଥମେ ଶ୍ରୀ ସାରକା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବାପରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ରାଷ୍ଟ୍ରମନ୍ତ୍ରୀ ଭାବେ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିର୍ବିବାଦୀୟ, ଦୁର୍ନୀତିମୁକ୍ତ, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ଜଗନ୍ନାଥ ନବୀନଙ୍କ ଶୁଭଦୃଷ୍ଟିରେ ରହିଛନ୍ତି। ଯେଉଁଥିପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବର ପଞ୍ଚମ ପାଳି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଜଗନ୍ନାଥ ରାଷ୍ଟ୍ରମନ୍ତ୍ରୀରୁ ପଦୋନ୍ନତି ପାଇ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।