ବାରିପଦା: ବିକାଶମୂଳକ କାର୍ଯ୍ୟରେ ବାଧା ଦେଉଛନ୍ତି କିଛି ନିର୍ଦ୍ଦିଷ୍ଟ ନେତା। ଲୋକଙ୍କୁ ମତାଇ ପ୍ରକଳ୍ପ କାମ କରାଇ ଦେଉନାହାନ୍ତି। ବିକାଶ କରିବାକୁ ହେଲେ ଜମିର ଆବଶ୍ୟକତା ରହିଛି। ହେଲେ, ପ୍ରସ୍ତାବିତ ପ୍ରକଳ୍ପ ଜାଗା ମାଡ଼ି ବସିବାକୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ୨୫ ବର୍ଷ କ୍ଷମତାରେ ରହିଲେ, କିଛି କଲେନି। ଏବେ ନୂଆ ସରକାର ଲୋକଙ୍କ ପାଇଁ କିଛି କରିବାକୁ ଉଦ୍ୟମ କଲାବେଳକୁ କଣ୍ଟା ସାଜୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାସ୍ଥିତ ବାଘଡ଼ାଠାରେ ଆୟୋଜିତ ଏକ ସ୍ବାସ୍ଥ୍ୟ ଭିତ୍ତିଭୂମି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ବିଜେଡି ଉପରେ ଏମିତି ଢଙ୍ଗରେ ବର୍ଷିଛନ୍ତି ମୋରଡ଼ା ବିଧାୟକ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର। କାହା ନାଁ ନ ନେଇ ମନ୍ତ୍ରୀ କହିଲେ; ମୋରାଡ଼ାରେ ଏକ କୃଷି ଶିଳ୍ପ ପାର୍କ ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଆଖପାଖ ଅଞ୍ଚଳର ୧୨୦୦ରୁ ଅଧିକ ପରିବାର ଲାଭାନ୍ବିତ ହେବେ। ଆସନ୍ତା ଦିନରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଏହି ପ୍ରକଳ୍ପ ସ୍ଥାପନ ହେବ।
ହେଲେ ଏହି ପ୍ରକଳ୍ପକୁ ବନ୍ଦ କରାଇବା ପାଇଁ ଏକ ରାଜନୈତିକ ଦଳର କିଛି ନେତା ସ୍ଥାନୀୟ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏମିତି ପ୍ରକଳ୍ପ ଦ୍ବାରା ଲୋକଙ୍କର ବହୁ ସମସ୍ୟା ହେବ, ଜମି ପଳାଇବ, ଗାଁରୁ ବିତାଡ଼ିତ ହେବାକୁ ପଡ଼ିବ ବୋଲି ମିଛ କହୁଛନ୍ତି। ନିଜେ କ୍ଷମତାରେ ଥିଲାବେଳେ କିଛି କରିପାରିଲେ ନାହିଁ। ଏବେ ଆମେ କିଛି କଲା ବେଳକୁ ପରଦା ପଛରେ ରହି ବିରୋଧ କରୁଛନ୍ତି। ଲୋକଙ୍କୁ ମୋହରା ବନାଇ ନିଜର କାର୍ଯ୍ୟ ହାସଲ କରିବାକୁ ଚାହୁଛନ୍ତି। ଆମ ଲୋକ ସରଳ ବୋଲି ସେମାନଙ୍କ କଥାକୁ ମାନି ନେଉଛନ୍ତି। ତେବେ ଏହାକୁ ଆଦୌ ବରଦାସ୍ତ କରାଯିବନି। ଏକଥା ମୁଖ୍ୟମନ୍ତ୍ରୀଙ୍କୁ ନଜରକୁ ଆଣିବା ସହ ଆସନ୍ତା ବିଧାନସଭା ଅଧିବେଶନରେ ଉଠାଇବି।
ଏଥିସହ ମୟୂରଭଞ୍ଜ ଲୋକଙ୍କୁ ଅନୁରୋଧ କରୁଛି, ସେମାନଙ୍କର କିଛି ସମସ୍ୟା ଥିଲେ ମୋ ସହ କଥା ହୁଅନ୍ତୁ। ସ୍ବାର୍ଥପର ନେତାଙ୍କ ମିଛ କଥାରେ ଭାସିଯାଆନ୍ତୁ ନାହିଁ। ସେମାନେ ଆପଣଙ୍କ ବିକାଶ ଦେଖିବାକୁ ଚାହୁ ନାହାନ୍ତି ବୋଲି ନିଜ ଭାଷଣରେ କହିଥିଲେ ମନ୍ତ୍ରୀ। ଅନ୍ୟପକ୍ଷରେ, ଭରା ସଭାରେ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଏଭଳି ଶାଣିତ ଆକ୍ରମଣର ଜବାବ ରଖିଛନ୍ତି ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି। ସେ କହିଛନ୍ତି, ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି ଓ ଆଉ ରହିଥିବ। ମନ୍ତ୍ରୀ କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଯିଏ ବି ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁଛି, ତାଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଖୋଲା ଆକାଶକୁ ଏମିତି ତୀର ମାରିବା ଅପେକ୍ଷା ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କ କଥା ବୁଝନ୍ତୁ ବୋଲି କହିଛନ୍ତି ଶ୍ରୀ ମାରାଣ୍ଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HjuoSAG3o7Edmv3bqQZi.jpeg)