ବିନା ହେଲମେଟରେ ବାଇକରେ ଯାଉଥିଲେ ମନ୍ତ୍ରୀ ଓ ବିଧାୟକ, କଟିଲା ହଜାର ଟଙ୍କାର ଚାଲାଣ

ବାଲେଶ୍ୱର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଗାଡ଼ିମାଲିକଙ୍କଠାରୁ ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଜରିମାନା ଆଦାୟ କରିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ସହରର ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବିନା ହେଲମେଟରେ ଯାଉଥିବାର ଦେଖି ଟ୍ରାଫିକ୍ ପୁଲିସ ଉଭୟଙ୍କୁ ଧରିଥିଲେ। ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଇକ୍ ଚଳାଉଥିଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ତାଙ୍କ ପଛପଟେ ବସିଥିଲେ। ବାଇକ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ ପୁଲିସ ୧୦୦୦ ଟଙ୍କା ଚାଲାଣ କାଟିଥଲେ। ବିଧାୟକ ସ୍ୱରୂପ କୁମାର ଦାସ ଏହି ଜରିମାନା ଟଙ୍କା ଦେଇଥିଲେ।

ସୂଚନାଯୋଗ୍ୟ, ବାଲେଶ୍ୱର ଗସ୍ତରେ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଅଚାନକ ସ୍କୁଲରେ ପହଞ୍ଚିଥିଲେ। ବାଲେଶ୍ୱର ସହରର ବିଭିନ୍ନ ସ୍କୁଲ ବୁଲି ଦେଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଆଜି ସକାଳେ ମନ୍ତ୍ରୀ ଓ ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ୱର ଟାଉନ ହାଇସ୍କୁଲ, ବାରବାଟୀ ଗାର୍ଲସ ହାଇସ୍କୁଲ ଆଦି ସ୍କୁଲ ବୁଲି ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏନେଇ ମନ୍ତ୍ରୀ କହିଛନ୍ତି ସ୍କୁଲରେ କିପରି ବ୍ୟବସ୍ଥା ରହିଛି ସେନେଇ ବୁଲି ଦେଖିବା ସହିତ ପିଲାଙ୍କ ଅଵଶ୍ୟକତା ନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ସଦର ବିଧାୟକ ସ୍ୱରୂପ ଦାସଙ୍କ ବାଇକରେ ବସି ସହର ବୁଲିବା ସହିତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥି ସହିତ ଦୁଇ ଲକ୍ଷ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲକୁ ଆସିଥିବା ବେଳେ ସରକାରୀ ସ୍କୁଲ ପ୍ରତି ଅବିଭାବକମାନଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି । ଏଥି ସହିତ ରାଜ୍ୟରେ ୧୧ ହଜାର ନୂତନ ଶିକ୍ଷକ ନିଯୁକ୍ତି ନେଇ ମନ୍ତ୍ରୀ କହିଛନ୍ତି, ଆଶା ଅଛି ସୋମବାର ଏହାକୁ ହାଇକୋର୍ଟ ଅନୁମତି ଦେଇଦେବେ। ମୁଖ୍ୟମନ୍ତ୍ରୀ ବିଦେଶରୁ ଫେରିଲେ ନିଯୁକ୍ତି ପ୍ରକ୍ରିୟା ହେବ। ସେହିପରି ପିଲାଙ୍କୁ ପଣିକିଆ ପଚାରିବା ସହିତ ଚକଲେଟ ବାଣ୍ଟିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

ସମ୍ବନ୍ଧିତ ଖବର