ସମ୍ପତ୍ତି ତାଲିକା ଦେଲେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ୬୪ କୋଟିର ମାଲିକ

ନବଙ୍କ ସମ୍ପତ୍ତି ଆଖି ଖୋସି ହେଲା ଭଳି

ଧାର ଟଙ୍କା ଶୁଝିଲେ, ଫରିଦାବାଦ ଜମି ବିକିବେ
୧କୋଟି ୨୫ଲକ୍ଷ ଟଙ୍କା ଅଗ୍ରିମ ଆଣିସାରିଲେଣି
ମୁଖ୍ୟମନ୍ତ୍ରୀଙ୍କ ପାଖରେ କେବଳ ଆମ୍ବାସାଡର
ନବ ଓ ସୁଦାମଙ୍କ ପାଖରେ ରହିଛି ରିଭଲଭର୍‌

ଭୁବନେଶ୍ବର : ରାଜ୍ୟରେ ନିରଙ୍କୁଶ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ଗାଡ଼ି ହିସାବରେ ଗୋଟିଏ ପୁରୁଣା (୧୯୮୦) ମଡେଲ୍‌ ଆମ୍ବାସାଡାର କାର୍‌ଟିଏ ରହିଛି। ଯାହାର ମୂଲ୍ୟ ମାତ୍ର ୮ ହଜାର ୯୦୫ ଟଙ୍କା। ଏହିପରି ଗାଏମୋଟ ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନେ ଦାଖଲ କରିଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନାଁରେ ବିଦେଶୀ କାର ଓ ଟ୍ରକ୍‌ ସମେତ ୮୦ଟି ଗାଡ଼ି ରହିଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନରିଞ୍ଜନ ପୂଜାରୀଙ୍କର ଚାଷ ଜମି ସମେତ ବ୍ୟାଙ୍କ ଜମା ମିଶି ୨କୋଟି ୪୯ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ମନ୍ତ୍ରୀମାନେ ପ୍ରଦାନ କରିଥିବା ସେମାନଙ୍କ ସମ୍ପତ୍ତିର ହିସାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି।

ପ୍ରକାଶିତ ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନାଁରେ ୭ଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ସେଥିରୁ ଦିଲ୍ଲୀରେ ୩ଟି ଓ ବାକିତକ ରାଜ୍ୟରେ ରହିଛି। ୨୦୧୯ ମାର୍ଚ୍ଚ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨ ଲକ୍ଷ ୧୨ ହଜାର ୨୫୨ ଟଙ୍କାର ଅଳଙ୍କାର ଥିଲା। ଯାହା ଗତ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାର ମୂଲ୍ୟରେ ବୃଦ୍ଧି ଘଟି ୨ ଲକ୍ଷ ୬୯ ହଜାର ୫୮୭ ଟଙ୍କା ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଟଙ୍କା ହାତ ଉଦ୍ଧାର ଆଣିଥିଲେ। ତାକୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ସୁଝି ଦେଇଛନ୍ତି।

ଉତ୍ତରାଧିକାର ସୂତ୍ରରେ ମାଲିକାନା ପାଇଥିବା ଶ୍ରୀ ପଟ୍ଟନାୟକଙ୍କର ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଭୁବନେଶ୍ବରରେ ଚାଷ ଜମି ଓ କୋଠା ରହିଛି। ୨୦୧୯ରେ ଦାଖଲ ସମ୍ପତ୍ତି ତାଲିକା ଅନୁଯାୟୀ ଉତ୍ତରପ୍ରଦେଶର ଫରିଦାବାଦ ଜିଲ୍ଲା ଟିକ୍ରିଖେରା ଗ୍ରାମ ସୋହନା ରୋଡ୍‌ରେ ୨୨.୭ ଏକର ଜମି ତାଙ୍କ ନାମରେ ରହିଛି। ୨୦୧୭ ମୂଲ୍ୟାଙ୍କନ ଅନୁଯାୟୀ ସମ୍ପୃକ୍ତ ଜମିର ବଜାର ଦର ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ଥିଲା। ସେହିପରି ଭୁବନେଶ୍ବର ନବୀନ ନିବାସରେ ଥିବା କୋଠା ଓ ଜମିରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି। ଯାହାର ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏ.ପି.ଜେ ଅବଦୁଲ କଲାମ୍‌ ରୋଡ଼ରେ ଥିବା ଜମି ଓ କୋଠାରୁ ନବୀନଙ୍କ ଭାଗରେ ପଡ଼ୁଥିବା ୫୦% ଅଂଶର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା। ଏହିପରି ସମୁଦାୟ ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କା।

୨୦୨୦ ମାର୍ଚ୍ଚ ସୁଦ୍ଧା ଦାଖଲ ହୋଇଥିବା ସମ୍ପତ୍ତି ତାଲିକାରେ ଏସବୁ ସମ୍ପତ୍ତିର ମୂଲ୍ୟ କୌଣସି ବୃଦ୍ଧି ନ ହୋଇ ଶ୍ରୀ ପଟ୍ଟନାୟକ ସମାନ ଥିବା ଦର୍ଶାଇଛନ୍ତି। ଫରିଦାବାଦ ସ୍ଥିତ ଚାଷ ଜମିକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୯ ସେପ୍ଟେମ୍ବରରେ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ। ସେ ବାବଦରେ ଗତ ଆର୍ଥିକ ବର୍ଷରେ ୧ କୋଟି ୨୫ ଲକ୍ଷ ଟଙ୍କା ଅଗ୍ରିମ ଟଙ୍କା ଆଣିଛନ୍ତି।

Odisha News Times

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସଂପତ୍ତି ୩୪ଲକ୍ଷ, ୫ହଜାର ଟଙ୍କିଆ ହିରୋହୋଣ୍ଡା ଚଢ଼ୁଛନ୍ତି ଅରୁଣ
ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି, ସୋନପୁର ଓ ଯାଜପୁର ଜିଲ୍ଲାରେ ଚାଷ ଜମି, ଘରବାରୀ ମିଶି ପ୍ରାୟ ୧୮ ଏକର ଜମି ରହିଛି। ଯାହାର ମୂଲ୍ୟ ୧ କୋଟି ୩୨ ଲକ୍ଷ ୬୭ ହଜାର ୯୭୭ ଟଙ୍କା। ୭ଟି ବ୍ୟାଙ୍କ ଆକାଉଣ୍ଟରେ ୬୧ ଲକ୍ଷ ୮ ହଜାର ଟଙ୍କା ଥିବାବେଳେ ୨୧ ଲକ୍ଷ ୧୫ ହଜାର ଟଙ୍କାର ଜୀବନ ବୀମା ପଲିସି, ଗୋଟିଏ ଲେଖାଏଁ ମଟର ସାଇକେଲ୍‌, ମାରୁତି କାର ଓ ଇନୋଭା ଏସ୍‌ୟୁଭି ଗାଡ଼ି ଅଛି। ୨୪ ଲକ୍ଷ ୫୫ ହଜାର ୯୦୦ ଟଙ୍କାର ସୁନା ଓ ରୁପା ଅଳଙ୍କାର ଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ୫୯ ଲକ୍ଷ ୯୩ ହଜାର ୨୧୨ ଟଙ୍କାର ଅଳଙ୍କାର ରହିଛି। ପତ୍ନୀ ବୀଣାପାଣି ପୂଜାରୀଙ୍କ ଚାଷ ଜମି ଓ ଘରବାରି ମିଶି ୪୮ ଲକ୍ଷ ୩୩ ହଜାର ୯୯ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି। ଗତ ମାର୍ଚ୍ଚ ୨୦୨୦ ସୁଦ୍ଧା ଶ୍ରୀମତୀ ପୂଜାରୀଙ୍କ ପାଖରେ ୭ ଲକ୍ଷ ଟଙ୍କା ନଗଦ ରାଶି ଥିଲା। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଡୁଙ୍ଗୁରିପାଲ୍ଲୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ୩୧ ହଜାର ଟଙ୍କାର କାର ଋଣ ନେଇଛନ୍ତି।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମରେ ଢେଙ୍କାନାଳରେ ୩୪ ଲକ୍ଷ ଟଙ୍କା ମୂଲ୍ୟର ଚାଷ ଜମି ଓ ଘର ରହିଛି। ଏହାଛଡ଼ା ଆଉ କୌଣସି ସ୍ଥାନରେ ସ୍ଥାବର ସମ୍ପତ୍ତି ନାହିଁ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ତାଙ୍କ ପତ୍ନୀଙ୍କ ନାମରେ ୧ କୋଟି ୫୨ ଲକ୍ଷ ୯୭ ହଜାର ୫୮୬ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ଉଭୟଙ୍କ ନାମରେ ୧ କୋଟି ୬୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଶ୍ରୀ ସ୍ବାଇଁଙ୍କ ପତ୍ନୀ ମଞ୍ଜୁଳା ଦାସ ୨୦ ଲକ୍ଷ ୩୨ ହଜାର ୮୫୪ ଟଙ୍କାର ଋଣ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କର କୌଣସି ଚାଷ ଜମି ନାହିଁ। କିନ୍ତୁ ୬ କୋଟି ୯୪ ଲକ୍ଷ ୫ ହଜାର ଟଙ୍କା ମୂଲ୍ୟର ଅଣଚାଷ ଜମି ଥିବାବେଳେ ୧୦ କୋଟି ୩୫ ଲକ୍ଷ ଟଙ୍କା ମୂଲ୍ୟର ବ୍ୟବସାୟିକ କୋଠା ରହିଛି। ଶ୍ରୀ ଜେନା ୩୦ ଲକ୍ଷ ଟଙ୍କାର ଗୃହ ଋଣ କରିଛନ୍ତି। କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୫ ହଜାର ଟଙ୍କା ମୂଲ୍ୟର ହିରୋ ହୋଣ୍ଡା ମୋଟରସାଇକେଲ୍‌ ଚଢ଼ୁଥିବା ଦର୍ଶାଇଛନ୍ତି। ଏହାସହିତ ଗୋଟିଏ ଇନୋଭା କାର୍‌, ପତ୍ନୀଙ୍କ ନାମରେ ସ୍ବିଫ୍ଟ୍‌ କାର୍‌ ଥିବାବେଳେ ଉଭୟଙ୍କ ନାମରେ ୧୯ ଲକ୍ଷ ୪୩ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି।

NDTV.com

ଟୁକୁନିଙ୍କର ରହିଛି ୧୧ ପ୍ଲଟ୍, ରିଭଲ୍‌ଭର ରଖିଛନ୍ତି ସୁଦାମ
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ବଲାଙ୍ଗୀର ଟିଟିଲାଗଡ଼, ଭୁବନେଶ୍ବର ଆଇଗିଣିଆ ଓ ଖଣ୍ଡଗିରିରେ ୧ କୋଟି ୯୪ ଲକ୍ଷ ଟଙ୍କାର ୧୧ଟି ପ୍ଲଟ୍‌ ରହିଛି। ସେଥିରୁ ୫ଟି ପ୍ଲଟ୍‌ ନିଜସ୍ବ ଆୟରୁ କରିଥିବାବେଳେ ବାକି ଜମି ସେ ଦାନ ଓ ଉତ୍ତରାଧିକାର ସୁତ୍ରରେ ପାଇଥିବା ଶ୍ରୀମତୀ ସାହୁ ଉଲ୍ଲେଖ କରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ତାଙ୍କ ପତ୍ନୀଙ୍କ ନାମରେ ବାରିପଦା ସହରରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ୪ଟି ପ୍ଲଟ୍‌ ଅଛି। ଭୁବନେଶ୍ବର ନୟାପଲ୍ଲୀରେ ଆର୍ଯ୍ୟାଳୟ ଆପାର୍ଟମେଣ୍ଟ୍‌ରେ ୧ହଜାର ୮୦ ବର୍ଗଫୁଟ ପରିମିତ ଫ୍ଲାଟ୍‌ କଣିଛନ୍ତି। ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା। ସେହିପରି ବାରିପଦା ସହରର ବିଜୟ ରାମଚନ୍ଦ୍ରପୁରରେ ୪୫ ଲକ୍ଷ ଟଙ୍କା ମୂଲ୍ୟର ବାସଗୃହ କିଣିଛନ୍ତି। ତାଙ୍କ ନାମରେ ଗୋଟିଏ ରିଭଲ୍‌ଭର, ହୁଣ୍ଡାଇ ଏଲାଣ୍ଟ୍ରା କାର୍‌, ଅଳଙ୍କାର ଅଛି। ଯାହାର ମୂଲ୍ୟ ୬ ଲକ୍ଷ ୫୫ ହଜାର ଟଙ୍କା। ସମ୍ପତ୍ତି ତାଲିକା ଅନୁଯାୟୀ ଏସ୍‌ସି-ଏସ୍‌ଟି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଖରେ ମାତ୍ର ୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୪ ଲକ୍ଷ ଟଙ୍କାର ସୁନା ଓ ୨୯ ହଜାର ୬୦୦ ଟଙ୍କା ମୂଲ୍ୟର ରୁପା ଅଳଙ୍କାର ରହିଛି। ରାୟଗଡ଼ା ଜିଲ୍ଲାରେ ପ୍ରାୟ ୧୯ ଏକର ଜମିର ମୂଲ୍ୟ ୮ ଲକ୍ଷ ଟଙ୍କା ଦର୍ଶାଇଛନ୍ତି। ଏହାସହିତ ବିଭିନ୍ନ ସ୍ଥାନରେ ଅଣଚାଷ ଜମି ରହିଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି।

ଦିବ୍ୟଶଙ୍କର କୋଟିପତି, ପୁରୀ ସମଙ୍ଗାରେ ଜମି କିଣିଛନ୍ତି ପ୍ରେମାନନ୍ଦ
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ କଳାହାଣ୍ଡି ଭବାନିପାଟଣାରେ ୫ କୋଟିରୁ ଅଧିକ ମୂଲ୍ୟର ଚାଷ ଓ ଅଣଚାଷ ଜମି ରହିଛି। ଏହାସହିତ ୧ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ବାସଗୃହ ରହିଛି। ନଗଦ ପାଣ୍ଠି ଓ ବ୍ୟାଙ୍କ ଜମା ମିଶି ମୋଟ ୮୨ ଲକ୍ଷ ୩୬ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ୧୬ ଲକ୍ଷ ଟଙ୍କାର ଦୁଇଟି ଦାମୀ ଗାଡ଼ି ରହିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦର୍ଶାଇଛନ୍ତି ତାଙ୍କ ନାମରେ ୬ କୋଟି ୩୦ ଲକ୍ଷ ଟଙ୍କାର ଜମି ଓ ଘର ଥିବାବେଳେ ତାଙ୍କ ପତ୍ନୀ ନାମରେ ୧ କୋଟି ୩୮ ଲକ୍ଷ ଟଙ୍କା ମୂଲ୍ୟର ଜମି ଓ ଘର ରହିଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାମରେ ୨୭ ଲକ୍ଷ ୬ ହଜାର ୫୪୦ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଘରବାରି ଓ ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩ ଲକ୍ଷ ୬୦ ହଜାର। ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଶ୍ରୀ ପାଣିଗ୍ରାହୀ ୧୮ ଲକ୍ଷ ୨୫ ହଜାର ଟଙ୍କା ଋଣ କରିଥିବା ନିଜ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବି ନିଜ ପାଖରେ ସୀମିତ ସମ୍ପତ୍ତି ରହିଛି। ଶ୍ରୀ ଦାସ ଦର୍ଶାଇଛନ୍ତି ଜଗତସିଂହପୁର ଜିଲ୍ଲାରେ ତାଙ୍କ ଯୌଥ ପରିବାରର ୧୭ ଲକ୍ଷ ଟଙ୍କାର ଚାଷ ଜମି ରହିଛି। ଅଣଚାଷ ଜମି ଭିତରେ ସ୍ବଅର୍ଜିତ ଧନରେ ବାଲିସାହି ମୌଜାରେ ଶ୍ରୀ ଦାସ ୩୨ ଡିସିମିଲ ଜମି କିଣି ସେଥିରେ ବ୍ୟବସାୟିକ କୋଠା ନିର୍ମାଣ କରିଛନ୍ତି। ଜମି ଓ କୋଠାର ବଜାର ମୂଲ୍ୟ ଆନୁମାନିକ ୨ କୋଟି ଟଙ୍କା ହେବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପୁରୀ ସମଙ୍ଗାଠାରେ ୨୦୧୫ ମସିହାରେ ୧୦ ଲକ୍ଷ ଟଙ୍କାରେ ଗୋଟିଏ ଘର କିଣିଛନ୍ତି। ଯାହାର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଶ୍ରୀ ନାୟକଙ୍କ ପତ୍ନୀ ଓ ନିଜ ନାମରେ ୧୬ ଲକ୍ଷ ୪ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମରେ କେବଳ ଭୁବନେଶ୍ବରର ଚନ୍ଦକା ଭୁଆଶୁଣୀ ମୌଜାରେ ୪ ହଜାର ୮୦୦ ବର୍ଗଫୁଟର ଗୋଟିଏ ଅଣଚାଷ ଜମି ରହିଛି। ଯାହାର ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। ଏହାବ୍ୟତୀତ ତାଙ୍କ ନାମରେ କୌଣସି ଘର କିମ୍ବା ଅନ୍ୟ ସ୍ଥାବର ସମ୍ପତ୍ତି ନାହିଁ। ହାତରେ ଅଢ଼େଇ ଲକ୍ଷ ଟଙ୍କା ନଗଦ ରାଶି ଥିବାବେଳେ ୫ଟି ବ୍ୟାଙ୍କରେ ୩ ଲକ୍ଷ ୫୨ ହଜାର ୬୦୯ ଟଙ୍କା ଜମା ଅଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମନୀ ଦିଆନଙ୍କ ସମ୍ପତ୍ତି ତାଲିକା ଅନୁଯାୟୀ ତାଙ୍କ ପତି ଓ ପରିବାର ନାମରେ କୋରାପୁଟ ଜିଲ୍ଲାରେ ୧୫ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଚାଷ ଜମି ରହିଛି। ତାଙ୍କ ନାମରେ ଗୋଟିଏ ମହିନ୍ଦ୍ରା ସ୍କର୍ପିଓ ଓ ଗୋଟିଏ ହିରୋ କମ୍ପାନି ସ୍କୁଟି, ପତିଙ୍କ ନାମରେ ଗୋଟିଏ ଟ୍ରାକ୍ଟର୍‌ ଓ ଗୋଟିଏ ଏସୟୁଭି ରହିଛି। ଉତ୍ତରାଧିକାର ସୁତ୍ରରେ ତାଙ୍କୁ ସୁନା ଅଳଙ୍କାର ମିଳିଛି। ଯାହାର ବଜାର ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା।

New Indian Express

ନବଙ୍କ ସମ୍ପତ୍ତି ଆଖି ଖୋସି ହେଲା ଭଳି, ୮୦ ଗାଡ଼ିର ମାଲିକ
ଭୁବନେଶ୍ବର : ୮୦ ଗାଡ଼ି ୩ ବନ୍ଧୁକ ସମେତ ଝାରସୁଗୁଡ଼ା, ନୂଆଦିଲ୍ଲୀ, କୋଲକାତା ଭୁବନେଶ୍ବରରେ କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ୨୦୨୦ ମାର୍ଚ୍ଚ ସୁଦ୍ଧା ସମ୍ପତ୍ତି ଆହରଣ ନେଇ ନିଜେ ଶ୍ରୀ ଦାସ ଦାଖଲ କରିଥିବା ତାଲିକାରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହାସହିତ ପତ୍ନୀ ମିନତି ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ ବି ବହୁ ସଂପତ୍ତିର ମାଲିକ।

ତାଲିକା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ଦାସଙ୍କ ହାତରେ ନଗଦ ରାଶି ଆକାରରେ ୧୦ ଲକ୍ଷ ୫୦ ହଜାର ୫୦୦ ଟଙ୍କା ରହିଛି। ୮୦ଟି ଗାଡ଼ି ଭିତରୁ ବିଦେଶୀ ମର୍ସିଡିଜ୍‌ ବେଞ୍ଜ, ଭାରତ ବେଞ୍ଜ୍‌ କାର୍‌ ସମେତ ୧୬ଟି ଆରାମଦାୟକ ଗାଡ଼ି ରହିଛି। ଏହାସହିତ ଟିପର୍‌ ଓ ଟ୍ରକ୍‌ର ବି ଶ୍ରୀ ଦାସ ମାଲିକ। ୩ଟି ଲାଇସେନ୍‌ସ ପ୍ରାପ୍ତ ବନ୍ଧୁକରୁ ଗୋଟିଏ ପଏଣ୍ଟ ୩୨ ବିଶିଷ୍ଟ ରିଭଲଭର ରହିଛି। ଯାହାର ମୂଲ୍ୟ ୫୫ ହଜାର ଟଙ୍କା। ସେହିପରି ୧୨ ବୋର୍‌ ବନ୍ଧୁକର ମୂଲ୍ୟ ୧୭ ହଜାର ୫୦୦ ଟଙ୍କା ଓ ତୃତୀୟଟି ୧ ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ପଏଣ୍ଟ୍‌ ୨୨ ବିଶିଷ୍ଟ ବୋର ରାଇଫଲ ସାମିଲ ଅଛି। ନିକି ରିସୋର୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନିରେ ୫୦୦୦ ଇକ୍ୟୁଟି ଅଂଶଧନ ମନ୍ତ୍ରୀ ଶ୍ରୀ ଦାସ କିଣିଛନ୍ତି। ଏଥିରେ ପୁଞ୍ଜି ବିନିଯୋଗ ପାଇଁ ୧୮ ଲକ୍ଷ ୫୨ ହଜାର ୫୦୦ ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ସେ କରିଥିବା ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର